Odisha Link
Bridging the Missing Links in Odisha

ଝାରସୁଗୁଡା ଉପ-ନିର୍ବାଚନରେ ବିଜେଡିରୁ ଲଢ଼ିବେ ନବ ଦାସଙ୍କ ଝିଅ

ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ରୂପେ ଚୟନ କରିଛି ବିଜୁ ଜନତା ଦଳ

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ନିର୍ବାଚନ ପ୍ରକ୍ରିୟା। ନିର୍ବାଚନକୁ ନଜରରେ ରଖି ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି। ତେବେ ଏହାରି ମଧ୍ୟରେ ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ। ତେବେ ଉପ-ନିର୍ବାଚନ ପାଇଁ ବିଜୁ ଜନତା ଦଳ ନିଜର ପ୍ରାର୍ଥୀ ଘୋଷଣା କରିଛି। ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ରୂପେ ଚୟନ କରିଛି ବିଜୁ ଜନତା ଦଳ। ପୂର୍ବରୁ ନିର୍ବାଚନ ତାରିଖ ଘୋଷଣା କରିଥିଲେ ମୁଖ୍ୟ ନିର୍ବାଚନ କମିଶନର। ବର୍ତମାନ ନିର୍ବାଚନକୁ ନଜରରେ ରଖି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିବଂଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଧାୟକ ପ୍ରାର୍ଥୀ ଭାବେ ଚୟନ କରିଛନ୍ତି।

ପୂର୍ବରୁ, ନିର୍ବାଚନ ତାରିଖ ଘୋଷଣା ହେବା ପରେ ପ୍ରତିକ୍ରିୟା ରଖିଥିଲେ ସ୍ୱର୍ଗତ ନବଦାସଙ୍କ ଝିଅ ଦିପାଳୀ ଦାସ। ନବ ଦାସଙ୍କ ଝିଅ କହିଥିଲେ ଯେ, ଆଜି ଦିନ ଆମ ପରିବାର ପାଇଁ ସ୍ୱତନ୍ତ୍ର। ଆଜିର ଦିନରେ ଆଖି ବୁଜିଥିଲେ ପିତା। ଆଉ ଆଜିର ଦିନରେ ହିଁ ନିର୍ବାଚନ ତାରିଖ ଘୋଷଣା ହୋଇଛି। ଝାରସୁଗୁଡା ପାଇଁ ସ୍ୱର୍ଗତ ନବ ଦାସଙ୍କ ଅବଦାନ ଥିଲା ଅତୁଳନୀୟ। ଝାରସୁଗୁଡାବାସୀଙ୍କ ପାଇଁ ଅହରହ ସ୍ୱପ୍ନ ଦେଖୁଥିଲେ, ସାଥିରେ ଥିଲେ। ତେଣୁ ଆଗାମୀ ଦିନରେ ଯିଏ ବି ଝାରସୁଗୁଡା ପାଇଁ ବିଜୁ ଜନତା ଦଳ ରତଫରୁ ପ୍ରାର୍ଥୀ ହେବ, ସେ କାମ କରିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ ନିଷ୍ପତ୍ତି ନେବେ। ଆମେ ଲୋକଙ୍କ ସହ ଅଛୁ, ଲୋକଙ୍କ ପାଇଁ କାମ କରିବୁ। ଝାରସୁଗୁଡାବାସୀଙ୍କ ଭଲପାଇବା, ମୁଖ୍ୟମନ୍ତ୍ରୀଙ୍କ ଆଶିର୍ବାଦ ତାଙ୍କ ପରିବାର ଉପରେ ଥିବା କହିଛନ୍ତି ଦିପାଳୀ ଦାସ।

ଖବର ଅନୁସାରେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ଦେହାନ୍ତ ପରେ ତାଙ୍କ ପଦ ଖାଲି ରହିଛି। ତେବେ ଏହି ପଦବୀ ପୂରଣ ପାଇଁ ଝାରସୁଗୁଡାରେ ଉପ-ନିର୍ବାଚନ ହେବ। ଉପ-ନିର୍ବାଚନକୁ ନେଇ ଝାରସୁଗୁଡାରେ କେଉଁ ଦଳ ଉପ-ନିର୍ବାଚନରେ ବାଜିମାତ କରିବ ଦେଖିବାକୁ ବାକି ରହିଲା। ମେ’୧୦ରେ ଝାରସୁଗୁଡା ଉପ-ନିର୍ବାଚନ ହେବାକୁ ଥିବା ବେଳେ ମେ’୧୩ରେ ଫଳାଫଳ ପ୍ରକାଶ ପାଇବ। ତେବେ ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଆସନ୍ତା ୨୦ ଏପ୍ରିଲ ନାମାଙ୍କନ ଦାଖଲର ଶେଷ ତାରିଖ ହୋଇଥିବାବେଳେ ୨୧ ଏପ୍ରିଲରେ ନାମାଙ୍କନ ପତ୍ର ଯାଞ୍ଚ ହେବ। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ହେଉଛି ୨୪ ଏପ୍ରିଲ।

Leave A Reply

Your email address will not be published.