Odisha Link
Bridging the Missing Links in Odisha

ନୂଆ ସଂସଦରେ ବନାନ ତ୍ରୁଟି, ଓଡ଼ିଆ ଲେଖକଙ୍କ ବିରୋଧ

ଭୁବନେଶ୍ବର: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦ୍‌ଘାଟିତ ନୂଆ ସଂସଦ ଭବନରେ ଓଡ଼ିଆ ସହରର ନାମ ଭୁଲ ଲେଖାଯାଇଛି। ଏ ନେଇ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଓଡ଼ିଆ ଲେଖକ ଶୁଭ୍ରାଂଶୁ ପଣ୍ଡା। ସେ ଟୁଇଟ୍‌ କରି ତ୍ରୁଟିର ସଂଶୋଧନ ପାଇଁ ପ୍ରଧାନମନ୍ତ୍ରୀ ଓ ଲୋକସଭା ବାଚସ୍ପତିଙ୍କୁ ଅନୁରୋଧ କରିଛନ୍ତି।

ନୂଆ ସଂସଦ ଭବନରେ ପୁରାତନ ଭାରତର ଏକ ମାନଚିତ୍ର ସ୍ଥାପନ କରାଯାଇଛି। ଏଥିରେ ପ୍ରାଚୀନ ଓଡ଼ିଶାର ଦୁଇ ଐତିହାସିକ ସହର ‘ସମାପ’ ଓ ‘ତୋଷାଳି’ ସ୍ଥାନ ପାଇଛି। ତେବେ ହିନ୍ଦୀରେ ସମାପକୁ ‘ସମାପା’ ଓ ତୋଷାଳିକୁ ‘ତୋସଳୀ’ ବୋଲି ଲେଖାଯାଇଥିବା ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି ଶ୍ରୀ ପଣ୍ଡା।

ଓଡ଼ିଆ ଶବ୍ଦ ହିନ୍ଦୀରେ ଲେଖିବାବେଳେ କୌଣସି ଓଡ଼ିଆ ବ୍ୟକ୍ତି ଅଥବା ସରକାରଙ୍କ ସହ କାମ କରୁଥିବା ଓଡ଼ିଆ ନେତାଙ୍କ ପରାମର୍ଶ ନେଇଥିଲେ ଭଲ ହୋଇଥାଆନ୍ତା ବୋଲି ପରାମର୍ଶ ଦେଇଛନ୍ତି ଶ୍ରୀ ପଣ୍ଡା। ତୁରନ୍ତ ଏହି ଶବ୍ଦକୁ ସୁଧାରିବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ସୂଚନାଥାଉକି, ନୂତନ ପାର୍ଲାମେଣ୍ଟ ଗୃହରେ ରହିଛି ୩ଟି ପ୍ରବେଶ ପଥ। ଯାହାର ନାଁ ରଖାଯାଇଛି ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଓ କର୍ମ ଦ୍ୱାର। ୪ ମହଲା ବିଶିଷ୍ଟ ନୂତନ ସଂସଦ ଭବନରେ ହୋଇଛି ୧୨ ଶହ ୭୨ ସାଂସଦଙ୍କ ପାଇଁ ବସିବା ବ୍ୟବସ୍ଥା। ଲୋକସଭାରେ ୮୮୮ ସିଟ୍ ଥିବା ବେଳେ, ରାଜ୍ୟସଭାରେ ରହିଛି ୩୮୪ ଆସନ। ପୁରୁଣା ପାର୍ଲାମେଣ୍ଟ ଠାରୁ ନୂଆରେ ପ୍ରାୟ ୫ଶହ ସିଟ୍ ଅଧିକ।

ଜାତୀୟ ପକ୍ଷୀ ମୟୂର ଶୈଳୀରେ ଲୋକସଭା ନିର୍ମିତ ହୋଇଥିବାବେଳେ ଜାତୀୟ ପୁଷ୍ପ ପଦ୍ମ ଦ୍ୱାରା ପ୍ରେରିତ ହୋଇଛି ରାଜ୍ୟସଭା। ନୂଆ ସଂସଦ ସୌଧରେ ପ୍ରତିଟି ସାଂସଦଙ୍କ ସିଟରେ ରହିଛି ମଲ୍ଟିମିଡିଆ ଡିସପ୍ଲେ। ଯୋଗାଯୋଗ ପାଇଁ ଅଛି ଅତ୍ୟାଧୁନିକ ବ୍ୟବସ୍ଥା। ବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ହଟ୍ଟଗୋଳ କରିବା ