Odisha Link
Bridging the Missing Links in Odisha

ଆଇପିଏଲ ଖେଳିବେନି ଯଶପ୍ରୀତ ବୁମ୍ରା

ଓଏଲ୍‌ ବ୍ୟୁରୋ: ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେବ ଫଟାଫଟ୍‌ କ୍ରିକେଟ ଲିଗ୍‌ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ୧୬ ତମ ସଂସ୍କରଣର ଟ୍ରଫି ହାତେଇବା ପାଇଁ ସମସ୍ତ ୧୦ଟି ଯାକ ଦଳ କରୁଛନ୍ତି ଜୋରଦାର ଅଭ୍ୟାସ। ଏସବୁ ମଧ୍ୟରେ ୫ଥର ଆଇପିଏଲ୍‌ ବିଜେତା ମୁମ୍ବାଇ ଇଣ୍ଡିଆନ୍ସକୁ ଚଳିତ ଥର ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ଲାଗିଛି ଜୋରଦାର ଝଟକା। କାରଣ ଭାରତର ଷ୍ଟାର ଦ୍ରୁତ ବୋଲର ୨୦୨୩ ଆଇପିଏଲରୁ ବାଦ ପଡ଼ିଛନ୍ତି। ଏହାର ଅର୍ଥ ପୂରା ଆଇପିଏଲରେ ବୁମ୍ରାଙ୍କୁ ଦେଖିବାକୁ ମିଳିବନି। ଆହତ ସମସ୍ୟା ଯୋଗୁ ବୁମ୍ରା ଗତବର୍ଷ ସେଷ୍ଟେମ୍ବର ମାସରୁ କ୍ରିକେଟରୁ ଦୂରେଇ ରହିଛନ୍ତି। ଏବେ ବି ସେ ପଡ଼ିଆକୁ କମବ୍ୟାକ୍‌ କରିବାକୁ ଫିଟ ହୋଇ ନଥିବା ଜଣାପଡ଼ିଛି।

ବିଭିନ୍ନ ଜାତୀୟ ଗଣମାମଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ପିଠି ଯନ୍ତ୍ରଣା ସମସ୍ୟାରେ ପଡ଼ିଥିବା ବୁମ୍ରାଙ୍କୁ ଏଥିରୁ ମୁକୁଳିବା ପାଇଁ ସର୍ଜରୀର ଆବଶ୍ୟକତା ରହିଛି। ସେ ଖୁବଶୀଘ୍ର ବିଦେଶରେ ବ୍ୟାକ ଇଞ୍ଜୁରୀ ସମସ୍ୟାର ସମାଧାନ ପାଇଁ ଅସ୍ତ୍ରୋପଚାର କରିବାକୁ ଯାଇ ପାରନ୍ତି। ତେଣୁ ଆଇପିଏଲରେ ତାଙ୍କୁ ଦେଖିବାକୁ ମିଳିବ ନାହିଁ। ବୁମ୍ରାଙ୍କ ଆହତ ସମସ୍ୟା ଟିମ୍‌ ଇଣ୍ଡିଆ ପାଇଁ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି। କାରଣ ଜୁନ୍‌ ମାସରେ ଯଦି ଭାରତ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ଖେଳେ ସେଥିରେ ମଧ୍ୟ ବୁମ୍ରା ନଜର ଆସିବେ ନାହିଁ ବୋଲି ଜଣାପଡ଼ିଛି।

ଆହତ କାରଣରୁ ୨୦୨୨ ଅଗଷ୍ଟ ମାସରେ ଖେଳାଯାଇଥିବା ଏସିଆ କପରୁ ବାଦ ପଡ଼ିଥିଲେ ବୁମ୍ରା। ଏହାପରେ ସେ ଷ୍ଟ୍ରେଲିଆ ବିପକ୍ଷ ସେପ୍ଟେମ୍ବର ୨୩ ଓ ୨୫ରେ ଖେଳାଯାଇଥିବା ଟି-୨୦ରେ ନଜର ଆସିଥିଲେ। ସେ କମବ୍ୟାକ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତାଙ୍କ ଆହତ ସମସ୍ୟା ଦିନକୁ ଦିନ ଗୁରୁତର ହେବାରେ ଲାଗିଥିଲା। ତେଣୁ ସେ ବିଶ୍ୱକପ ସ୍କ୍ୱାଡରୁ ବାଦ ପଡ଼ିଥିଲେ। ଏହାପରଠୁ ସେ ଆହତ ସମସ୍ୟାରୁ ମୁକୁଳି ପାରି ନାହାନ୍ତି।

Leave A Reply

Your email address will not be published.