Odisha Link
Bridging the Missing Links in Odisha

ବିବାଦରେ ‘ଦି କେରଳ ଷ୍ଟୋରି’, ରିଲିଜ ପୂର୍ବରୁ ଚଳଚ୍ଚିତ୍ରକୁ ନେଇ ଅଭିଯୋଗ

ସେ ନର୍ସ ହୋଇ ଲୋକଙ୍କ ସେବା କରିବାକୁ ଚାହୁଁଥିଲେ, କିନ୍ତୁ ଆତଙ୍କବାଦୀ ହୋଇଯାଇଛନ୍ତି।

ଓଏଲ୍‌ ବ୍ୟୁରୋ: ଆସନ୍ତା ମେ’ ୫ରେ ସିନେମା ହଲରେ ରିଲିଜ ହେବାକୁ ଯାଉଛି ସୁଦୀପ୍ତ ସେନଙ୍କ ନିର୍ଦେଶିତ ‘ଦି କେରଳ ଷ୍ଟୋରି’। ଏହି ଚଳଚ୍ଚିତ୍ରର ଟିଜର ରିଲିଜ ହୋଇସାରିଛି। ଅଦା ଶର୍ମାଙ୍କ ଅଭିନୀତ ଫିଲ୍ମ ‘ଦି କେରଳ ଷ୍ଟୋରି’ର ଟିଜର ରିଲିଜ ହେବା ପରଠୁ ଏହାକୁ ନେଇ ବିବାଦ ବଢ଼ିବାରେ ଲାଗିଛି। ନର୍ସରୁ ଆଇଏସଏସ ଆତଙ୍କବାଦୀ ପାଲଟି ଯାଇଥିବା ଯୁବତୀଙ୍କ ବାସ୍ତବ କାହାଣୀ ଉପରେ ଏହା ପର୍ଯ୍ୟବେସିତ। କିଭଳି ଏମାନଙ୍କ ଧର୍ମ ପରିବର୍ତ୍ତନ କରାଗଲା, ହିନ୍ଦୁ ଏବଂ ଖ୍ରୀଷ୍ଟୀୟାନ ଯୁବତୀଙ୍କୁ କିଭଳି ଲଭ୍ ଜିହାଦ ଟ୍ରାପରେ ପକାଇ ମୁସଲିମ କରାଗଲା ସେ ପୂରା କାହାଣୀ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ। କେରଳରେ ଗତ କିଛି ବର୍ଷ ମଧ୍ୟରେ ପାଖାପାଖି ୩୨ ହଜାର ହିନ୍ଦୁ ଝିଅ ନିଖୋଜ ହୋଇଯାଇଛନ୍ତି।

‘ଦି କେରଳ ଷ୍ଟୋରି’ରେ ଅଭିନେତ୍ରୀ ଅଦା ଶର୍ମା ଏକ ବୁର୍କାରେ ନଜର ଆସୁଛନ୍ତି। ଫିଲ୍ମର ଟିଜରରେ ସେ କହୁଛନ୍ତି ଯେ, ସେ ପ୍ରଥମେ ଜଣେ ହିନ୍ଦୁ ଥିଲେ। କିନ୍ତୁ ତାଙ୍କୁ ‘ଶାଲିନୀ ଉନିକ୍ରିଷ୍ଣନ’ରୁ ଜବରଦସ୍ତ ‘ଫତିମା’ କରି ଦିଆଯାଇଛି। ସେ ନର୍ସ ହୋଇ ଲୋକଙ୍କ ସେବା କରିବାକୁ ଚାହୁଁଥିଲେ, କିନ୍ତୁ ଆତଙ୍କବାଦୀ ହୋଇଯାଇଛନ୍ତି। କେରଳର ୩୨,୦୦୦ ମହିଳାଙ୍କ ହୃଦୟ ବିଦାରକ କାହାଣୀ ପ୍ରଦର୍ଶିତ କରାଯାଇଛି। ଏଥିରେ ସେହି ମହିଳାମାନଙ୍କୁ କିପରି ଜୋର ଜବରଦସ୍ତ ଆଇଏସ୍ (ଇସଲାମିକ୍ ଇରାକ ଏବଂ ସିରିଆ) ଆତଙ୍କବାଦୀ ଗୋଷ୍ଠୀରେ ସାମିଲ କରାଯାଉଛି ତାହା ପ୍ରଦର୍ଶିତ ହୋଇଛି। ଯାହାକୁ ନେଇ ବିବାଦ ଜୋର ଧରିଛି।

ଅନ୍ୟପଟେ, ଫିଲ୍ମ କେରଳକୁ ବଦନାମ କରିବା ପାଇଁ ଷଡ଼ଯନ୍ତ୍ର ବୋଲି ଅଭିଯୋଗ ହୋଇଛି। ‘ଦି କେରଳା ଷ୍ଟୋରି’ ବିରୋଧରେ ମାମଲା ରୁଜୁ ଦାବି ପରେ ଏବେ ସିପିଆଇ (ଏମ୍) ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖି ଏହି ଫିଲ୍ମ ନିର୍ମାତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଅମିତ ଶାହଙ୍କୁ ପତ୍ରରେ ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ କହିଛନ୍ତି ଯେ ‘ଦି କେରଳ ଷ୍ଟୋରୀ’ ଦ୍ବାରା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇପାରେ। ଏହି ଫିଲ୍ମ ମିଛ ସୂଚନାର ପ୍ରସାର କରୁଛି ଓ କେରଳକୁ ବଦନାମ କରିବାକୁ ଉଦ୍ଦିଷ୍ଟ। ଏହି ଫିଲ୍ମ ବିରୋଧରେ ଆକ୍ସନ୍ ନେବାକୁ ସେ ଦାବି କରିଛନ୍ତି।

‘ଦି କେରଳ ଷ୍ଟୋରି’ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସୁଦୀପ୍ତ ସେନ୍। ବିପୁଲ ଅମୃତଲାଲ ଶାହା ଏହାର ନିର୍ମାତା। ଅଦା ଶର୍ମା, ଯୋଗିତା ବିହାନୀ, ସୋନିଆ ବାନୀ ଏବଂ ସିଦ୍ଧି ଇଦନାନୀ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଫିଲ୍ମ ହିନ୍ଦୀ,ତାମିଲ, ତେଲୁଗୁ ଏବଂ ମଲୟାଲାମ ଭାଷାରେ ରିଲିଜ୍ ହେବ। ବିବାଦ ମଧ୍ୟରେ ସୁଦୀପ୍ତ ସେନଙ୍କ ନିର୍ଦେଶିତ ଚଳଚ୍ଚିତ୍ର ‘ଦି କେରଳ ଷ୍ଟୋରି’ ବକ୍ସ ଅଫିସରେ କି ପ୍ରଭାବ ପକାଉଛି ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.