Odisha Link
Bridging the Missing Links in Odisha

ମଧୁସୂଦନ ଦାସଙ୍କ ଜନ୍ମ ପୀଠ ପରିଦର୍ଶନ କଲେ ୫ଟି ସଚିବ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ପୀଠର ବିକାଶ ସମ୍ପର୍କରେ ସ୍ଥାନୀୟ ଲୋକ ଓ ପ୍ରଶାସନ ସହ ଆଲୋଚନା କରିଥିଲେ ଭି.କେ.ପାଣ୍ଡିଆନ।

ଓଏଲ୍‌ ବ୍ୟୁରୋ: ଉତ୍କଳ ଦିବସ ଅବସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ପୀଠ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୫ଟି ସଚିବ ଭି କେ ପାଣ୍ଡିଆନ। ସେ ପ୍ରତ୍ୟୁଷରେ କଟକ ଯାଇ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ପୀଠ ପରିଦର୍ଶନ କରିବା ସହ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମ ପୀଠର ବିକାଶ ସମ୍ପର୍କରେ ସ୍ଥାନୀୟ ଲୋକ ଓ ପ୍ରଶାସନ ସହ ଆଲୋଚନା କରିଥିଲେ ଭି.କେ.ପାଣ୍ଡିଆନ।

୫ଟି କାର୍ଯ୍ୟକ୍ରମରେ ବିକାଶ କାମ ହେବ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ଏହାର ଉନ୍ନତି କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପନ କରାଯିବ। ମଧୁ ବାବୁଙ୍କ ଜନ୍ମ ପୀଠରେ ଏକ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବ। ମଧୁବାବୁଙ୍କ ଶହେ ବର୍ଷ ପୁରୁଣା ଉଭୟ ଜନ୍ମ ପୀଠ ଓ କର୍ମ ଭୂମିକୁ ବିକଶିତ କରାଯାଇ ଏହି ଐତିହ୍ୟ ସ୍ଥଳର ସଂରକ୍ଷଣ କରାଯିବ।

ସୂଚନା ଯୋଗ୍ୟ ଯେ, କଲିକତାରୁ ଫେରିବା ପରେ ମଧୁ ବାବୁ ତାଙ୍କ ଜନ୍ମସ୍ଥାନ ନିକଟସ୍ଥ ଏକ ଘରେ ରହି ଓଡ଼ିଶା ମା’ର ସେବାରେ ନିଜକୁ ନିୟୋଜିତ କରିଥିଲେ। ଏହା ତାଙ୍କର କର୍ମ ଭୂମି ଭାବେ ପ୍ରସିଦ୍ଧ। ଜନ୍ମ ପୀଠ ଓ କର୍ମଭୂମିକୁ ସଂଯୋଗ କରୁଥିବା ଗଳି ରାସ୍ତାର ଉନ୍ନତି କରାଯାଇ ଏହାର ପୁନରୁଦ୍ଧାର କରାଯିବ। କୁହାଯାଏ ଯେ ମଧୁବାବୁଙ୍କ ମା ଏହି ରାସ୍ତାରେ ହିଁ ତାଙ୍କ ନିଜ ଜନ୍ମ ପୀଠରୁ ତାଙ୍କ ପାଇଁ କର୍ମଭୂମି ସ୍ଥାନକୁ ପ୍ରତିଦିନ ଖାଦ୍ୟ ନେଇ ଆସୁଥିଲେ। ଏଠାରେ ଲାଇଟ୍ ଓ ସାଉଣ୍ଡ ସୋ’ର ବ୍ୟବସ୍ଥା ମଧ୍ୟ କରାଯିବ। ଏଥିରେ ମଧୁ ବାବୁଙ୍କ ଗୌରବମୟ ଜୀବନୀ ଓ ତାଙ୍କ କୀର୍ତ୍ତିର ଗୁଣଗାନ କରାଯିବ।

ଓଡ଼ିଶା ଓ ଓଡ଼ିଶା ବାହାରୁ ଆସୁଥିବା ଦର୍ଶକ ମାନଙ୍କ ସୁବିଧା ପାଇଁ ବହୁ ଭାଷୀ ବ୍ୟାଖ୍ୟାନର ବ୍ୟବସ୍ଥା ରହିବ। ଉତ୍କଳ ଗୌରବ ମଧୁସୂଦନଙ୍କ ଜନ୍ମପୀଠ ଓ କର୍ମଭୂମିକୁ ‘ଏକକ ସଂଗ୍ରହାଳୟ କମ୍ପ୍ଲେକ୍ସ’ ଭାବେ ବିକଶିତ କରାଯିବ। ମଧୁ ବାବୁଙ୍କ ଜୀବନୀ ଓ ଐତିହ୍ୟ ସ୍ଥଳ ସହ ଜଡିତ ସବୁ ସଂପୃକ୍ତ ବ୍ୟକ୍ତି ମାନଙ୍କ ସହ ଆଲୋଚନା କରାଯାଇ ଏହି ସଂଗ୍ରହାଳୟର ବିକାଶ କରାଯିବ ବୋଲି କହିଛନ୍ତି ୫ଟି ସଚିବ।

Leave A Reply

Your email address will not be published.