Odisha Link
Bridging the Missing Links in Odisha

ବିଶ୍ବ ପୁସ୍ତକମେଳାରେ ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଆଲୋଚନା ଚକ୍ର

"ଓଡ଼ିଆ ସାହିତ୍ୟକୁ ବିଶ୍ବ ଦରବାରରେ ପ୍ରସାର କରିବା ପାଇଁ ପୁଞ୍ଜି, ପ୍ରକାଶକୀୟ ଦକ୍ଷତା ଓ ପ୍ରବୀଣ ଅନୁବାଦକଙ୍କ ଆବଶ୍ୟକତା ରହିଛି"

ନୂଆଦିଲ୍ଲୀ: ବିଶ୍ବ ପାଠକଙ୍କ ପାଖରେ ଓଡ଼ିଆ ସାହିତ୍ୟ ପହଞ୍ଚିବାରେ ଏବେ ବି ଅନ୍ୟ ଭାରତୀୟ ଭାଷା ତୁଳନାରେ ପଛରେ ପଡ଼ିଛି। ପ୍ରକାଶକୀୟ ଦକ୍ଷତା ସାଙ୍ଗକୁ ବ୍ୟାପକ ପୁଞ୍ଜିନିବେଶ ଓ ପ୍ରବୀଣ ଅନୁବାଦକ ଗୋଷ୍ଠୀଙ୍କ ସହାୟତାରେ ଆମ ସାହିତ୍ୟକୁ ଓଡ଼ିଶା ବାହାରେ ପ୍ରସାରିତ କରିହେବ ବୋଲି ମତବ୍ୟକ୍ତ କରିଛନ୍ତି ବରିଷ୍ଠ କଥାଶିଳ୍ପୀ ଶ୍ରୀ ଗୌରହରି ଦାସ।

ସ୍ଥାନୀୟ ପ୍ରଗତି ମଇଦାନରେ ଚାଲିଥିବା ବିଶ୍ବ ପୁସ୍ତକମେଳା ମଞ୍ଚରେ ଓଡ଼ିଶାର ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ “ଓଡ଼ିଆ ସାହିତ୍ୟ: ବିଶ୍ବ ପାଠକଙ୍କ ପାଖରେ ପହଞ୍ଚିବ କିପରି” ଶୀର୍ଷକ ଆଲୋଚନା ଚକ୍ରରେ ଯୋଗଦେଇ ଶ୍ରୀ ଦାସ କହିଥିଲେ ଯେ ରବୀନ୍ଦ୍ରନାଥଙ୍କ ପରେ ଭାରତରୁ ନୋବେଲ ପୁରସ୍କାର ପାଇବା ପାଇଁ ସର୍ବାଧିକ ଯୋଗ୍ୟବ୍ୟକ୍ତି ଥିଲେ ଗୋପୀନାଥ ମହାନ୍ତି। ଅନୂଦିତ ହୋଇ ବିଶ୍ବ ଦରବାରରେ ପ୍ରସିଦ୍ଧି ପାଇଥିବା ଭାରତୀୟ ଭାଷାର ବହି ମଧ୍ୟରେ ଗୋପୀନାଥଙ୍କ ‘ପରଜା’ ଉପନ୍ୟାସ ଅନ୍ୟତମ। କିନ୍ତୁ ଆମ ଭାଷାରେ ଭଲ ସାହିତ୍ୟ ଥିଲେ ବି ପ୍ରଚାର ଓ ପ୍ରକାଶକୀୟ ଦକ୍ଷତାର ଅଭାବ ଆମକୁ ରାଜ୍ୟ ବାହାରକୁ ପ୍ରସରି ଯିବାରେ ଅନ୍ତରାୟ ହୋଇଛି। ସିନେମା ଭଳି ବହିର ପ୍ରଚାର ପାଇଁ ମଧ୍ୟ ପ୍ରଚୁର ପୁଞ୍ଜି ଖର୍ଚ ହେବା ଆବଶ୍ୟକ ବୋଲି ସେ ମତ ଦେଇଥିଲେ। କେଉଁ ବହି ଅନୁବାଦ ହେବା ଯୋଗ୍ୟ ତାହା ସ୍ଥିର କରିବା ଓ ଅନୁବାଦ କରିବା ପାଇଁ ଏକ ପ୍ରବୀଣ ଅନୁବାଦକ ଓ ସଂପାଦକ ଗୋଷ୍ଠୀର ଆବଶ୍ୟକତା ଅନୁଭବ କରିଥିଲେ ଶ୍ରୀ ଦାସ।

