Odisha Link
Bridging the Missing Links in Odisha

ଦେଶରେ କରୋନା ଭୟ, ୫ ମାସରେ ସର୍ବାଧିକ ସକ୍ରିୟ ଆକ୍ରାନ୍ତ ଚିହ୍ନଟ

ଦିନକରେ ସୁସ୍ଥ ହୋଇଛନ୍ତି ୧ ହଜାର ୨୨୨ କୋଭିଡ୍‌ ଆକ୍ରାନ୍ତ।

ଓଏଲ୍‌ ବ୍ୟୁରୋ : ପୁଣି ଡ଼ରାଇଲାଣି କରୋନା ମହାମାରୀ। କିଛି ମାସର ବ୍ୟବଧାନ ପରେ ଆଜି ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇଛି। ଆଜି ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ସଂଖ୍ୟା ୨,୧୦୦ ରୁ ଅଧିକ ହୋଇଥିବାବେଳେ, ଏହା ୫ ମାସରେ ସର୍ବାଧିକ ବୋଲି କୁହାଯାଉଛି। ଦିନକରେ ସୁସ୍ଥ ହୋଇଛନ୍ତି ୧ ହଜାର ୨୨୨ କୋଭିଡ୍‌ ଆକ୍ରାନ୍ତ। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୯୦୩ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ବୁଧବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୨,୧୫୧ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ରେକର୍ଡ କରାଯାଇଛି। ଗତବର୍ଷ ଅକ୍ଟୋବର ୨୮ ତାରିଖ ଦିନ ଦେଶରେ ଦୈନିକ କୋଭିଡ୍‌-୧୯ ସଂକ୍ରମଣ ୨,୨୦୮ ହୋଇଥିବା ରେକର୍ଡ କରାଯାଇଥିଲା। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨,୧୫୧ ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୪,୪୭,୦୯,୬୭୬ରେ ପହଞ୍ଚିଛି।

ଦେଶରେ ଦୈନିକ କୋଭିଡ୍‌-୧୯ ‘ପଜିଟିଭିଟି’ ହାର ୧.୫୧% ଥିବା ବେଳେ ସାପ୍ତାହିକ ‘ପଜିଟିଭିଟି’ ହାର ୧.୫୩% ରହିଥିବା କଥା ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି। ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୦୦କୁ ବୃଦ୍ଧି ପାଇଥିବା ରେକର୍ଡ କରାଯାଇଛି। ଏହା ହେଉଛି ଦେଶର ସମୁଦାୟ ସଂକ୍ରମଣର ୦.୦୩%।