ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ, ଆଜି ଟିକେଟ୍ ବୁକିଂର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱରରୁ ପୂର୍ବରୁ ମଧ୍ୟ ଆନ୍ତର୍ଜାତିକ ବିମାନ ଉଡ଼ାଣ ହୋଇଛି। ହେଲେ ଦୁବାଇକୁ ସିଧା ବିମାନ ଉଡ଼ାଣରେ ଏହା ହେବ ପ୍ରଥମ ଫ୍ଲାଇଟ।
ଓଏଲ୍ ବ୍ୟୁରୋ: ରାଜଧାନୀ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଯାତ୍ରା କରିବା ହେବ ସହଜ। ଆସନ୍ତା ମେ’ ୧୫ ତାରିଖରୁ ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ। ଏଥିପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଟିକେଟ୍ ବୁକିଂର ଶୁଭାରମ୍ଭ କରିବେ। ଉତ୍କଳ ଦିବସ ଉପଲକ୍ଷେ ଓଡ଼ିଶାକୁ ଭେଟି ସ୍ବରୂପ ଆଜିଠୁ ଟିକେଟ ବୁକିଂ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆନ୍ତର୍ଜାତିକ ବିମାନ ଉଡ଼ାଣରେ ଏହା ପ୍ରଥମ ପାହଚ ରୂପେ ସ୍ବୀକୃତି ପାଇବ। ଭୁବନେଶ୍ୱରରୁ ପୂର୍ବରୁ ମଧ୍ୟ ଆନ୍ତର୍ଜାତିକ ବିମାନ ଉଡ଼ାଣ ହୋଇଛି। ହେଲେ ଦୁବାଇକୁ ସିଧା ବିମାନ ଉଡ଼ାଣରେ ଏହା ହେବ ପ୍ରଥମ ଫ୍ଲାଇଟ।
ସୂଚନା ଅନୁସାରେ, ଗତ ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ୱର ଓ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ଚଳାଚଳ ଆରମ୍ଭ ହେବାକୁ ସ୍ଥିର ହୋଇଥିଲା। ହେଲେ କୌଣସି କାରଣରୁ ଏହା ସମ୍ଭବ ହୋଇପାରିନଥିଲା। କିନ୍ତୁ ଆସନ୍ତା ମାସରେ ଭୁବନେଶ୍ୱରରୁ ଦୁବାଇ ବିମାନ ଚଳାଚଳ ଆରମ୍ଭ ହେବ। ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରର ଟି-୨ ଟର୍ମିନାଲର ନବୀକରଣ କାମ ମେ’ ମାସରେ ଶେଷ ହେବ। ଏହାକୁ ଦୃଷ୍ଟିରେ ରଖି ମେ’ ୧୫ରେ ଦୁବାଇକୁ ବିମାନ ଉଡ଼ାଣ ଆରମ୍ଭ ହେବ। ଏନେଇ ଇଣ୍ଡିଗୋ ଏୟାର୍ ଲାଇନ୍ସ ସହ ରାଜ୍ୟ ସରକାର ଚୁକ୍ତି ସ୍ୱାକ୍ଷର କରିଥିବା ଜଣା ପଡିଛି। ତେବେ ରାଜଧାନୀ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ସଂଯୋଗ ହେବା ନେଇ ଏହି ଉଡାଣ ବ୍ୟବସ୍ତା କରାଯାଇଛି।