Odisha Link
Bridging the Missing Links in Odisha

ବିସ୍ଫୋରଣରେ ଉଡ଼ିଗଲା ପୁଲିସ ଷ୍ଟେସନ, ୧୨ ପୁଲିସ ମୃତ

ଓଏଲ୍‌ ବ୍ୟୁରୋ: ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ। ଉଡ଼ିଗଲା ପୁଲିସ ଷ୍ଟେସନ। ଚାଲିଗଲା ୧୨ରୁ ଉର୍ଦ୍ଧ୍ବ ପୁଲିସଙ୍କ ଜୀବନ। ଏଥିସହିତ ୪୦ରୁ ଅଧିକ ଆହତ ହୋଇଛନ୍ତି। ଏଭଳି ଘଟଣା ଗତକାଲି ରାତିରେ ପାକିସ୍ତାନର ସ୍ବାତରେ ଘଟିଛି। ଯାହାଫଳରେ ସେହି ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

ଗତକାଲି ସୋମବାର ଦିନ ଉତ୍ତର-ପଶ୍ଚିମ ପାକିସ୍ତାନର ସ୍ବାତରେ ଥିବା ଆତଙ୍କୀ ନିରୋଧ ବିଭାଗ ପୁଲିସ ଷ୍ଟେସନରେ ଭୟଙ୍କର ବୋମା ବିସ୍ଫୋରଣ ହୋଇଥିଲା। ପୁଲିସ ଷ୍ଟେସନ ଭିତରେ ଦୁଇ ଦୁଇଟି ବଡ଼ ବିସ୍ଫୋରଣ ହେବା ଯୋଗୁଁ ପୁରା ଷ୍ଟେସନ ଧ୍ବଂସ ହୋଇଯାଇଛି। ଭୟଙ୍କର ବିସ୍ଫୋରଣ ଘଟଣାରେ ଏଯାଏଁ ୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇ ସ୍ବାତ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ସବୁଠୁ ବଡ଼କଥା ହେଲା, ଏହି ବିସ୍ଫୋରଣ ପାଇଁ କୌଣସି ଗୋଷ୍ଠୀ ଏଯାଏଁ ନିଜକୁ ଦାୟୀ କରି ନାହିଁ। ହେଲେ ପାକିସ୍ତାନୀ ତାଲିବାନୀ ଗୋଷ୍ଠୀ ଟିଟିପିର ଏହା ପଛରେ ହାତ ଥିବାର ସନ୍ଦେହ କରାଯାଉଛି। କାରଣ ଟିଟିପି ସେଠାକାର ସେନା ଉପରେ ଏବେ ଗୋଟିଏ ପରେ ଗୋଟିଏ ଆକ୍ରମଣ କରୁଛି। ଏହାସହ ପୁଲିସ କର୍ମୀଙ୍କୁ ମଧ୍ୟ ଟାର୍ଗେଟ କରୁଛି ଏହି ସଙ୍ଗଠନ। ଅନ୍ୟପଟେ ଘଟଣା ପରେ ସୁରକ୍ଷା ଅଧିକାରୀ ହାଇ ଆଲର୍ଟରେ ଅଛନ୍ତି। ଏହା ଆତ୍ମଘାତୀ ବିସ୍ଫୋରଣ ହୋଇନଥିବା ବେଳେ ଯେଉଁ ସ୍ଥାନରେ ଗୁଳି ଓ ମୋର୍ଟାର ଶେଲ୍‌ ରଖାଯାଇଥିଲା ସେହି ସ୍ଥାନରେ ବିସ୍ଫୋରଣ ଘଟିଛି।

Leave A Reply

Your email address will not be published.