ଓଡ଼ିଶା ବାହାରେ ରହୁଥିବା ଓଡ଼ିଆ ସଂଗଠନ ସବୁ ଓଡ଼ିଶାର ନୃତ୍ୟ, ସଂଗୀତ ଓ ଅନ୍ୟାନ୍ୟ କଳା କ୍ଷେତ୍ର ପାଇଁ ଆଗ୍ରହ ଦେଖାଇବା ସହ ଅର୍ଥ ଖର୍ଚ କରୁଥିବାବେଳେ ସେମାନଙ୍କୁ ସାହିତ୍ୟ ସହ ଯୋଡ଼ାଯିବାର ଆବଶ୍ୟକତା ଅଛି ବୋଲି କହିଛନ୍ତି ପ୍ରସିଦ୍ଧ କବି ଓ ଅବସରପ୍ରାପ୍ତ କୁଟନୀତିଜ୍ଞ ଅମରେନ୍ଦ୍ର ଖଟୁଆ। କେବଳ ଇଂରାଜୀ ଓ ହିନ୍ଦୀ ଭାଷା ନୁହେଁ, ଭାରତରଅନ୍ୟ ଭାଷାଗୁଡ଼ିକୁ ଅନୁବାଦ ଅଧିକରୁ ଅଧିକ ହେବା ଉଚିତ ବୋଲି କହିବା ସହ ରାଜ୍ୟ ସରକାର ଏ ଦିଗରେ ଆଗଭର ହେବାକୁ ପରାମର୍ଶ ଦେଇଥିଲେ ଶ୍ରୀ ଖଟୁଆ।

ବିଶିଷ୍ଟ ଲେଖିକା ଯଶେଧାରା ମିଶ୍ର କହିଥିଲେ ଯେ ଅଣଓଡ଼ିଆଙ୍କ ପାଖରେ ପହଞ୍ଚିବା ପୂର୍ବରୁ ବାହାରେ ରହୁଥିବା ଓଡ଼ିଆଙ୍କ ଭିତରେ ଆମ ସାହିତ୍ୟ ଓ ଭାଷା ପ୍ରତି ଆଗ୍ରହ ବଢ଼ିବାର ଆବଶ୍ୟକତା ଅଧିକ ଜରୁରୀ। ରାଜ୍ୟ ବାହାରେ ରହୁଥିଲେ ବି ନିଜ ଉଦ୍ୟମରେ ନିଜର ପିଲାମାନଙ୍କୁ ସେ କିଭଳି ଓଡ଼ିଆ ଭାଷା ଓ ସାହିତ୍ୟ ସହ ପରିଚୟ କରିପାରିଲେ ତାହାର ଉଦାହରଣ ଦେଇଥିଲେ ଶ୍ରୀମତୀ ମିଶ୍ର। ନିକଟରେ ଓଡ଼ିଶାର ଏକ ଛାତ୍ରଗୋଷ୍ଟୀଙ୍କୁ ସମ୍ବୋଧିତ କରିବାର ଅନୁଭୂତିକୁ ମନେପକାଇ ସେ କହିଲେ ଯେ ଓଡ଼ିଶାରେ ଥିବା ଯୁବପିଢ଼ି ମଧ୍ୟ ଆମ ଭାଷା ସାହିତ୍ୟରେ ଆଗ୍ରହ ରଖୁନାହାନ୍ତି। ପଢ଼ାବହି ବାହରେ ସେମାନେ କାହାକୁ ପଢ଼ୁନାହାନ୍ତି। ସେମାନେ ପରା ବାହାରକୁ ଯିବେ। ଯଦି ଏବେଠାରୁ ସେମାନଙ୍କର ଭାଷାସାହିତ୍ୟରେ ଆଗ୍ରହ ନରହିବ ପରବର୍ତୀ ସମୟରେ ସେମାନେ ଅଧିକ ଦୂରେଇଯିବେ ବୋଲି ଆଶଙ୍କା କରିଥିଲେ ଶ୍ରୀମତୀ ମିଶ୍ର।

