Odisha Link
Bridging the Missing Links in Odisha

ମହାନଦୀ ଜଳ ବିବାଦ ମାମଲା: କ୍ଷେତ୍ର ପରିଦର୍ଶନ କରିବ ଟ୍ରିବ୍ୟୁନାଲ ଟିମ୍

ମେ’ ମାସ ମଧ୍ୟରେ ଓଡ଼ିଶା ଗସ୍ତ ଶେଷ କରିବାକୁ ଯୋଜନା ହୋଇଛି।

ଓଏଲ୍‌ ବ୍ୟୁରୋ : ଦୀର୍ଘଦିନ ହେବ ଲାଗିରହିଛି ମହାନଦୀ ଜଳ ବିବାଦ ମାମଲା। ଆଜି ଏହାର ଟ୍ରିବ୍ୟୁନାଲରେ ଶୁଣାଣି ଅବସରରେ କ୍ଷେତ୍ର ପରିଦର୍ଶନ ନିଷ୍ପତ୍ତି ହୋଇଛି। କ୍ଷେତ୍ର ପରିଦର୍ଶନ କରିବ ମହାନଦୀ ଟ୍ରିବ୍ୟୁନାଲ ଟିମ୍। ଦୁଇଟି ଫେଜରେ ଉପର ମୁଣ୍ଡରୁ କଲମା ବ୍ୟାରେଜ ଯାଏ ଗସ୍ତ କରିବାକୁ ଯୋଜନା କରାଯାଇଛି। ପ୍ରଥମ ପର୍ଯ୍ୟାୟର ଦୁଇଟି ଫେଜରେ ଛତିଶଗଡ଼ ପରିଦର୍ଶନ କରିବେ। ଛତିଶଗଡ଼ ଗସ୍ତ ସରିଲେ ଓଡ଼ିଶା ଅଞ୍ଚଳ ଗସ୍ତ ପାଇଁ ନିଷ୍ପତ୍ତି କରାଯାଇଛି। ମେ’ ମାସ ମଧ୍ୟରେ ଓଡ଼ିଶା ଗସ୍ତ ଶେଷ କରିବାକୁ ଯୋଜନା ହୋଇଛି।

ଆସନ୍ତା ଏପ୍ରିଲ ୧୭ରୁ ୨୧ ଓ ଏପ୍ରିଲ ୨୯ରୁ ମେ ୩ ପର୍ଯ୍ୟନ୍ତ ଗସ୍ତ କରିବେ ଟ୍ରିବ୍ୟୁନାଲ ଟିମ୍। ମହାନଦୀ ଅବବାହିକା ଅଞ୍ଚଳର ଉପଅବବାହିକାଗୁଡ଼ିକର ଚୂଡ଼ାନ୍ତ ନକ୍ସା ପ୍ରସ୍ତୁତ ଲାଗି ଓଡ଼ିଶା ଓ ଛତିଶଗଡ଼ର ଅନେକ ପ୍ରସଙ୍ଗ ଉପରେ ଦ୍ବନ୍ଦ୍ବ ଦୂର ହୋଇଥିଲେ ମଧ୍ୟ ଆଉ କିଛି ପ୍ରସଙ୍ଗ ଉପରେ ଦ୍ବନ୍ଦ୍ବ ଜାରିରହିଛି। ଓଡ଼ିଶା ଦ୍ବାରା ଛତିଶଗଡ଼କୁ ଗତ ଡିସେମ୍ବର ୨୭ରେ ଯେଉଁ ଡିଜିଟାଲ୍‌ ଏଲିଭେସନ୍‌ ମଡେଲ୍‌ (ଡିଇଏମ୍‌) ଫାଇଲ୍‌ ପଠାଯାଇଥିଲା ତା’ ଉପରେ ଛତିଶଗଡ଼ ବୈଷୟିକ ଟିମ୍‌ ମତାମତ ରଖିନାହିଁ।

ଫାଇଲ୍‌ରେ ରହିଥିବା ଅସଂଗତି ଉପରେ ମତାମତ ଦେବା ପାଇଁ ଛତିଶଗଡ଼ ପକ୍ଷରୁ ଟ୍ରିବ୍ୟୁନାଲଙ୍କ ଆସେସର୍‌ଙ୍କୁ ଅନୁରୋଧ କରାଯାଇଥିଲା। ଉଭୟ ରାଜ୍ୟ ମଧ୍ୟରେ ଦ୍ବନ୍ଦ୍ବ ଦୂର କରିବା ପାଇଁ ଆସେସରଙ୍କ ଉପସ୍ଥିତିରେ ନିୟମିତ ବୈଠକ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ। ତେବେ ଆଜି ଏହି ମାମଲାର ଶୁଣାଣି ହୋଇଛି। ଶୁଣାଣିରେ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ କରିବା ପାଇଁ ଟ୍ରିବ୍ୟୁନାଲ ଗସ୍ତ କାର୍ଯ୍ୟକ୍ରମ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.