Odisha Link
Bridging the Missing Links in Odisha

ବିକ୍ରମଦେବ ସ୍ବୟଂଶାସିତ ମହାବିଦ୍ୟାଳୟକୁ ମିଳିଲା ବିଶ୍ୱବିଦ୍ୟାଳୟ ମାନ୍ୟତା

କଲେଜରେ ୧୦୦୦ ଆସନ ବିଶିଷ୍ଟ ଅଡିଟୋରିଅମ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣା ପଡିଛି

ଓଏଲ୍‌ ବ୍ୟୁରୋ : ଜୟପୁରର ବିକ୍ରମଦେବ କଲେଜର ପ୍ଲାଟିନମ ଜୁବୁଲି ଉତ୍ସବ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉତ୍ସବରେ ଯୋଗ ଦେଇଥିଲେ। ଗତକାଲି ମୁଖ୍ୟମନ୍ତ୍ରୀ ବିକ୍ରମଦେବ କଲେଜକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଗଲା ବୋଲି ଘୋଷଣା କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ସ୍ବାଗତ କରିଥିଲେ। କଲେଜରେ ଏକ ଅତ୍ୟାଧୁନିକ ଅଡିଟୋରିଅମ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। କଲେଜରେ ୧୦୦୦ ଆସନ ବିଶିଷ୍ଟ ଅଡିଟୋରିଅମ ପାଇଁ ୮ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି ଜଣା ପଡିଛି। ଏହି ଘୋଷଣା ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

ଉତ୍ସବରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଶିକ୍ଷା ଆମ ଭିତରେ ଥିବା ସଂଭାବନାକୁ ବୃଦ୍ଧି କରିଥାଏ। ଯୁବସମାଜ ଉପରେ ତାଙ୍କର ପୁରା ଆସ୍ଥା ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନେ ଭଲ ପାଠ ପଢନ୍ତୁ ଏବଂ ସମାଜ ସହିତ ଯୋଡି ହୋଇ ରୁହନ୍ତୁ। ନିଜର ତଥା ନିଜ ପରିବାରର ଏବଂ ସାରା ଓଡିଶାର ସ୍ବପ୍ନ ପୂରଣ କରିବା ପାଇଁ ଉଦ୍ୟମ ଜାରି ରଖିବାକୁ ସେ ପରାମର୍ଶ ଦେଇଥିଲେ।

କୋରାପୁଟ ତାଙ୍କ ପାଇ ସବୁବେଳେ ସ୍ବତନ୍ତ୍ର ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଭିତ୍ତିଭୂମିର ବିକାଶ ଜରିଆରେ କୋରାପୁଟର ବିକାଶ ପାଇଁ କାମ କରାଯାଉଛି। ଭିତ୍ତିଭୂମିର ଗୁରୁତ୍ବ ସଂପର୍କରେ ଉଦାହରଣମ ଦେଇ ସେ କହିଲେ ଯେ ଗୋଟିଏ ଗୁରୁପ୍ରିୟା ସେତୁ ଆଜି ସ୍ବାଭିମାନ ଅଞ୍ଚଳରେ ବିକାଶର ନୂଆ ଧାରା ଆଣିପାରିଛି।

ଭିତ୍ତିଭୂମି ହିଁ ବିକାଶର ଆଧାର ବୋଲି ସେ ମତବ୍ୟକ୍ତ କରି କୋରାପୁଟ ପାଇଁ ୧୫୯୬ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ୨୦୦ କୋଟି ଟଙ୍କାର ପ୍ରକଳ୍ପ ଉଦ୍‌ଘାଟିତ ହୋଇଥିବାବେଳେ ୧୪୦୦ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଭିତ୍ତି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ।

ମିଶନ ଶକ୍ତି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରି ସେ କହିଥିଲ ଯେ, ମା ମାନେ ଭଲ କାମ କରି ସାରା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି। ସ୍ବାଧୀନତାର ୭୫ ବର୍ଷ ଅବସରରେ ଜାତୀୟ ପତାକା ପ୍ରସ୍ତୁତ କରି ସେମାନେ ନିଜର ଦକ୍ଷତା ଦେଖାଇଛନ୍ତି ଏବଂ ସେମାନଙ୍କ ଉପରେ ଥିବା ଆମର ବିଶ୍ବାସକୁ ଆହୁରି ମଜବୁତ କରିଛନ୍ତି।

ମା ମାନଙ୍କୁ ଉଦ୍ୟୋଗୀ ଭାବରେ ଦେଖିବାକୁ ଚାହେଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସବୁ ସ୍ବୟଂ ସହାୟକ ଗୋଷ୍ଠୀ ମାନଙ୍କୁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନରେ ପରିଣତ କରିବା ପାଇଁ କାମ ଆରମ୍ଭ ହୋଇଛି ଏବଂ ଏଥିପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବିନା ସୁଧରେ ଦିଆଯାଉଛି। ଆଗାମୀ ୫ ବର୍ଷରେ ୫୦ ହଜାର କୋଟି ଟଙ୍କା ଋଣ ଦିଆଯିବ ବୋଲି ସେ କହିଥିଲେ।

ମା ମାନଙ୍କ ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯାଉଛି। ଏହି ଅବସରରେ ଜିଲ୍ଲାର ୧୨୩୫ ମିଶନ ଶକ୍ତି ଗୋଷ୍ଠୀକୁ ୫୦ କୋଟି ଟଙ୍କାର ସୁଧ ବିହୀନ ଋଣ ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ କୋରାପୁଟ ପର୍ଯ୍ୟଟନ ଉପରେ ଆଧାରିତ ଏକ ସ୍ବତନ୍ତ୍ର ପୋଷ୍ଟାଲ କଭର ଉନ୍ମୋଚିତ କରିଥିଲେ।

Leave A Reply

Your email address will not be published.