Odisha Link
Bridging the Missing Links in Odisha

ସାଂସଦ ପଦରୁ ଅଯୋଗ୍ୟ ହେଲେ ରାହୁଲ ଗାନ୍ଧୀ, ଦେଶବ୍ୟାପୀ ପ୍ରତିବାଦ କରିବ କଂଗ୍ରେସ

ଓଏଲ୍‌ ବ୍ୟୁରୋ:ଦୋଷୀ ସାବ୍ୟସ୍ତ ହୋଇ ସାଂସଦ ପଦ ହରାଇଥିବା ରାହୁଲ ଗାନ୍ଧୀଙ୍କୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା। ଅନ୍ୟପଟେ କଂଗ୍ରେସର ଶୀର୍ଷ ନେତୃତ୍ବ ତୁହାକୁ ତୁହା ବୈଠକ କରୁଛନ୍ତି। ଏପରିକି ରାହୁଲଙ୍କ ସାଂସଦ ପଦ ଗଲାପରେ ରାସ୍ତାରେ ପ୍ରତିବାଦ କରିଛନ୍ତି କଂଗ୍ରେସ କର୍ମୀ। ଏପରିକି ମୋଦୀ ସରକାର ବିରୋଧରେ ନାରାବାଜି ମଧ୍ୟ କରିଛନ୍ତି ବିକ୍ଷୋଭକାରୀ।

ପଦ ରଦ୍ଦ ହେବା ପରେ ରାହୁଲ ଗାନ୍ଧୀ ଟ୍ୱିଟରରେ ପ୍ରତିକ୍ରିୟା ରଖି କହିଛନ୍ତି, ‘ମୁଁ ଭାରତର ସ୍ୱର ପାଇଁ ଲଢ଼େଇ କରୁଛି। ସବୁ ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛି’। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାଡ଼ଗେ କହିଛନ୍ତି- ସଂସଦରେ ସତ୍ୟ କହୁଥିବା ଲୋକକୁ ସଜା ମିଳିଛି। ସେହିପରି ରାହୁଲଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଟ୍ୱିଟ୍ କରି ସିଧା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିଶାନା କରି ଲେଖିଛନ୍ତି- ‘ଆପଣ ମୋ ପରିବାରକୁ ପରିବାରବାଦୀ କହୁଛନ୍ତି’ ହେଲେ ‘ଆମ ପରିବାର ଲୋକତନ୍ତ୍ର ପାଇଁ ବଳିଦାନ ଦେଇଛି’। ଜଣେ ସହିଦ ପ୍ରଧାନମନ୍ତ୍ରୀଙ୍କ ପୁଅକୁ ଦେଶଦ୍ରୋହୀ କୁହାଯାଉଛି। ଯାହା ଅତ୍ୟନ୍ତ ନିନ୍ଦନୀୟ।

ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ବରିଷ୍ଠ ସାଂସଦ ଅଧିର ରଞ୍ଜନ ଚୌଧୁରୀ କହିଛନ୍ତି,. ରାହୁଲ ଉଭୟ ସଂସଦ ଭିତରେ ଓ ବାହାରେ ସତ୍ୟ କହୁଛନ୍ତି। ତାଙ୍କ ବିରୋଧରେ ହୋଇଥିବା ଷଡ଼ଯନ୍ତ୍ର ବିପକ୍ଷରେ ଦଳ ଉଭୟ ରାଜନୈତିକ ଓ ଆଇନଗତ ଲଢ଼େଇ ଜାରି ରଖିବ। ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା ବୃଦ୍ଧିକୁ ସହ୍ୟ କରିନପାରି ତାଙ୍କ ବିରୋଧରେ ଇଏ ଏକ ବଡ଼ ଷଡ଼ଯନ୍ତ୍ର।

Leave A Reply

Your email address will not be published.