Odisha Link
Bridging the Missing Links in Odisha

ଟେଷ୍ଟରେ ନମ୍ବର-୧ ଟିମ୍‌ ଇଣ୍ଡିଆ

ଭାରତ ୨୫ଟି ମ୍ୟାଚ ଖେଳି ୩୦୩୧ ପଏଣ୍ଟ ପାଇବା ସହିତ ୧୨୧ ରେଟିଙ୍ଗ ହାସଲ କରିଛି। ସେହିପରି ଅଷ୍ଟ୍ରେଲିଆ ଦଳ ୨୩ଟି ମ୍ୟାଚ୍‌ ଖେଳି ୨୬୭୯ ପଏଣ୍ଟ ସହିତ ୧୧୬ ରେଟିଙ୍ଗ ହାସଲ କରିଛି।

ଓଏଲ୍‌ ବ୍ୟୁରୋ: କ୍ରିକେଟର ସବୁଠୁ ବଡ଼ ବା ଶ୍ରେଷ୍ଠ ଫର୍ମାଟ ଟେଷ୍ଟ କ୍ରିକେଟରେ ଏକ ନମ୍ବର ହେଲା ଭାରତୀୟ ଦଳ। ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ୍‌ ମଙ୍ଗଳବାର ଜାରି କରିଥିବା ଟେଷ୍ଟ ଟିମ୍‌ ତାଲିକାର ଶୀର୍ଷରେ ଟିମ୍‌ ଇଣ୍ଡିଆ ରହିଛି। ଅଷ୍ଟ୍ରେଲିଆକୁ ପଛରେ ପକାଇ ନମ୍ବର ୧ ସିଂହାସନରେ ବସିଛି ଭାରତ। ଚଳିତବର୍ଷ ଆରମ୍ଭରୁ ଭାରତୀୟ ଟେଷ୍ଟ ଦଳ ଦମଦାର ପ୍ରଦର୍ଶନ କରି ୪ର୍ଥ ଥର ପାଇଁ ବର୍ଡର-ଗାଭାସ୍କର ଟ୍ରଫି ଜିତିଥିଲା। ଅଷ୍ଟ୍ରେଲିଆକୁ ୨-୧ରେ ମାତ୍‌ ଦେଇଥିଲା।

ଭାରତ ୨୫ଟି ମ୍ୟାଚ ଖେଳି ୩୦୩୧ ପଏଣ୍ଟ ପାଇବା ସହିତ ୧୨୧ ରେଟିଙ୍ଗ ହାସଲ କରିଛି। ସେହିପରି ଅଷ୍ଟ୍ରେଲିଆ ଦଳ ୨୩ଟି ମ୍ୟାଚ୍‌ ଖେଳି ୨୬୭୯ ପଏଣ୍ଟ ସହିତ ୧୧୬ ରେଟିଙ୍ଗ ହାସଲ କରିଛି। ଏହିକ୍ରମରେ ଅଷ୍ଟ୍ରେଲିଆ ଟେଷ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ।ସେହିପରି ଇଂଲଣ୍ଡ ୩ୟ ଓ ଦକ୍ଷିଣ ଆଫ୍ରିକା ୪ର୍ଥ ସ୍ଥାନରେ ଅଛନ୍ତି ।

ଆଇସିସିର ବାର୍ଷିକ ର‍୍ୟାଙ୍କିଙ୍ଗ୍‌ ଅପଡେଟ୍‌ ପୂର୍ବରୁ ଅଷ୍ଟ୍ରେଲିଆ ଦଳ ୧୨୨ ପଏଣ୍ଟ ସହ ତାଲିକାର ଶୀର୍ଷରେ ଥିଲା। ଭାରତ ୩ ପଏଣ୍ଟ ପଛରେ ଅର୍ଥାତ୍‌ ୧୧୯ ପଏଣ୍ଟ ସହ ଦ୍ବିତୀୟ ସ୍ଥାନରେ ରହିଥିଲା। ଆଜି ଯେଉଁ ଅପଡେଟ୍‌ ଆଇସିସି ପକ୍ଷରୁ ଦିଆଯାଇଛି ତାହା ୨୦୨୦ ପରଠୁ ଦଳର ପ୍ରଦର୍ଶନକୁ ଧ୍ୟାନରେ ରଖି କରାଯାଇଛି।

