ଅକ୍ଟୋବର ୫ରୁ ଦିନିକିଆ ବିଶ୍ବକପ୍: ରିପୋର୍ଟ
ଓଏଲ୍ ବ୍ୟୁରୋ: ଭାରତରେ ଅନୁଷ୍ଠିତ ହେବ ୨୦୨୩ ଦିନିକିଆ ବିଶ୍ବକପ୍ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)। ଏସବୁ ମଧ୍ୟରେ ଇଏସ୍ପିଏନ୍ ଇନ୍ଫୋରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ ୨୦୨୩ ଆଇସିସି ଦିନିିକିଆ ବିଶ୍ବକପ୍ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବ। ଆଉ ନଭେମ୍ବର ୧୯ ତାରିଖରେ ବିଶ୍ବକପ୍ ଫାଇନାଲ ମୁକାବିଲା ଖେଳାଯିବ ବୋଲି ରିପୋର୍ଟ ପ୍ରକାଶ ପାଇଛି ।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ବିଶ୍ବକପ୍ ମହାକୁମ୍ଭ ପାଇଁ ୧୨ଟି ସ୍ଥାନକୁ ଚିହ୍ନଟ କରିଛି। ଫାଇନାଲ ମ୍ୟାଚ୍ ଅହମଦାବାଦ୍ରେ ବିଶ୍ୱର ସର୍ବବୃହତ୍ ଷ୍ଟାଡିୟମରେ ଖେଳାଯିବ। ଅହମଦାବାଦ୍କୁ ଛାଡ଼ିଦେଲେ ବେଙ୍ଗାଲୁରୁ, ଚେନ୍ନାଇ, ଦିଲ୍ଲୀ, ଧର୍ମଶାଳା, ଗୁଆହାଟୀ, ହାଇଦ୍ରାବାଦ, କୋଲ୍କାତା, ଲକ୍ଷ୍ନୌ, ଇନ୍ଦୋର, ରାଜକୋଟ ଓ ମୁମ୍ବାଇ ରହିଛି। ଏହି ଟୁର୍ଣ୍ଣାମେଣ୍ଟ ୪୬ ଦିନ ଧରି ଚାଲିବ ଏବଂ ୩ ନକ୍ ଆଉଟ ସମେତ ମୋଟ ୪୮ ମ୍ୟାଚ୍ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏପର୍ଯ୍ୟନ୍ତ କୌଣସି ଗେମ୍ ପାଇଁ ନିର୍ଦ୍ଦିଷ୍ଟ ଭେନ୍ୟୁ ସ୍ଥିର କରିନାହିଁ।
ଯେଉଁ ଦୁଇ ଅବା ତିନି ସହରରେ ଓ୍ବାର୍ମଅପ୍ ଖେଳାଯିବ ତାହା ମଧ୍ୟ ଚୂଡ଼ାନ୍ତ କରିନାହିଁ। କାରଣ ଭାରତର ବିଭିନ୍ନ ଅଞ୍ଚଳରେ ମୌସୁମୀ ସମୟରେ ଫରକ ରହିଛି। ସାଧାରଣତଃ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି) ଅତିକମ୍ରେ ବର୍ଷକ ପୂର୍ବରୁ ବିଶ୍ୱକପ୍ କାର୍ଯ୍ୟସୂଚୀ ଘୋଷଣା କରିଥାଏ। ମାତ୍ର ଏଥର ବିସିସିଆଇ ଭାରତ ସରକାରଙ୍କଠାରୁ ଆବଶ୍ୟକ କ୍ଲିୟରାନ୍ସ ଅପେକ୍ଷାରେ ରହିଛି।
ସବୁଠାରୁ ବଡ଼କଥା ହେଲା ପାକିସ୍ତାନୀ କ୍ରିକେଟର ୨୦୧୩ ମସିହା ପରଠୁ ଭାରତରେ ଖେଳି ନାହାନ୍ତି। ହେଲେ ବିସିସିଆଇ ସ୍ପଷ୍ଟ କରି ଦେଇଛି ଯେ ପାକିସ୍ତାନ ଖେଳାଳିଙ୍କ ଭିଜା ଭାରତ ସରକାରଙ୍କ ତରଫରୁ ମଞ୍ଜୁରୀ ପ୍ରଦାନ କରାଯିବ।