Odisha Link
Bridging the Missing Links in Odisha

“ଭୁବନେଶ୍ବର@୭୫ : ପର୍ସ୍ପେକ୍ଟିଭ୍‌ସ” ପୁସ୍ତକ ଉନ୍ମୋଚନ

ସହରର ବିକାଶରେ ନାଗରିକ ସମାଜର ସହଭାଗିତା ଜରୁରୀ: ମେୟର

ଭୁବନେଶ୍ବର: ବିଗତ ୧୦ ବର୍ଷ ଭିତରେ ଭୁବନେଶ୍ବର ସହରର ଦ୍ରୁତ ବିକାଶ ଘଟିଛି। ତେବେ ସହରର ଉନ୍ନତିରେ ସରକାରଙ୍କର ଯେତିକି ଦାୟିତ୍ବ, ନାଗରିକଙ୍କର ଦାୟିତ୍ବ ମଧ୍ୟ ତତୋଧିକ। ଭୁବନେଶ୍ବରର ବିକାଶ ପାଇଁ ନାଗରିକ ସମାଜର ସହଭାଗିତା ଜରୁରୀ ବୋଲି କହିଛନ୍ତି ଭୁବନେଶ୍ବର ମେୟର ସୁଲୋଚନା ଦାସ। ପେନ୍‌ ଇନ୍‌ ବୁକ୍ସ ଦ୍ବାରା ପ୍ରକାଶିତ “ଭୁବନେଶ୍ବର@୭୫ : ପରସ୍ପେକ୍ଟିଭ୍‌ସ” ପୁସ୍ତକ ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମେୟର କହିଛନ୍ତି ଯେ ମାତ୍ର ୭୫ ବର୍ଷ ଭିତରେ ଭୁବନେଶ୍ବର ସହରର ଆଖିଦୃଶିଆ ପରିବର୍ତନ ଘଟିଛି। ପ୍ରାକୃତିକ ଦୁର୍ବିପାକରେ ବାରମ୍ବାର ବିପର୍ଯ୍ୟସ୍ତ ହେଉଥିବା ଏ ସହରର ପରିବେଶ ସନ୍ତୁଳନ, ଜଳ ନିଷ୍କାସନ ଓ ରାସ୍ତାଘାଟ ନିର୍ମାଣ ଦିଗରେ ଏବେ ଯଥେଷ୍ଟ ଗୁରୁତ୍ବ ଦେଉଛି ଭୁବନେଶ୍ବର ମହାନଗର ନିଗମ। ଲୋକଙ୍କ ସହଯୋଗ ମିଳିଲେ ଏ କାମରେ ଶୀଘ୍ର ସଫଳତା ମିଳିବ ବୋଲି ସେ ଆଶା କରିଛନ୍ତି।

ସ୍ଥାନୀୟ ଜୟଦେବ ଭବନଠାରେ ପୂର୍ବାହ୍ଣରେ ଓଡ଼ିଆ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ପକ୍ଷରୁ ଆୟୋଜିତ ଏ ଉତ୍ସବରେ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଐତିହାସିକ କୈଳାଶ ଚନ୍ଦ୍ର ଦାଶ ଭୁବନେଶ୍ବର ସହରର ଦୁଇ ହଜାର ବର୍ଷର ସାମଜିକ ଓ ପ୍ରତ୍ନତାତ୍ବିକ ବିକାଶ ବାବଦରେ ନିଜର ବକ୍ତବ୍ୟ ରଖିଥିଲେ। ଭୁବନେଶ୍ବର ଉପରେ ଅଧିକ ଗବେଷଣା ଜରୁରୀ ଏବଂ ଏ ସହର ସମ୍ପର୍କିତ ସମସ୍ତ ତଥ୍ୟ, ନଥି ଓ ବହିକୁ ସାଇତିବା ପାଇଁ ମହାନଗର ନିଗମ ତରଫରୁ ଏକ ଅଭିଲେଖାଗାର ପ୍ରତିଷ୍ଠା ହେବା ଉଚିତ ବୋଲି ପରାମର୍ଶ ଦେଇଥିଲେ ବିଶିଷ୍ଟ ଲେଖକ ଓ ଅନୁବାଦକ ଯତୀନ୍ଦ୍ର କୁମାର ନାୟକ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ଏଫ୍‌‌ଆଇଡିଆର୍‌ର ଅଧ୍ୟକ୍ଷ ଚାରୁଦତ୍ତ ପାଣିଗ୍ରାହୀ ସହରର ଭବିଷ୍ୟତ ନେଇ ଚିନ୍ତାବ୍ୟକ୍ତ କରିଥିଲେ। ଭବିଷ୍ୟତ ପିଢ଼ିର ସୁବିଧାକୁ ଦୃଷ୍ଟିରେ ରଖି କିଛି ଯୋଜନା ଓ ପଦକ୍ଷେପ ନେଇ ପରାମର୍ଶ ଦେଇଥିଲେ ଶ୍ରୀ ପାଣିଗ୍ରାହୀ। ପୁସ୍ତକ ବାବଦରେ ସୂଚନା ଦେଇ ବରିଷ୍ଠ ସାମ୍ବାଦିକ ଭାସ୍କର ପରିଚ୍ଛା କହିଥିଲେ ଯେ ଭୁବନେଶ୍ବରର ଅତୀତ, ବର୍ତମାନ ଓ ଭବିଷ୍ୟତ ନେଇ ଏ ପୁସ୍ତକରେ ୨୬ଟି ଗବେଷଣାତ୍ମକ ନିବନ୍ଧ ରହିଛି। ସହର ଉପରେ ଗବେଷଣା ପାଇଁ ଏ ପୁସ୍ତକ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ।

