Odisha Link
Bridging the Missing Links in Odisha

ଗନ୍ଧମାର୍ଦ୍ଦନକୁ ମିଳିଲା ଜୈବବିବିଧତା ଐତିହ୍ୟସ୍ଥଳ ମାନ୍ୟତା

ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଗନ୍ଧମାର୍ଦ୍ଦନ ପର୍ବତର ୧୯୦ ବର୍ଗ କିଲୋମିଟର ଅଞ୍ଚଳକୁ ଏହି ଜୈବବିବିଧତା ଐତିହ୍ୟସ୍ଥଳୀରେ ଅନ୍ତର୍ଭୁକ୍ତ କରାଯାଇଛି।

ଓଏଲ୍‌ ବ୍ୟୁରୋ: ଗନ୍ଧମାର୍ଦ୍ଦନ ପର୍ବତ ଯାହା ଅନେକ ଔଷଧୀୟ ଗଛରେ ପରିପୂର୍ଣ୍ଣ ରୂପରେ ପରିଚିତ। କାହିଁ କେଉଁ କାଳରୁ ପୌରାଣିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବି ବେଶ ଗୁରୁତ୍ୱବହନ କରେ ଗନ୍ଧମାର୍ଦ୍ଦନ। ତେବେ ଜୈବବିବିଧତାରେ ପରିପୂର୍ଣ ଏହି ଐତିହ୍ୟ ସ୍ଥଳକୁ ମାନ୍ୟତା ପ୍ରଦାନ କରାଯାଇଛି। ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ଗନ୍ଧମାର୍ଦ୍ଦନ ପର୍ବତକୁ ଜୈବବିବିଧତା ଐତିହ୍ୟସ୍ଥଳ ମାନ୍ୟତା ମିଳିଥିବା ଘୋଷଣା ହୋଇଛିା ବଲାଙ୍ଗିର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଥିବା ଏହି ଐତିହ୍ୟ ପାହାଡ଼ରେ ରହିଛି ପ୍ରଚୁର ପରିମାଣର ଔଷଧୀୟ ବୃକ୍ଷ। ବଲାଙ୍ଗୀର ଓ ବରଗଡ଼ ଜିଲ୍ଲାରେ ପରିବ୍ୟାପ୍ତ ଗନ୍ଧମାର୍ଦ୍ଦନ ପର୍ବତର ୧୯୦ ବର୍ଗ କିଲୋମିଟର ଅଞ୍ଚଳକୁ ଏହି ଜୈବବିବିଧତା ଐତିହ୍ୟସ୍ଥଳୀରେ ଅନ୍ତର୍ଭୁକ୍ତ କରାଯାଇଛି। ଏନେଇ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଗନ୍ଧମାର୍ଦ୍ଦନ ପାର୍ବତ୍ୟାଞ୍ଚଳକୁ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ଦେବାପାଇଁ ଓଡ଼ିଶା ଜୈବ ବିବିଧତା ବୋର୍ଡ ପକ୍ଷରୁ ରାଜ୍ୟ ଜଙ୍ଗଲ ବିଭାଗକୁ ପ୍ରସ୍ତାବ ପଠାଯାଇଥିଲା। ଏହି ଅଞ୍ଚଳ ବିଭିନ୍ନ ଔଷଧୀୟ ବୃକ୍ଷରେ ପରିପୂର୍ଣ୍ଣ ବୋଲି ବୋର୍ଡ ତଥ୍ୟ ଉପସ୍ଥାପନ କରିଥିଲା। ଜୈବବିବିଧତା ବୋର୍ଡ ପକ୍ଷରୁ ଏହି ଅଞ୍ଚଳକୁ ଓଡ଼ିଶାରେ ଆୟୁର୍ବେଦର ଗନ୍ତାଘର ରୂପେ ଦର୍ଶାଇଯାଇଥିଲା। କ୍ରମେ ଏହାକୁ ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ମିଳିଛି।

ଗନ୍ଧମାର୍ଦ୍ଦନ ପର୍ବତ୍ୟାଞ୍ଚଳର ମହତ୍ଵ ରାମାୟଣ କାଳରୁ ଅଛି। ଏଠାରେ ହରିଶଙ୍କର ଓ ନୃସିଂହନାଥ ଭଳି ଦୁଇଟି ଐତିହାସିକ ମନ୍ଦିର ମଧ୍ୟ ରହିଛି। ପ୍ରତିବର୍ଷ ଅନେକ ପର୍ଯ୍ୟଟକ ଏଠାକୁ ଆସିଥାନ୍ତି। ଖାଲି ସେତିକି ନୁହେଁ ଗନ୍ଧମାର୍ଦ୍ଦନ ପର୍ବତ୍ୟାଞ୍ଚଳ ପ୍ରାୟ ୧୨୦୦ ପ୍ରଜାତିର ଉଦ୍ଭିଦ ଓ ୫୦୦ ପ୍ରଜାତିର ପ୍ରାଣୀ ଦେଖିବାକୁ ମିଳେ। ଏଠାରେ ଦେଖାଯାଉଥିବା ଉଦ୍ଭିଦ ମଧ୍ୟରେ ପ୍ରାୟ ୫୦୦ରୁ ଅଧିକ ଔଷଧୀୟ ବୃକ୍ଷ ରହିଛି। ଏଠାରେ ୧୮ଟି ବିଲୁପ୍ତ ପ୍ରଜାତିର ପ୍ରାଣୀ ମଧ୍ୟ ଦେଖିବାକୁ ମିଳନ୍ତି। କାହିଁ କେଉଁ କାଳଠୁ ଏହି ପାହାଡ଼ରେ ଔଷଧୀୟ ଗଛ ସହ ଶହ ଶହ ମୂଲ୍ୟବାନ ପ୍ରାକୃତିକ ପଦାର୍ଥ ରହିଛି। ସେହିପରି ପୌରାଣିକ ଓ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ବି ବେଶ ଗୁରୁତ୍ୱବହନ କରେ ଗନ୍ଧମାର୍ଦ୍ଦନ। ବର୍ତମାନ ଗନ୍ଧମାର୍ଦ୍ଦନ ପାର୍ବତ୍ୟାଞ୍ଚଳକୁ ଓଡ଼ିଶାର ତୃତୀୟ ‘ଜୈବ ବିବିଧତା ଐତିହ୍ୟସ୍ଥଳୀ’ର ମାନ୍ୟତା ମିଳିଛି।

Leave A Reply

Your email address will not be published.