ଭାରତରେ ଲୋକତନ୍ତ୍ର ଉପରେ ଆକ୍ରମଣ ହେଉଛି: ରାହୁଲ ଗାନ୍ଧି
ଆଦାନୀଙ୍କ କଂପାନୀରେ ୨୦ ହଜାର କୋଟି କିଏ ନିବେଶ ସଂସଦରେ ପ୍ରଶ୍ନ କରିଥିଲି।
ଓଏଲ୍ ବ୍ୟୁରୋ : କଂଗ୍ରେସର ସାଂସଦ ରାହୁଲ ଗାନ୍ଧିଙ୍କ ଲୋକସଭା ସାଂସଦ ପଦ ରଦ୍ଦ ହେବା ପରେ ଚର୍ଚ୍ଚା ଜୋର ଧରିଛି। କୋର୍ଟଙ୍କ ଦ୍ବାରା ଦଣ୍ଡାଦେଶ ଘୋଷଣା ପରେ ସଦସ୍ୟତା ରଦ୍ଦ ହୋଇଥିବା ସୂଚନା ମିଳିଥିଲା। ତେବେ ରାହୁଲଙ୍କ ସାଂସଦ ପଦ ରଦ୍ଦ ପରେ ଆଜି ପ୍ରେସମିଟ୍ ମାଧ୍ୟମରେ ସେ ନିଜର ମନ୍ତବ୍ୟ ରଖିଛନ୍ତି। ରାହୁଲ ଗାନ୍ଧି କହିଛନ୍ତି, ବାରମ୍ବାର କହିଛି, ଭାରତରେ ଲୋକତନ୍ତ୍ର ଉପରେ ଆକ୍ରମଣ ହେଉଛି। ଏନେଇ ଆମକୁ ଦୈନିକ ନୂଆ ନୂଆ ଉଦାହରଣ ମିଳିଛି। ଆଦାନୀଙ୍କ କଂପାନୀରେ ୨୦ ହଜାର କୋଟି କିଏ ନିବେଶ କରିଛି। ଆଦାନୀଙ୍କ ସହ ମୋଦିଙ୍କ ସଂପର୍କ ନୂଆ ନୁହେଁ, ବହୁ ପୁରୁଣା ବୋଲି କହିଛନ୍ତି ରାହୁଲ ଗାନ୍ଧି।
ସେ ଆହୁରି ମଧ୍ୟ କହିଛନ୍ତି, ଆଦାନୀଙ୍କ କଂପାନୀରେ ୨୦ ହଜାର କୋଟି କିଏ ନିବେଶ ସଂସଦରେ ପ୍ରଶ୍ନ କରିଥିଲି। ମୋ ପ୍ରଶ୍ନକୁ ବିବରଣୀରୁ ବାଦ୍ ଦିଆଗଲା। ମୋ ସଂପର୍କରେ ମନ୍ତ୍ରୀମାନେ ସଂସଦରେ ମିଛ କହିଲେ। ମୋତେ କହିବାକୁ ସୁଯୋଗ ଦିଆଗଲାନି ବୋଲି କହିଛନ୍ତି ରାହୁଲ ଗାନ୍ଧି। ମୁଁ ପ୍ରଶ୍ନ କରିବି, ମୋତେ କେହି ଡରାଇ ପାରିବେନି। ଡରାଇ, ଧମକାଇ ମୋ ମୁହଁ କେହି ବନ୍ଦ କରିପାରିବେନି ବୋଲି ଗଣମାଧ୍ୟମ ଆଗରେ ନିଜର ମତ ରଖିଛନ୍ତି ରାହୁଲ ଗାନ୍ଧି। ମୁଁ ଭାରତର ଲୋକତନ୍ତ୍ର ପାଇଁ ଲଢୁଛି, ଚୁପ୍ କରିପାରିବେନି। ମୋ ପରବର୍ତ୍ତୀ ଭାଷଣକୁ ଡରି ମୋ ପଦ ରଦ୍ଦ କରାଗଲା। ଏ ଦେଶ ମୋତେ ବହୁତ କିଛି ଦେଇଛି, ଦେଶ ପାଇଁ ଲଢ଼ିବି। ଭାରତର ନ୍ୟାୟ ବ୍ୟବସ୍ଥାକୁ ମୁଁ ସମ୍ମାନ ଜଣାଉଛି ବୋଲି କହିଛନ୍ତି ରାହୁଲ ଗାନ୍ଧି।
ସୂଚନା ଅନୁସାରେ, ମୋଦି ଉପନାମକୁ ନେଇ ରାହୁଲଙ୍କ ଆପତ୍ତିଜନକ ମନ୍ତବ୍ୟ ମାମଲାରେ ରାୟ ଶୁଣାଇଥିଲେ ସୁରତ ଜିଲ୍ଲା ନ୍ୟାୟାଳୟ। ଦାଏର ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି। ଏହି ମାମଲାରେ ଚିଫ୍ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ଏଚ୍. ଏଚ୍. ବର୍ମାଙ୍କ ଅଦାଲତ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧିଙ୍କୁ ୨ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଥିଲେ। ‘ଆଇପିସି’ ଧାରା ୫୦୪ ଅନୁଯାୟୀ ରାହୁଲ୍ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଅନ୍ୟପକ୍ଷେ, ଏହି ମାମଲାରେ ରାହୁଲ୍ ଗାନ୍ଧୀଙ୍କୁ ୩୦ ଦିନ ପାଇଁ ଜାମିନ ମିଳିସାରିଥିଲା। ହେଲେ ବର୍ତମାନ ତାଙ୍କ ଲୋକସଭା ସାଂସଦ ପଦବୀ ଚାଲିଯାଇଥିବା ଜଣା ପଡିଛି। ପଦବୀ ଚାଲି ଯିବା ପରେ କଂଗ୍ରେସ କର୍ମୀମାନେ ବିଭିନ୍ନ ଜାଗାରେ ଏହାକୁ ବିରୋଧ କରୁଛନ୍ତି।