Odisha Link
Bridging the Missing Links in Odisha

କାଲିଠୁ ଯୁକ୍ତ ୨ ପରୀକ୍ଷା, ସୋସିଆଲ ମିଡିଆରେ ଘୁରିବୁଲୁଛି ନକଲି ପ୍ରଶ୍ନ

ଓଏଲ୍‌ ବ୍ୟୁରୋ: ଆସନ୍ତାକାଲିଠୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା। ଏଥିପାଇଁ ପ୍ରଶ୍ନପତ୍ର ହବ୍‌ରେ ମଧ୍ୟ ପହଁଞ୍ଚି ସାରିଛି। ଏକରକମ ସମସ୍ତ ପ୍ରସ୍ତୁତି ଶେଷ ମଧ୍ୟ ହୋଇଛି। ଚଳିତଥର ୧୧୪୫ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ସାଢେ଼ ୩ଲକ୍ଷ ଛାତ୍ରଛାତ୍ରୀ। ଦିନ ୧୦ଟାରୁ ଦିନ ୧ଟା ଯାଏ ହେବ ପରୀକ୍ଷା। ସେପଟେ ଆନ୍ଦୋଳନ ଛାଡି ପରୀକ୍ଷା ପରିଚାଳନା କାର୍ଯ୍ୟରେ ଯୋଗ ଦେବାକୁ ରାଜି ହୋଇଛନ୍ତି ୬୬୨ ବର୍ଗ ଅଧ୍ୟାପକ।

ଚଳିତଥର ଯୁକ୍ତ ୨ କଳାରେ ୨ଲକ୍ଷ ୧୯ହଜାର ୧୧୦, ବିଜ୍ଞାନ ରେ ୯୧,୩୭୯, ବାଣିଜ୍ୟରେ ୨୩,୧୪୮ଜଣ ଓ ଧନ୍ଦାମୂଳକ ରେ ୫ହଜାର ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରଥମ ଦିନରେ ମାତୃଭାଷାରେ ପରୀକ୍ଷା ଦେବେ ବିଜ୍ଞାନ ବିଭାଗ ଛାତ୍ରଛାତ୍ରୀ। ସେଥିପାଇଁ ସାରା ରାଜ୍ୟରେ ମୋଟ୍ ୧୧୪୫ କେନ୍ଦ୍ର କରାଯାଇ ଥିବା ବେଳେ ୨୦୨ ଟି ହବ କରାଯାଇଛି। ଫେବ୍ରୁଆରୀ ୨୫ତାରିଖରୁ ସମସ୍ତ ହବକୁ ପ୍ରଶ୍ନପତ୍ର ପଠାଯାଇଛି। ଆସନ୍ତାକାଲି ସକାଳ ୭ଟା ରେ ହବରୁ ସମସ୍ତ ପରୀକ୍ଷା କେନ୍ଦ୍ରକୁ ଯିବ ପ୍ରଶ୍ନପତ୍ର।

ସିଏଚ୍‌ସିଇ ପରୀକ୍ଷା ନିୟନ୍ତ୍ରକ ଆଶୋକ ନାୟକ କହିଛନ୍ତି ଯେ, ଦିନ ୧୦ଟା ରେ ଆରମ୍ଭ ହେବ ପରୀକ୍ଷା। ୯ଟାରେ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବେ ପରୀକ୍ଷାର୍ଥୀ। ସେମାନେ ଆଡମିଟ କାର୍ଡ, ବ୍ଲାକ ବଲ୍ ପଏଣ୍ଟ ପେନ୍, ପାଣି ବୋତଲ ଛାଡି ଅନ୍ୟ କିଛି ବି ପରୀକ୍ଷା ହଲକୁ ନେଇପାରିବେ ନାହିଁ। ସେହିପରି ସେ ଛାତ୍ରଛାତ୍ରୀଙ୍କୁ ସଚେତନ ହୋଇ ପରୀକ୍ଷା ଦେବାକୁ କହିଛନ୍ତି। ସେ କହିଛନ୍ତି, ସୋସିଆଲ ମିଡିଆରେ ଅପଲୋଡ୍‌ ନକଲି ପ୍ରଶ୍ନପତ୍ରକୁ ବିଶ୍ୱାସ କରନ୍ତୁନି। ଛାତ୍ରଛାତ୍ରୀଙ୍କୁ ବିଭ୍ରାନ୍ତ କରିବାକୁ କିଛି ଅସାଧୁ ବ୍ୟକ୍ତି ଏପରି କରୁଛନ୍ତି। ଏପରି ଅସାଧୁ ବ୍ୟକ୍ତିଙ୍କ ବିରୋଧରେ ସାଇବର ଥାନାର ଆଶ୍ରୟ ନିଆଯିବ।

Leave A Reply

Your email address will not be published.