Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସତ କୁହନ୍ତୁ: ଜୟନାରାୟଣ ମିଶ୍ର

୨୦୨୨ରେ ରାଜ୍ୟରେ ୧୩୭୯ ହତ୍ୟା ଏବଂ ୩୧୮୪ ଦୁଷ୍କର୍ମ ମାମଲା ରୁଜୁ ହୋଇଛି।

ଓଏଲ୍‌ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗକୁ ନେଇ ବିଧାନସଭାରେ ଜାରି ରହିଛି ଅଧିବେଶନ। ଗତକାଲି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ବିବୃତି ରଖିଥିଲେ। ପରେ ଗଣମାଧ୍ୟମ ଆଗରେ ନିଜର ମତ ରଖିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭ୍ରମିତ କରିବା ପାଇଁ ଚେଷ୍ଟା କରୁଥିବା ଟ୍ୱିଟ୍ କରି କହିଛନ୍ତି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ରାଜ୍ୟ ସରକାର ଦେଇଥିବା ତଥ୍ୟରୁ ଓଡ଼ିଶାରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ଥିବା ବେଳେ ବିରୋଧୀଙ୍କ ଲ’ ଲେସନେସ୍ କହିବା ମୁଖ୍ୟମନ୍ତ୍ରୀଙ୍କୁ କାହିଁକି କଷ୍ଟ ଦେଉଛି ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ନେତା।

ମୁଖ୍ୟମନ୍ତ୍ରୀ ସତ୍ୟର ସାମ୍ନା କରନ୍ତୁ ଏବଂ ଓଡ଼ିଶାବାସୀଙ୍କୁ ସତ କୁହନ୍ତୁ ବୋଲି କହିଛନ୍ତି ଜୟନାରାୟଣ ମିଶ୍ର। ବିରୋଧୀ ଦଳ ନେତା କହିଛନ୍ତି ଶ୍ୱେତପତ୍ରରେ ଥିବା ତଥ୍ୟ ଅନୁସାରେ ୨୦୨୧ ତୁଳନାରେ ୨୦୨୨ରେ ଧତବ୍ୟ ଅପରାଧ ହାର ୧୪.୬୫ ପ୍ରତିଶତ ବୃଦ୍ଧି ପାଇଛି। ୨୦୨୨ରେ ରାଜ୍ୟରେ ୧୩୭୯ ହତ୍ୟା ଏବଂ ୩୧୮୪ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ୧୯ ପ୍ରତିଶତ ନବଜାତ ଶିଶୁଙ୍କର କମ୍ ଓଜନ ଥିବା ବେଳେ ୩୧% ପୁଷ୍ଟିହୀନତାର ଶିକାର ହୋଇଛନ୍ତି। ୧୮% ଉଚ୍ଚତା କମ୍ ଓ ୬୦%ରୁ ଅଧିକ ଶିଶୁ ଓ ଗର୍ଭବତୀ ରକ୍ତହୀନତାର ଶିକାର ହୋଇଥିବା ଜଣା ପଡିଛି। ରାଜ୍ୟ ସରକାର ମେକ୍ ଇନ୍ ଓଡ଼ିଶାର ବିଫଳତାକୁ ନିଜେ ସ୍ୱୀକାର କରିଛନ୍ତି ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟାର ୫୩ ଦିନ ପରେ ବି ସତ୍ୟାସତ୍ୟ ଦର୍ଶାଇବାରେ ସରକାର ବିଫଳ ହୋଇଥିବା ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି।

ଖବର ଅନୁସାରେ, ଗତକାଲି ବିଧାନସଭାରେ ଗୃହ ବିଭାଗର ଖର୍ଚ୍ଚ ଦାବି ସଂକ୍ରାନ୍ତରେ ବିବୃତି ପରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମକୁ ଆସି ପ୍ରତିକ୍ରିୟା ରଖିଥିଲେ। ବିରୋଧୀଙ୍କୁ ଟାର୍ଗେଟ କରି କହିଥିଲେ ଓଡିଶାରେ ଆଇନଶୃଙ୍ଖଳା ଠିକ ନଥିବା କଥା ଅବାସ୍ତବ। ଆଇନଶୃଙ୍ଖଳା ନଥିବା ରାଜ୍ୟରେ ପୁଞ୍ଜି ନିବେଶ ହୁଏ ନାହିଁ, ଦେଶରେ ଓଡିଶାରୁ ଅଧିକ ପୁଞ୍ଜି ନିବେଶ ଆସିଛି। ନିବେଶକ ଓଡିଶାକୁ ଶାନ୍ତିପ୍ରିୟ ରାଜ୍ୟ ବୋଲି କହୁଛନ୍ତି। ବିଶ୍ୱକପ ହକି ସହ ରେକର୍ଡ ଶିଳ୍ପ ଉତ୍ପାଦନ, କୃଷି ଉତ୍ପାଦନ ଆଇନ ଶୃଙ୍ଖଳା ପରିସ୍ଥିତି ଠିକ ଥିବାରୁ ସମ୍ଭବ ହୋଇପାରିଛି ବୋଲି ନବୀନ କହିଛନ୍ତି।

ଆଇନଶୃଙ୍ଖଳା କଥା କହି ବିରୋଧୀ ରାଜ୍ୟବାସୀଙ୍କୁ ଅପମାନିତ କରୁଛନ୍ତି। ଆଉ ଏହା ଆଇନ-ଶୃଙ୍ଖଳା ଯୋଗୁଁ ସମ୍ଭବ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ନବଦାସ ହତ୍ୟାକାଣ୍ଡର ତଦନ୍ତ ଚାଲିଛି ଓ ଠିକ ସମୟରେ ଚାର୍ଜସିଟ ଦାଖଲ ହେବ। ଗୋପାଳକୁ ପାଗଳ ଦର୍ଶାଇବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି ବୋଲି ବିରୋଧୀ ଅଭିଯୋଗ ଆଣିବା ସଂପୂର୍ଣ୍ଣ ମିିଛ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତେବେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.