Odisha Link
Bridging the Missing Links in Odisha

ଜିଲ୍ଲା ବାହାରେ ଅରୁଣଙ୍କ ମିଶ୍ରଣ ପର୍ବ

ଓଏଲ୍‌ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜମୁଛି ପ୍ରଚାର। ବିଭିନ୍ନ ଦଳର ଛାମୁଆ ନେତା ଏବେ ଝାରସୁଗୁଡ଼ାରେ ଡେରା ପକାଇ ନିଜ ନିଜ ଦଳ ପାଇଁ କରୁଛନ୍ତି ଜୋରଦାର ପ୍ରଚାର। ଉପନିର୍ବାଚନକୁ ଆଉ ୩ ଦିନ ବାକି ଥିବାବେଳେ ବିଭିନ୍ନ ଦଳ କରୁଛନ୍ତି ଶକ୍ତି ପ୍ରଦର୍ଶନ। ଉପନିର୍ବାଚନ ଝାରସୁଗୁଡ଼ାରେ ହେଉଛି ସତ କିନ୍ତୁ ଏବେ ସବୁଠି ଚର୍ଚ୍ଚାରେ ଝାରସୁଗୁଡ଼ାରେ ନୟାଗଡ଼ ରାଜନୀତି।

ବରିଷ୍ଠ ବିଜେଡି ନେତା ତଥା ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ ବର୍ତ୍ତମାନ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ବର୍ତ୍ତମାନ ବିଧାୟକ ଅରୁଣ ସାହୁ ଝାରସୁଗୁଡ଼ା ପ୍ରଚାର ଦାୟିତ୍ବରେ ଥିବାବେଳେ ସେଠାରେ ନୟାଗଡ଼ ବିଜେଡିରେ ମିଶ୍ରଣ ପର୍ବ ଦେଖିବାକୁ ମିଳିଛି। ଜିଲ୍ଲାରେ ନକରି ନୟାଗଡ଼ଠାରୁ ବହୁ ଦୂରରେ ଝାରସୁଗୁଡ଼ାରେ କାହିଁକି ଅରୁଣ ଏପରି ତରବରିଆ ମିଶ୍ରଣ ପର୍ବ କଲେ ତାହା ନାନାଦି ପ୍ରଶ୍ନବାଚୀ ସୃଷ୍ଟି କରିଛି।

ନୟାଗଡ଼ ନିର୍ବାଚନ ମଣ୍ଡଳୀର ଓଡ଼ଗାଁ ବ୍ଲକର ଗିରିଡିପଲ୍ଲୀ ପଞ୍ଚାୟତର ବିଜେପିର କିଛି ନେତା ଓ କର୍ମୀ ଝାରସୁଗୁଡ଼ା ଯାଇ ବିଧାୟକ ଅରୁଣ ସାହୁଙ୍କୁ ସାକ୍ଷାତ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ଏନେଇ ବିଧାୟକ ଅରୁଣ ସାହୁ କହିଛନ୍ତି, ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଓଡ଼ଗାଁ ବ୍ଲକର ଗିରିଡିପଲ୍ଲୀ ପଞ୍ଚାୟତର ବିଜେପିର ଅନେକ ନେତା ଝାରସୁଗୁଡା ଆସି ମୋତେ ସାକ୍ଷାତ କରି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି।

ଗୋଟିଏ ପଞ୍ଚାୟତରେ ୨୦ରୁ ଅଧିକ ବିଜେପି ନେତା ଥିବା କଥା ନିଜେ ଅରୁଣ ଉଲ୍ଲେଖ କରିଥିବା ବେଳେ ନୟାଗଡ଼ରେ ବିଜେପିର ସଂଗଠନ ସୁଦୃଢ଼ ହେଉଥିବା ଜଣାପଡ଼ିଛି। ତେବେ ନୟାଗଡ଼ ବିଜେପିରେ ଦେଖିବାକୁ ମିଳିଛି ରୋଚକ ସ୍ଥିତି। ନୟାଗଡ଼ ନିର୍ବାଚନ ମଣ୍ଡଳୀରୁ ବିଜେପିରୁ ଇରାନୀ ରାୟ ନା ରାଣୀ ପ୍ରତ୍ୟୁଷାଙ୍କୁ ମିଳିବ ଟିକେଟ ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି। ବିଜେପିର ଏହି ଗୋଷ୍ଠୀ କନ୍ଦଳର ଫାଇଦା ନେବାରେ ବିଳମ୍ବ ନକରି ବିଧାୟକ ଅରୁଣ ସାହୁ ହୁଏତ ତରବରିଆ ଭାବେ ଜିଲ୍ଲା ବାହାରେ ଏଭଳି ମିଶ୍ରଣ ପର୍ବ ଆୟୋଜନ କରିଛନ୍ତି।

Leave A Reply

Your email address will not be published.