ପ୍ରାରମ୍ଭିକ ସୂଚନା ଓ ସ୍ବାଗତ ଅଭିଭାଷଣରେ କଥାଶିଳ୍ପୀ ତଥା ପେନ୍‌ ଇନ୍‌ ବୁକ୍ସର ନିର୍ଦେଶକ ଶୁଭ୍ରାଂଶୁ ପଣ୍ଡା କହିଥିଲେ ଯେ ମଣିଷର ବୟସ ବଢ଼ିଲେ ବୃଦ୍ଧ ହେଉଥିବାବେଳେ ସହରଟିଏ ବୟସ ବଢ଼ିବା ସାଙ୍ଗକୁ ଦିନକୁ ଦିନ ଅଧିକ ତରୁଣ ହେଉଥାଏ। ଭୁବନେଶ୍ବର ସହରରେ ପୂର୍ବ ଅପେକ୍ଷା ଅଧିକ ଯୌବନ ଭରିଛି ବୋଲି ସେ ମତ ଦେଇଥିଲେ। ଆଜି ଉନ୍ମୋଚିତ ପୁସ୍ତକଟି ଭୁବନେଶ୍ବର ସହର ଉପରେ ଇଂରାଜୀରେ ପ୍ରକାଶିତ ପ୍ରଥମ ଗବେଷଣାତ୍ମକ ପୁସ୍ତକ ଏବଂ ଏହା ଭୁବନେଶ୍ବରର ଆତ୍ମାକୁ ଚିହ୍ନିବାରେ ସହାୟକ ହେବ ବୋଲି ସେ କହିଥିଲେ।

କବି ଶିକ୍ଷାବିତ୍‌ ମୃତ୍ୟୁଞ୍ଜୟ ରଥ ମଞ୍ଚ ପରିଚାଳନା କରିଥିଲେ। ଏ ଅବସରରେ ବହିର ଲେଖକ ପ୍ରଦୋଷ ପଟ୍ଟନାୟକ, କୈଳାଶ ଚନ୍ଦ୍ର ଦାଶ, ସୁରେଶ ଚନ୍ଦ୍ର ଷଡ଼ଙ୍ଗୀ, ଭାସ୍କର ପରିଚ୍ଛା, ଆରତୀ ବିଶ୍ବାଳ, ସୂର୍ଯ୍ୟ ମିଶ୍ର, ପ୍ରଦୀପ ବିଶ୍ବାଳ, ଅନୀଲ ଧୀର, ଦେବାଶିଷ ପଟ୍ଟନାୟକ, କପିଳାସ ଭୂୟାଁ, ସୀମନ୍ତ ମହାନ୍ତି, ଜେପି ଜଗଦ୍ଦେବ, ସୁଲୋଚନା ଦାସ, ବିକାଶ ଚୌଧୁରୀ, ଦେବୀ ପ୍ରସନ୍ନ ପଟ୍ଟନାୟକ, ସୁଜାତା ପ୍ରହରାଜ, ଚାରୁଦତ୍ତ ପାଣିଗ୍ରହୀ, ସମ୍ବିତ ଦାସ, ବିଭୂତି ବାରିକ, ସରୋଜ କୁମାର ମହାପାତ୍ର, ଅଭୟ ନାରାୟଣ ନାୟକ, ଶୋଭନ କର, ପୀୟୁଷ ରଞ୍ଜନ ରାଉତ, କୃଷ୍ଣଚନ୍ଦ୍ର ମହାପାତ୍ର, ଅନୁଷ କେ ଚନ୍ଦ୍ରପ୍ପା ଓ ଯତୀନ୍ଦ୍ର କୁମାର ନାୟକଙ୍କୁ ସମ୍ବର୍ଧିତ କରାଯାଇଥିଲା।

ବହିଟି ଖୁବ୍‌ ଶୀଘ୍ର ଆମାଜନ୍‌ରେ ଓ ସ୍ଥାନୀୟ ପୁସ୍ତକାଳୟରେ ଉପଲବ୍ଧ ହେବ ବୋଲି ପେନ୍‌ ଇନ୍‌ ବୁକ୍ସ କର୍ତୃପକ୍ଷ ଜଣାଇଛନ୍ତି

Leave A Reply

Your email address will not be published.