ବିଶିଷ୍ଟ ହିନ୍ଦୀକବି ଓ ସାମ୍ବାଦିକ ନିଧୀଶ ତ୍ୟାଗୀ କହିଥିଲେ ଯେ ସାହିତ୍ୟ ଭଲ ହେଲେ ତାହା ପ୍ରସାରିତ ହେବାକୁ ଅପେ ବାଟ ଫିଟିଯିବ। ଓଡ଼ିଶାର ରଙ୍ଗବତୀ ଗୀତ ଯେପରି ନିଜ ଗୁଣରେ ସୀମା ଡେଇଁ ଅନ୍ୟ ଭାଷାକୁ ସଂଚରିଯାଇଛି, ସାହିତ୍ୟ ପାଇଁ ମଧ୍ୟ ସେପରି ବାଟ ଫିଟିିବ। ଓଡ଼ିଆ ସାହିତ୍ୟ ଅନ୍ୟ ଭାରତୀୟ ସାହିତ୍ୟ ତୁଳନାରେ ବହୁତ ଆଗରେ ରହିଛି, ତେବେ ପ୍ରକାଶକୀୟ ଦକ୍ଷତା ବୃଦ୍ଧି ହେବା ଜରୁରୀ। ସଭା ସଂଚାଳନ କରି ବକ୍ତାମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ବିଶିଷ୍ଟ କବି ଓ କଥାକାର ଶ୍ରୀ ତପନ କୁମାର ପଣ୍ଡା। ଅନୁବାଦ ଏବେ ଅଧିକରୁ ଅଧିକ ହେଉଥିବା ବେଳେ ପ୍ରକାଶକ, ବିକ୍ରେତା ଓ ଲେଖକମାନେ ନୂଆ ପ୍ରଯୁକ୍ତି ବିଦ୍ୟା ସହ ଖାପଖୁଆଇ ଆଗକୁ ଯିବା ଉଚିତ ବୋଲି ସେ କହିଥିଲେ। ଉତ୍ସବରେ ସଭାପତିତ୍ବ କରି କଥାକାର ଶ୍ରୀ ଶୁଭ୍ରାଂଶୁ ପଣ୍ଡା କହିଥିଲେ ଯେ ଓଡ଼ିଆ ଭାଷାରେ ଅନୁବାଦ ହେବାଯୋଗ୍ୟ ପ୍ରଚୁର ସାହିତ୍ୟ ଥିଲେ ବି ଦକ୍ଷ ଓ ବୃତ୍ତିଗତ ଅନୁବାଦକଙ୍କର ଅଭାବ ରହିଛି। ପ୍ରକାଶନ ଶିଳ୍ପରେ ଅର୍ଥ ଆଉ ବାଧକ ହୋଇ ରହିନାହିଁ, ବରଂ ଦକ୍ଷ ସହଯୋଗୀଙ୍କର ଅଭାବ ରହିଛି ବୋଲି ଶ୍ରୀ ପଣ୍ଡା କହିଥିଲେ।

ଉତ୍ସବରେ ଲେଖକ ବିରଜା ମହାପାତ୍ର, ପ୍ରକାଶକ ଜୀବନାନନ୍ଦ ମିଶ୍ର, କଥାଶିଳ୍ପୀ ସଂଯୁକ୍ତା ମହାପାତ୍ର, କବି ଶବନମ ଆଦେନୀ, ସଂଗଠକ ରାମଚନ୍ଦ୍ର ନାଥ, ଉତ୍କଳ ସାହିତ୍ୟ ସମାଜ ସଭାପତି ଗୋବିନ୍ଦ ଚନ୍ଦ୍ର ଚାନ୍ଦ, ନାସନାଲ ବୁକ୍‌ ଟ୍ରଷ୍ଟ ସଂପାଦକ (ଓଡ଼ିଆ) ପ୍ରମୋଦ ସର ଓ ସଂପାଦକ (ଅହମୀୟା) ଦୀପ ସାଇକିଆଙ୍କ ସମେତ ବହୁ ଓଡ଼ିଆ ଓ ଅଣଓଡ଼ିଆ ପାଠକ ଉପସ୍ଥିତ ଥିଲେ।

Leave A Reply

Your email address will not be published.