Odisha Link
Bridging the Missing Links in Odisha

ଆଇନ ଅନୁସାରେ ୨ ବର୍ଷ ସଜା ହେଲେ ସଦସ୍ୟତା ପଦ ରଦ୍ଦ ହେବ: ଧର୍ମେନ୍ଦ୍ର ପ୍ରଧାନ

ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅତି ଅପଶବ୍ଦ ବ୍ୟବହାର କରିଥିଲେ।

ଓଏଲ୍‌ ବ୍ୟୁରୋ : କଂଗ୍ରେସର ସାଂସଦ ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହୋଇଛି। କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ ହୋଇଥିବା ସୂଚନା ମିଳିଛି। ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀଙ୍କ ପ୍ରତି ଅତି ଅପଶବ୍ଦ ବ୍ୟବହାର କରିଥିଲେ। ଅପଶବ୍ଦ ପ୍ରୟୋଗ ସେମାନଙ୍କର ଏକ ଅଭ୍ୟାସରେ ପରିଣତ ହୋଇଥିଲା। ଏହି ମାମଲାର ବିଚାର କରି କୋର୍ଟ ତାଙ୍କୁ ଦଣ୍ଡିତ କଲେ। ୨ ବର୍ଷ ସଜା ହେଲା। ଆଇନ ଅନୁସାରେ ୨ ବର୍ଷ ସଜା ହେଲେ ସଦସ୍ୟତା ରଦ୍ଦ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ସୂଚନା ଅନୁସାରେ, ସବୁ ଚୋର କାହିଁକି ମୋଦି ସାଙ୍ଗିଆ ବହନ କରିଛନ୍ତି ବୋଲି ୨୦୧୯ ଏପ୍ରିଲ୍‌ରେ ରାଜନୈତିକ ପ୍ରଚାର ଅଭିଯାନ ବେଳେ ରାହୁଲ୍‌ ଗାନ୍ଧୀ ମନ୍ତବ୍ୟ ଦେଇଥିଲେ। ତେବେ ଏହି ମାନହାନି ମାମଲାକୁ ନେଇ କୋର୍ଟରେ କେଶ ଦାଏର ହୋଇଥିଲା। ଉପରୋକ୍ତ ମନ୍ତବ୍ୟ ଦେଇଥିବାରୁ ରାହୁଲ୍‌ଙ୍କ ନାଁରେ ‘ବିଜେପି’ ବିଧାୟକ ତଥା ପୂର୍ବତନ ଗୁଜରାଟ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଅଭିଯୋଗ ଦାଏର କରିଥିଲେ। ଏହି ମନ୍ତବ୍ୟ ସମଗ୍ର ମୋଦୀ ସମ୍ପ୍ରଦାୟର ମାନହାନି କରିଛି ବୋଲି ଅଭିଯୋଗରେ ଉଲ୍ଲେଖ କରାଯାଇଥିଲା।

୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ କର୍ଣ୍ଣାଟକର କୋଲାର୍‌ଠାରେ ଆୟୋଜିତ ରାଲିରେ ଉଦ୍‌ବୋଧନ ଦେବା ବେଳେ ରାହୁଲ୍‌ ଗାନ୍ଧୀ ‘ମୋଦୀ’ ସାଙ୍ଗିଆକୁ ବିଦ୍ରୂପ କରି ଏଭଳି ଅସମ୍ମାନଜନକ ମନ୍ତବ୍ୟ ଦେଇଥିଲେ। ଦାଏର ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏହି ମାମଲାରେ ଚିଫ୍ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ ଏଚ୍. ଏଚ୍‌. ବର୍ମାଙ୍କ ଅଦାଲତ କଂଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀଙ୍କୁ ୨ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଥିଲେ। ‘ଆଇପିସି’ ଧାରା ୫୦୪ ଅନୁଯାୟୀ ରାହୁଲ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଅନ୍ୟପକ୍ଷେ, ଏହି ମାମଲାରେ ରାହୁଲ୍‌ ଗାନ୍ଧୀଙ୍କୁ ୩୦ ଦିନ ପାଇଁ ଜାମିନ ମିଳିସାରିଥିଲା। ହେଲେ ବର୍ତମାନ ତାଙ୍କ ଲୋକସଭା ସାଂସଦ ପଦବୀ ଚାଲିଯାଇଥିବା ଜଣା ପଡିଛି।

Leave A Reply

Your email address will not be published.