କେବଳ ଟେଷ୍ଟ କ୍ରିକେଟରେ ନୁହେଁ ଦିନିକିଆ ଓ ଟି-୨୦ କ୍ରିକେଟରେ ମଧ୍ୟ ଟିମ୍‌ ଇଣ୍ଡିଆର ଦବଦବା ରହିଛି। ଦିନିକିଆ ର‍୍ୟାଙ୍କିଙ୍ଗରେ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ ଓ ଭାରତ ସମାନ ୧୧୩ ପଏଣ୍ଟ ପାଇ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ସେହିଭଳି ଟି-୨୦ରେ ଭାରତ ଶୀର୍ଷ ସ୍ଥାନ ବଜାୟ ରଖିଛି। ୨୬୭ ପଏଣ୍ଟ ସହ ଭାରତ ଟି-୨୦ରେ ପ୍ରଥମରେ ଥିବାବେଳେ ୨୫୯ ପଏଣ୍ଟ ସହ ଇଂଲଣ୍ଡ ଦ୍ବିତୀୟ ସ୍ଥାନରେ ରହିଛି।

ଟିମ୍‌ ଇଣ୍ଡିଆର ଏହି ଖାସ୍‌ ଉପଲବ୍ଧିରେ ବିସିସିଆଇ ସମ୍ପାଦକ ଜୟ ଶାହ ଟ୍ବିଟ୍‌ କରି କହିଛନ୍ତି, ଟିମ୍‌ ଇଣ୍ଡିଆ ଟେଷ୍ଟ ର‍୍ୟାଙ୍କିଙ୍ଗର ପ୍ରଥମ ସ୍ଥାନରେ ଥିବାରୁ ଶୁଭେଚ୍ଛା। ଟେଷ୍ଟ କ୍ରିକେଟରେ ଟପ୍‌ରେ ପହଁଞ୍ଚିବା ହିଁ ସୂଚାଉଛି ଯେ ଆମ ଦଳ ଟେଷ୍ଟ କ୍ରିକେଟ ପ୍ରତି କେତେ ସମର୍ପିତ। ଏଥିରୁ ଏହାବି ସ୍ପଷ୍ଟ ଜଣାପଡ଼ୁଛି ଯେ, ଭାରତୀୟ ଦଳ ଉଭୟ ଦେଶ ଓ ବିଦେଶରେ ଦମଦାର ପ୍ରଦର୍ଶନ କରୁଛି। ଏଥିସହିତ ଭାରତୀୟ ଦଳ ଟି-୨୦ରେ ମଧ୍ୟ ନମ୍ବର-୧ ସ୍ଥାନରେ ଅଛି ବୋଲି ଶ୍ରୀ ଶାହ କହିଛନ୍ତି।

ସୂଚନାଥାଉକି, ଜୁନ ୭ ତାରିଖରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ଖେଳାଯିବ । ଏହି ମହାମୁକାବିଲା ପାଇଁ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଦଳ ଘୋଷଣା କରିସାରିଛନ୍ତି। ଭାରତ ୧୫ ଜଣିଆ ଦଳ ଘୋଷଣା କରିଥିବା ବେଳେ ସେଥିରୁ ୩ ଜଣ ଖେଳାଳି ଆଇପିଏଲ ଖେଳିବା ସମୟରେ ଆହତ ହୋଇଛନ୍ତି। କେଏଲ ରାହୁଲ, ଶାର୍ଦ୍ଦୁଲ ଠାକୁଣ ଓ ଜୟଦେବ ଉନଦାକାତ ଆହତ ହୋଇଛନ୍ତି।

Leave A Reply

Your email address will not be published.