Odisha Link
Bridging the Missing Links in Odisha

ତୁର୍କୀରେ ଭୂକମ୍ପର ତାଣ୍ଡବ, ଧ୍ୱଂସାବଶେଷ ତଳେ ଜନ୍ମନେଲା ଶିଶୁ

ଜଣେ ଗର୍ଭବତୀ ଧ୍ୱଂସାବଶେଷ ତଳେ ପିଲା ଜନ୍ମ କରିବା ପରେ ପ୍ରାଣ ହରାଇଥିବା ଜଣା ପଡିଛି

ଓଏଲ୍‌ ବ୍ୟୁରୋ : ପ୍ରକୃତିର ବିଚିତ୍ର ଲୀଳାରେ ଫସିଯାଇଛି ହଜାର ହଜାର ଜୀବନ। ତୁର୍କୀ ଓ ସିରିଆ ଭୂକମ୍ପର ବୀଭତ୍ସ ଚିତ୍ର ବିଶ୍ୱବାସୀଙ୍କ ମନ ଆନ୍ଦୋଳିତ କରୁଛି। ବର୍ତ୍ତମାନ ସୁଦ୍ଧା ଭୂକମ୍ପ ଜନିତ ମୃତ୍ୟୁସଂଖ୍ୟା ୯ହଜାରରୁ ଅଧିକ ହୋଇଥିବାବେଳେ ମୃତକଙ୍କ ସଂଖ୍ୟା ବଢ଼ିବାରେ ଆଶଙ୍କା କରାଯାଉଛ।

ସୂଚନା ଅନୁସାରେ, ତୁର୍କୀରେ ବାରମ୍ବାର ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଜଣା ପଡିଥିଲା। ଭୂକମ୍ପରେ ଅନେକ ଲୋକଙ୍କ ପ୍ରାଣ ଚାଲିଯାଇଥିବାବେଳେ ବଡ ବଡ଼ କୋଠା ଭାଙ୍ଗି ଯାଇଛି। ବଡ଼ ବଡ଼ କୋଠା ତଳେ ଅନେକ ଲୋକ ଚାପି ହୋଇ ରହିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତେବେ ଏହି ଭୂକମ୍ପ ଉଦ୍ଧାର କାର୍ଯ୍ୟ ଭିତରେ ତୁର୍କୀରୁ ଅନେକ ହୃଦୟ ବିଦାରକ ଘଟଣା ନଜରକୁ ଆସୁଛି। ଜଣେ ଗର୍ଭବତୀ ଧ୍ୱଂସାବଶେଷ ତଳେ ପିଲା ଜନ୍ମ କରିବା ପରେ ପ୍ରାଣ ହରାଇଥିବା ଜଣା ପଡିଛି। ତେବେ ଉତ୍ତର ସିରିଆର ଏକ ଧ୍ୱଂସାବଶେଷ ତଳୁ ଏକ ନବଜାତ ଶିଶୁକୁ ଉଦ୍ଧାର କରାଯାଇଥିଲା।

ଧ୍ୱଂସାବଶେଷ ତଳୁ ଉଦ୍ଧାରକାରୀ ଟିମ୍ ପିଲାକୁ ଉଦ୍ଧାର କରିଥିବା ବେଳେ ମାଆଙ୍କ ଜୀବନ ବଞ୍ଚାଇ ପାରିନାହାନ୍ତି। ଉଦ୍ଧାରକାରୀ ଟିମ୍ ମହିଳାଙ୍କ ନିକଟରେ ପହଞ୍ଚିଲା ବେଳକୁ ତାଙ୍କ ଜୀବନ ଚାଲିଯାଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଉଦ୍ଧାରକାର୍ଯ୍ୟ ଜାରି ରହିଥିବା ବେଳେ ନିକଟରେ ଏକ ଶିଶୁର କାନ୍ଦ ଶୁଣିବାକୁ ପାଇଥିଲେ। ପରେ ସେହି ସ୍ଥାନରେ ଏକ ନବଜାତ ଶିଶୁକୁ ଠାବ କରାଯାଇଥିଲା। ଶିଶୁକୁ ଉଦ୍ଧାର ପରେ ତୁରନ୍ତ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା।

ଖାଲି ଏତିକି ନୁହେଁ ତୁର୍କୀର ଧ୍ବଂସାବଶେଷ ତଳେ ନିଜର ଏକ ଛୋଟ ଭାଇକୁ ସୁରକ୍ଷା ଦେଇ ଭଉଣୀଟିଏ ଉଦ୍ଧାର ଲାଗି ଆକୁଳ ଅନୁରୋଧ କରୁଥିବା ଦୃଶ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେଉଛି। ଯାହା ଅତି ହୃଦୟ ବିଦାରକ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ଆହୁରି ଅନେକ ଜୀବନ ଭଗ୍ନାବଶେଷ ତଳେ ଛଟପଟ ହେଉଥିବା ଜଣା ପଡିଛି।

ଭୂକଂପ ପ୍ରବଣ ଅଂଚଳକୁ ଭାରତରୁ ୨ଟି ଏନଡିଆରଏଫ ଟିମ୍‌ର ୧୦୧ ଯବାନଙ୍କୁ ପଠାଇଛନ୍ତି ଭାରତ ସରକାର। ଭାରତରୁ ତୁର୍କୀ ପାଇଁ ରିଲିଫ ସାମଗ୍ରୀ ଓ ଜରୁରୀକାଳୀନ ଔଷଧ ଦିଆଯାଇଥିବା ସୂଚନା। ବାରମ୍ବାର ଭୂମିକମ୍ପ ଅନୁଭୂତ ହେବା କାରଣରୁ ଉଦ୍ଧାର କାର୍ଯ୍ୟରେ ଅସୁବିଧା ହେଉଥିବା ଜଣା ପଡ଼ିଛି।

Leave A Reply

Your email address will not be published.