Odisha Link
Bridging the Missing Links in Odisha

ଧର୍ମେନ୍ଦ୍ରଙ୍କୁ ଭେଟିଲେ ନୟାଗଡ଼ ନେତ୍ରୀ ପ୍ରତ୍ୟୁଷା

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ଓ ଓଡ଼ିଶା ବିଧାନସଭା ନିର୍ବାଚନକୁ ଆଉ ଏକ ବର୍ଷରୁ କମ୍‌ ସମୟ ରହିଛି। ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ପାଣିପାଗ ସେତେ ବଦଳିବାରେ ଲାଗିଛି। ଯାହାକୁ ନଜରରେ ରଖି ଏବେଠୁ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଲେଣି ଅଙ୍କକଷା। ଗତଥରର ପ୍ରାର୍ଥୀ ଓ ଏଥରର ଆଶାୟୀ ପ୍ରାର୍ଥୀ ଟିକେଟ ପାଇବା ପାଇଁ କରୁଛନ୍ତି ସଙ୍ଗଠନ। ଏସବୁ ମଧ୍ୟରେ ନୟାଗଡ଼ ଆସନରେ ଦେଖିବାକୁ ମିଳିଛି ରୋଚକ ସ୍ଥିତି। କାରଣ ନୟାଗଡ଼ ବିଜେପିରୁ ଇରାନୀ ରୟ ନା ରାଣୀ ପ୍ରତ୍ୟୁଷାଙ୍କୁ ମିଳିବ ଟିକେଟ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି।

ନୟାଗଡ଼ ବିଜେପିରେ ଏବେ ଗତଥରର ବିଜେପି ପ୍ରାର୍ଥୀ ଇରାନୀ ରୟ ଓ ପୂର୍ବତନ ସାଂସଦ ପ୍ରତ୍ୟୁଷା ସିଂଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଛି। କାରଣ ଏହି ଦୁଇ ନେତ୍ରୀ ନୟାଗଡ଼ ଆସନ ପାଇଁ ୨୦୨୪ ନିର୍ବାଚନରେ ଆଶାୟୀ ଅଛନ୍ତି। ଇରାନୀ ରୟ ଓ ପ୍ରତ୍ୟୁଷା ଅଲଗା ଅଲଗା ସଙ୍ଗଠନ କରିବାରେ ଲାଗିଛନ୍ତି। ଯାହାକୁ ଦେଖି ବିଜେପି କାର୍ଯ୍ୟକର୍ତ୍ତା ଦ୍ବନ୍ଦରେ ଅଛନ୍ତି। ଏସବୁ ମଧ୍ୟରେ ରାଣୀ ପ୍ରତ୍ୟୁଷା ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକୁ ସାକ୍ଷାତ କରିଛନ୍ତି। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏପରିକି ନୟାଗଡ଼ ରାଜନୀତିରେ ଏହାକୁ ନେଇ ଆରମ୍ଭ ହୋଇ ସାରିଛି ଚର୍ଚ୍ଚା।

ସୂଚନାଥାଉକି, ପଞ୍ଚାୟତ ନିର୍ବାଚନ ପରଠୁ ଇରାନୀ ରୟ ସଙ୍ଗଠନ ଚଳାଇଥିବା ବେଳେ ସମାନ୍ତରଳ ଭାବେ ରାଣୀ ପ୍ରତ୍ୟୁଷା ରାଜେଶ୍ବରୀ ସଂ ନିଜର ସଙ୍ଗଠନ କରୁଛନ୍ତି। ଏସବୁ ମଧ୍ୟରେ ରାଣୀ ପ୍ରତ୍ୟୁଷାଙ୍କ ଗୋଷ୍ଠୀ ଇରାନୀଙ୍କ ସହ ରହିଥିବା ଗୋଷ୍ଠୀକୁ ନିଜ ଆଡ଼କୁ ଆଣି ମିଶ୍ରଣ ପର୍ବରେ ଲୋକ ଦେଖାଣିଆ କାର୍ଯ୍ୟକ୍ରମ କରିଛନ୍ତି। ଏସବୁ ମଧ୍ୟରେ ରାଣୀଙ୍କ ପୁଅ ଅରଣ୍ୟ ହେମନ୍ଦ୍ର ସେନା ନାମରେ ଏକ ସଙ୍ଗଠନର ନେତୃତ୍ବ ନେଇ ଯୁବ ଗୋଷ୍ଠୀଙ୍କୁ ଏକାଠି କରିବାରେ ଲାଗିଛନ୍ତି।

Leave A Reply

Your email address will not be published.