ଏପ୍ରିଲ୍ ୨୯ରେ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା
ଆସନ୍ତା ଏପ୍ରିଲ୍ ୨୯ ତାରିଖ ଅପରାହ୍ନ ସାଢ଼େ ୧୨ଟାରୁ ସାଢ଼େ ୧ଟା ମଧ୍ୟରେ ପହଣ୍ଡି ନୀତି ସଂପନ୍ନ ହେବ ଏବଂ ମହାପ୍ରଭୁ ରଥାରୁଢ଼ ହେବେ।

ଓଏଲ୍ ବ୍ୟୁରୋ: ରୁକୁଣା ରଥଯାତ୍ରା ଲିଙ୍ଗରାଜଙ୍କର ଏକ ପ୍ରମୁଖ ବାର୍ଷିକ ଉତ୍ସବ ଯାହା ଓଡ଼ିଶାର ଭୁବନେଶ୍ୱରଠାରେ ଲିଙ୍ଗରାଜ ମନ୍ଦିରରେ ପାଳନ କରାଯାଇଥାଏ। ଏହା ପୁରୀର ରଥଯାତ୍ରାଠାରୁ ମଧ୍ୟ ଅଧିକ ପୁରୁଣା ଯାତ୍ରା। ଏବର୍ଷ ଏପ୍ରିଲ୍ ୨୯ ତାରିଖ ଶନିବାର ପଡ଼ୁଛି ପବିତ୍ର ଅଶୋକାଷ୍ଟମୀ। ଏହି ତିଥିରେ ବିଧି ଅନୁଯାୟୀ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ତେଣୁ ରୁକୁଣା ରଥଯାତ୍ରା ପାଇଁ ଆଜି ସ୍ୱତନ୍ତ୍ର ସର୍କିଟ୍ ହାଉସ୍ଠାରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଥିଲା। ରଥଯାତ୍ରାଠାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ ମନ୍ଦିର ପ୍ରଶାସନ, ପୁଲିସ ପ୍ରଶାସନ ଓ ବିଭିନ୍ନ ସରକାରୀ ବିଭାଗର ଅଧିକାରୀମାନଙ୍କୁ ନେଇ ଏହି ବୈଠକ ଅନୁଷ୍ଠିତ ହୋଇଛି।
ଆୟୋଜିତ ଏହି ବୈଠକରେ ସେବାୟତମାନେ ଯୋଗ ଦେଇନାହାନ୍ତି। ସେବାୟତମାନଙ୍କ ଦୀର୍ଘ ଦିନ ଦାବି ପ୍ରତି ସରକାର ଉଦାସୀନ ରହିବା ଅଭିଯୋଗ କରି ସେବାୟତମାନେ ଏହି ବୈଠକକୁ ଆସିନଥିବା ଜଣାପଡ଼ିଛି। ତେବେ ରଥଯାତ୍ରାରେ ମହାପ୍ରଭୁଙ୍କ ସବୁ ନୀତିକାନ୍ତିରେ ସେମାନେ ସେମାନଙ୍କ ଦାୟିତ୍ବ ନିର୍ବାହ କରିବେ ବୋଲି ଜଣାଇଦେଇଛନ୍ତି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ବୈଠକରେ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା, ମେୟର ସୁଲୋଚନା ଦାସ, ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ବିଏମ୍ସି ଅତିରିକ୍ତ କମିସନର, ଅତିରିକ୍ତ ଡିସିପି, ଲିଙ୍ଗରାଜ ଥାନା ଅଧିକାରୀ, ଟ୍ରାଫିକ୍ ପୁଲିସ ଅଧିକାରୀ, ଜନସ୍ବାସ୍ଥ୍ୟ ବିଭାଗ ଅଧିକାରୀ, ପୂର୍ତ୍ତବିଭାଗ ଏବଂ ୱାଟ୍କୋର ଅଧିକାରୀମାନେ ଉପସ୍ଥିତ ଥିଲେ।
