Odisha Link
Bridging the Missing Links in Odisha

୨୨ ବର୍ଷରେ କେତେ ଲୋକଙ୍କୁ ମିଳିଛି ପକ୍କାଘର ? ମନ୍ତ୍ରୀଙ୍କୁ ପ୍ରଶ୍ନ କଲେ ଖଣ୍ଡପଡ଼ା ବିଧାୟକ

ଓଏଲ୍‌ ବ୍ୟୁରୋ: ଚାଲିଛି ୨୦୨୩ ବଜେଟ ଅଧିବେଶନ। ଅଷ୍ଟମ ଦିନର ପ୍ରଶ୍ନକାଳରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ପ୍ରଶ୍ନ କରିଥିଲେ ଯେ, ବାସଗୃହ ଯୋଗାଣ ଲାଗି ବିଭିନ୍ନ ସରକାରୀ ଯୋଜନାରେ ଗତ ୨୨ ବର୍ଷରେ କେତେ ପରିବାରଙ୍କୁ ପକ୍କାଘର ଦିଆଯାଇଛି ଓ ନିକଟରେ କେନ୍ଦ୍ର ସରକାର ମଞ୍ଜୁର କରିଥିବା ୯ ଲକ୍ଷ ୫୯ ହଜାର ପ୍ରଧାନମନ୍ତ୍ରୀ ଆବାସ ନିର୍ମାଣ ପରେ ଅବଶିଷ୍ଟ କେତେ ପରିବାର କଚ୍ଚା ଘରେ ରହୁଥିବେ ? କେବେ ସୁଦ୍ଧା ରାଜ୍ୟର ସବୁ ପରିବାରକୁ ପକ୍କା ଘର ଉପଲବ୍ଧ କରାଯିବ?

ଏହି ପ୍ରଶ୍ନର ଉତ୍ତରରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ୍‌ କହିଛନ୍ତି, ଗ୍ରାମୀଣ ଗୃହ ନିର୍ମାଣ ଯୋଜନାରେ ଗତ ୨୨ ବର୍ଷରେ ୪୪ ଲକ୍ଷ ୯୯ ହଜାର ପରିବାରଙ୍କୁ ପକ୍କାଘର ଯୋଗାଇ ଦିଆଯାଇଛି। ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ଶ୍ରୀ ଅମାତ୍‌ ଆହୁରି କହିଛନ୍ତି, କେନ୍ଦ୍ର ସରକାର ମଞ୍ଜୁର କରିଥିବା ୯ ଲକ୍ଷ ୫୯ ହଜାର ପ୍ରଧାନମନ୍ତ୍ରୀ ଆବାସ ଗୃହ ପରେ ମଧ୍ୟ ୨୦୧୯ ମାର୍ଚ୍ଚ ୭ ତାରିଖ ପୂର୍ବରୁ ଚିହ୍ନଟ ୧ ଲକ୍ଷ ୩୦ ହଜାର, ୮୭୩ ପରିବାର ଆବାସ ପ୍ଲସ ତାଲିକାରେ ଯୋଗ୍ୟ ବିବେଚିତ ହୋଇଛନ୍ତି।

୨୦୨୨ରେ ପକ୍କା ଘର ପାଇବା ପାଇଁ ଯୋଗ୍ୟ ପିଭିଟିଜି ପରିବାର ଓ ସ୍ବାଭିମାନ ଅଞ୍ଚଳରେ ବସବାସ କରୁଥିବା ଯୋଗ୍ୟ ଲୋକଙ୍କ ସର୍ଭେ କରାଯାଇଥିଲା । ଏହି ସର୍ଭେରେ ୨୬,୭୭୫ଟି ପିଭିଟିଜି ପରିବାର ଓ ସ୍ବାଭିମାନ ଅଞ୍ଚଳର ୧୮,୧୬୦ଟି ପରିବାର ଯୋଗ୍ୟ ବିବେଚିତ ହୋଇଛନ୍ତି। ଏହି ପରିବାରମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହ ଯୋଗାଇ ଦେବା ଲାଗି ଗତ ଜାନୁଆରୀ ୧୮ ତାରିଖରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ ପ୍ରଦୀପ ଅମାତ।

Leave A Reply

Your email address will not be published.