ଡିଜେ ଆଜେକ୍ସ ମୃତ୍ୟୁ ଘଟଣା: ସାମ୍ନାକୁ ଆସିଲା ଆଉ ଏକ ରହସ୍ୟ
ତିନି ଯୁବତୀ ଏସବୁ ଜାଣିବା ପରେ ଖୋଲିଥିଲେ ହ୍ବାଟ୍ସଆପ୍ ଗ୍ରୁପ୍।

ଓଏଲ୍ ବ୍ୟୁରୋ: ଲୋକପ୍ରିୟ ଓଡ଼ିଆ ଡିଜେ ଆଜେକ୍ସ ମୃତ୍ୟୁ ଘଟଣାକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିଛି। ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଖାରବେଳ ନଗର ଥାନାରେ ସାଇବର ଟିମ୍ ଡିଜିଟାଲ ଏଭିଡେନ୍ସ ଯାଞ୍ଚ କରୁଥିବା ସୂଚନା ମିଳିଥିଲା। ଆଜେକ୍ସ ମୃତ୍ୟୁ ପରେ ଜବତ ହୋଇଥିଲା ବହୁ ଡିଜିଟାଲ ଦସ୍ତାବିଜ୍ ଯାହାକୁ ପୁଲିସ ଯାଞ୍ଚ କରିଥିଲା। ତେବେ ଡିଜେ ଆଜେକ୍ସ ମୃତ୍ୟୁ ଘଟଣାକୁ ନେଇ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଣେ ନୁହେଁ, ତିନି ଯୁବତୀଙ୍କୁ ପ୍ରେମ ଜାଲରେ ଆଜେକ୍ସ ଫସାଇଥିବା ଚର୍ଚ୍ଚା ହେଉଛି।
ତିନି ଯୁବତୀ ଏସବୁ ଜାଣିବା ପରେ ଖୋଲିଥିଲେ ହ୍ବାଟ୍ସଆପ୍ ଗ୍ରୁପ୍। ଗ୍ରୁପରେ ଥିବା ସଂପୃକ୍ତ ୩ ଯୁବତୀ, ଆଜେକ୍ସ ବିଷୟରେ କଥା ହେଉଥିଲେ। ଆଜେକ୍ସ କିଭଳି ସେମାନଙ୍କୁ ପ୍ରେମ ଜାଲରେ ଫସାଇଥିଲେ, କଥା ହେଉଥିଲେ ବୋଲି ସୁରାକ ମିଳିଥିବା କୁହାଯାଉଛି। ଆଜେକ୍ସଙ୍କ ମୁଖା ଖୋଲିବାକୁ ଏକାଠି ହୋଇଥିଲେ ତିନି ଯୁବତୀ। ସୁରାକ ପାଇବା ପରେ ସଂପୃକ୍ତ ଯୁବତୀଙ୍କୁ ପଚରଉଚରା ଯୋଜନା କରିଛି ପୁଲିସ। ଖୁବ୍ ଶୀଘ୍ର ବାକି ୨ ଯୁବତୀଙ୍କୁ ଜେରା କରିବ ଖାରବେଳନଗର ପୁଲିସ।
ଅନ୍ୟପଟେ, ଡିଜେ ଆଜେକ୍ସ ଆତ୍ମହତ୍ୟା ଘଟଣାରେ ସାମ୍ନାକୁ ଆସିଥିଲା ନୂଆ ତଥ୍ୟ। ମୃତ୍ୟୁ ପୂର୍ବରୁ ବାନ୍ଧବୀଙ୍କ ସହ ୯୭ ସେକେଣ୍ଡ କଥା ହୋଇଥିଲେ ଡିଜେ ଆଜେକ୍ସ। ପରେ ବାନ୍ଧବୀ ଭିଡିଓ କଲ୍ କରିଥିଲେ ବି ଉଠାଇ ନ ଥିଲେ ଆଜେକ୍ସ। ବାନ୍ଧବୀ ଭିଡିଓ କଲ୍ ବେଳକୁ ଆଜେକ୍ସ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା। ଆଜେକ୍ସଙ୍କ ମୋବାଇଲ୍, ଲାପଟପ ଯାଞ୍ଚ କରିଛି ସାଇବର ଟିମ୍। ସୋସିଆଲ ମିଡିଆ ମେସେଜ ମଧ୍ୟ ଯାଞ୍ଚ ହେବା ନେଇ ସୂଚନା ମିଳିଥିଲା। ଆଜେକ୍ସଙ୍କ ମେଲ୍ ଆଇଡିର ପାସୱାର୍ଡ ମଧ୍ୟ ପୁଲିସ ବଦଳାଇଥିବା ଜଣା ପଡିଛି।