ସୂଚନା ଥାଉକି, ଆସନ୍ତା ଏପ୍ରିଲ୍ ୨୯ ତାରିଖ ଅପରାହ୍ନ ସାଢ଼େ ୧୨ଟାରୁ ସାଢ଼େ ୧ଟା ମଧ୍ୟରେ ପହଣ୍ଡି ନୀତି ସଂପନ୍ନ ହେବ ଏବଂ ମହାପ୍ରଭୁ ରଥାରୁଢ଼ ହେବେ। ରଥରେ ନୀତିକାନ୍ତି ସରିବା ପରେ ସାଢ଼େ ୩ଟାରୁ ରଥଟଣା ଆରମ୍ଭ ହେବ ବୋଲି ସ୍ଥିର କରାଯାଇଛି। ରଥଯାତ୍ରା ବେଳେ ରାମେଶ୍ୱର ପାଟଣା ଛକ, ଇଲେକ୍ଟ୍ରି ଅଫିସ ଛକ, କେଦାରଗୌରୀ ଛକ, ବଢ଼େଇବାଙ୍କ ଛକଠାରୁ ରାସ୍ତା ସିଲ୍ କରାଯିବ। ସେହିପରି ୱାଟ୍କୋ ପକ୍ଷରୁ ଅସ୍ଥାୟୀ ଟ୍ୟାପ୍ ଜରିଆରେ ପର୍ଯ୍ୟାପ୍ତ ପରିମାଣରେ ପାଣି ଯୋଗାଇ ଦିଆଯିବ।
ରଥଯାତ୍ରାଠାରୁ ବାହୁଡ଼ା ପର୍ଯ୍ୟନ୍ତ ରଥ ଅବସ୍ଥାନ କରିବା ସ୍ଥାନରେ ପୂର୍ବାପେକ୍ଷା ଅଧିକ ଆଲୋକ ବ୍ୟବସ୍ଥା କରାଯିବ। ନେତ୍ର ଉତ୍ସବ ଦିନ କେଦାରଗୌରୀ ନିକଟ ମରିଚି କୁଣ୍ଡ ପାଖରେ ଅସ୍ଥାୟୀ ଗାଧୁଆ ଘର ତିଆରି କରାଯିବ। ମାଉସୀ ମା’ ମନ୍ଦିରଠାରେ ଆଲୋକ ବ୍ୟବସ୍ଥା ଓ ଛାମୁଣ୍ଡିଆ କରାଯିବ। ଡ୍ରେନ୍ ଉପରେ କୌଣସି ସ୍ଥାନରେ ମୁକୁଳା ଅଂଶ ଥିଲେ ସେଠାରେ ସ୍ଲାବ୍ ପକାଯିବ ଏବଂ ଆବଶ୍ୟକସ୍ଥଳେ ବ୍ୟାରିକେଡ୍ କରାଯିବ ବୋଲି ବିଏମ୍ସି ପକ୍ଷରୁ କୁହାଯାଇଛି। ସେହିଭଳି ଯାତ୍ରାକୁ ଲକ୍ଷ୍ୟ ରଖି ପୁରୁଣା ଭୁବନେଶ୍ବରକୁ ଅଧିକ ମୋ’ ବସ୍ ଚଳାଚଳ କରିବ। ରଥ ପଛରେ ଓ ଆଗରେ ଦମକଳବାହିନୀ ଓ ଆମ୍ବୁଲାନ୍ସ ରହିବ। ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତାରେ ଲେନ୍ ଚିହ୍ନଟ ପାଇଁ ଧଳା ଲାଇନ୍ ଟଣାଯିବ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରଥ ଖଳା ପାଖରେ ଅସ୍ଥାୟୀ ସୂଚନା କେନ୍ଦ୍ର ଖୋଲାଯିବ।
ପୌରାଣିକ କିମ୍ବଦନ୍ତୀ ଅନୁସାରେ ପ୍ରଭୁ ରାମଚନ୍ଦ୍ର ରାବଣକୁ ହତ୍ୟାକରି ସୀତାଙ୍କୁ ଉଦ୍ଧାର କରିଥିଲେ। ରାବଣ ବ୍ରାହ୍ମଣ ହୋଇଥିବାରୁ ରାମଚନ୍ଦ୍ରଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଲା। ଏହିପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ କଥା ଅନୁସାରେ ଏକାମ୍ର କ୍ଷେତ୍ରକୁ ଯାଇ ରାମେଶ୍ୱରଠାରେ ହରିହର (ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜାକଲେ। ଏହି ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ କ’ଣ ବର ଚାହଁ ବୋଲି ପଚାରିଲେ। ଶେଷରେ ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ। ସେହିଦିନଠାରୁ ତାଙ୍କୁ ଦର୍ଶନ ଦେବା ଲାଗି ଲିଙ୍ଗରାଜ ମହାପ୍ରଭୁ ରାମେଶ୍ୱର ମନ୍ଦିରକୁ ପାଞ୍ଚଦିନ ପାଇଁ ରଥଯାତ୍ରାରେ ଆସିଥାନ୍ତି। ଉକ୍ତ ପ୍ରଥା ଓ ପରମ୍ପରା ଅନୁସାରେ ଏହି ରଥଯାତ୍ରା ହୋଇ ଆସୁଛି।