Odisha Link
Bridging the Missing Links in Odisha

ନବ ଦାସ ହତ୍ୟାକାଣ୍ଡ: ଚାର୍ଜସିଟ ଦାଖଲ ପରେ ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

ସବୁ ତଦନ୍ତ ସରିଲେ, ଜଣାଇବୁ ବୋଲି କହିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା।

ଓଏଲ୍‌ ବ୍ୟୁରୋ: ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାକୁ ଆଉ କିଛି ଦିନରେ ପୂରିବ ୪ ମାସ। ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଚାର୍ଜସିଟ୍ ଦାଖଲ କରାଯାଇଛି। ଯାହାକୁ ନେଇ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ନବ ଦାସ ହତ୍ୟାକାଣ୍ଡ ଚାର୍ଜସିଟ ନେଇ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି,ଏବେ କ୍ରାଇମବ୍ରାଞ୍ଚ ଯେଉଁ ଚାର୍ଜସିଟ ଦାଖଲ କରିଛି, ସେଥିରେ କିଛି ଫରମାଲିଟି ବାକି ଅଛି। ତେଣୁ ସବୁ ତଥ୍ୟ ସର୍ବସାଧାରଣ ହେବା କଥା ନୁହେଁ। ଜଣେ ଅବସରପ୍ରାପ୍ତ ଜଜଙ୍କ ତଦାରଖରେ ଏହାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ସବୁ ତଦନ୍ତ ସରିଲେ, ଜଣାଇବୁ ବୋଲି କହିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା।

ଅନ୍ୟପଟେ, ନବ ଦାସ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଚାର୍ଜସିଟ୍‌କୁ ନେଇ ବିଜୟ ମହାପାତ୍ର କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି, କ୍ରାଇମବ୍ରାଞ୍ଚ କଭରଅପ୍‌ ବ୍ରାଞ୍ଚ ଭାବେ ପ୍ରତିପାଦିତ କରିଥିବା ଜଣାପଡୁଛି। କ୍ରାଇମବ୍ରାଞ୍ଚ ପାଖରୁ ଲୋକେ ଯାହା ଆଶା କରିଥିଲେ, ତାହା ହେଲାନି। ଏଭଳି ହାଇପ୍ରୋଫାଇଲ୍‌ ମର୍ଡରର ପ୍ରକୃତ ତଦନ୍ତ ହେଲାନାହିଁ। ଷଡ଼ଯନ୍ତ୍ର ଓ ହତ୍ୟା ଉଦ୍ଦେଶ୍ୟ ଦିଗରେ ତଦନ୍ତ ହୋଇନଥିବା ଲାଗୁଛି। ଏଫବିଆଇ ତଦନ୍ତ ଚିଠି ପ୍ରସଙ୍ଗରେ କିଏ ସତ କହୁଛି ଲୋକେ ବିଚାର କରିବେ ବୋଲି ବିଜୟ ମହାପାତ୍ର କରିଛନ୍ତି।

ବହୁଚର୍ଚ୍ଚିତ ପୂର୍ବତନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଦାଖଲ ହୋଇଥିବା ଚାର୍ଜସିଟରେ ରହିଥିବା ତଥ୍ୟ ନେଇ କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ଯେ, ଗୋପାଳ ପାଗଳ ନଥିଲା ବୋଲି ସ୍ପଷ୍ଟ ହୋଇଛି। ସଂପୂର୍ଣ୍ଣ ସୁସ୍ଥ ମସ୍ତିଷ୍କରେ ଗୋପାଳ ହତ୍ୟା କରିଥିବା କହିଲା କ୍ରାଇମବ୍ରାଞ୍ଚ। ହତ୍ୟା ଘଟଣା ପରେ ଗୋପାଳ ପାଗଳ ଥିବା ପରିବାର କହିଥିଲେ।

ତଦନ୍ତ ଅନୁଯାୟୀ ଗୋପାଳ ବ୍ୟକ୍ତିଗତ ଆକ୍ରୋଶରୁ ହତ୍ୟା କରିଛି। ନବଙ୍କ ପ୍ରତି ଗୋପାଳ ମନରେ ବ୍ୟକ୍ତିଗତ ଆକ୍ରୋଶ, ରାଗ ସୃଷ୍ଟି ହୋଇଥିଲା। ନବ ଦାସ ଓ ତାଙ୍କ ସମର୍ଥକଙ୍କ ପଟୁ ବିପଦ ଥିବା ଗୋପାଳ ଭାବୁଥିଲା ବୋଲି ଚାର୍ଜସିଟରେ ଉଲ୍ଲେଖ ରଖିଛି। ନବଙ୍କୁ ହତ୍ୟା କରିବା ପାଇଁ ଗୋପାଳ ମନସ୍ଥ କରିଥିଲା। ହତ୍ୟାପାଇଁ ସେ ଯୋଜନା ପ୍ରସ୍ତୁତ କରିଥିଲା ଓ ତାକୁ କାର୍ଯ୍ୟରେ ଲଗାଇଥିଲା। ତେବେ ଗୋପାଳ ମନରେ କାହିଁକି ଆକ୍ରୋଶ ଥିଲା ଲେଖିନି କ୍ରାଇମବ୍ରାଞ୍ଚ।

ଖବର ଅନୁସାରେ, ଗତ ଜାନୁଆରୀ ୨୯ ତାରିଖରେ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କରାଯାଇଥିଲା। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ ପିସ୍ତଲ ସହ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଥିଲା। ଅଭିଯୁକ୍ତ ଗୋପାଳ ବର୍ତ୍ତମାନ ଜେଲରେ ଦିନ କାଟୁଛି। ଅଭିଯୁକ୍ତ ଗୋପାଳର ଗୁଜରାଟ ଗାନ୍ଧୀନଗର ସ୍ଥିତ ଫରେନସିକ୍ ଲ୍ୟାବରେ ପଲିଗ୍ରାଫ୍ ଓ ନାର୍କୋ ଟେଷ୍ଟ କରାଯାଇଥିଲା।

Leave A Reply

Your email address will not be published.