କେନ୍ଦ୍ର ୫ କେଜି ଚାଉଳ ବନ୍ଦ କଲା,ଏହାର ପ୍ରଭାବ ଧାନ କିଣାରେ ପଡ଼ିବ: ଖାଦ୍ୟ ଯୋଗାଣ ମନ୍ତ୍ରୀ
ବର୍ତ୍ତମାନ ସେହି ୫ କେଜି ଚାଉଳ କାଟି ଦେବା ଫଳରେ ପରୋକ୍ଷ ଭାବେ ଧାନ କିଣାରେ ଏହାର ପ୍ରଭାବ ପଡ଼ିବ ବୋଲି କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ।
ଓଏଲ୍ ବ୍ୟୁରୋ : ରାଜ୍ୟରେ ଜାରି ରହିଛି ବିଧାନସଭା ଅଧିବେଶନ। ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ-ବିରୋଧୀ ଦଳ ନେତା ଗୃହରେ ନିଜର ବିବୃତି ରଖୁଛନ୍ତି। ତେବେ ଏହାରି ମଧ୍ୟରେ ଖାଦ୍ୟ ଯୋଗାଣ ମନ୍ତ୍ରୀ ନିଜର ମନ୍ତବ୍ୟ ରଖିଥିଲେ। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି, ରାଜ୍ୟରେ ଖରିଫ ଓ ରବି ଋତୁରେ ୫୪ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହୋଇଥାଏ। ସେଥିରୁ ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟରେ ବ୍ୟବହୃତ ହୋଇଥାଏ। ଆଉ ୩୦ ଲକ୍ଷ ମେଟ୍ରିକ ଟନ ରହିଯାଏ।
ଚଳିତ ବର୍ଷ ଏଫସିଆଇ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ମେଟ୍ରିକ ଟନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬ ଲକ୍ଷ ମେଟ୍ରିକ ଟନ ଚାଉଳ ନେବ ବୋଲି ଚିଠି କରିଛି। ଆହୁରି ୧୮ରୁ ୨୦ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟରେ ବଳି ପଡ଼ିବ, ତାକୁ କିଏ ନେବ ବୋଲି ଗୃହରେ କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ।
ସେ ଆହୁରି ମଧ୍ୟ କହିଛନ୍ତି, ଗତବର୍ଷ କୋଭିଡ ସମୟରେ ଯେଉଁ ଅତିରିକ୍ତ ୫ କେଜି ଚାଉଳ ଦିଆ ଯାଉଥିଲା। ସବୁ ବଳକା ଚାଉଳ ବ୍ୟବହାର ହେଇ ଯାଇଥିଲା। ବର୍ତ୍ତମାନ ସେହି ୫ କେଜି ଚାଉଳ କାଟି ଦେବା ଫଳରେ ପରୋକ୍ଷ ଭାବେ ଧାନ କିଣାରେ ଏହାର ପ୍ରଭାବ ପଡ଼ିବ ବୋଲି କହିଥିଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ। ତେବେ ଏନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ର ମନ୍ତ୍ରୀଙ୍କୁ ଚିଠି ଲେଖିଥିବା କହିଛନ୍ତି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ।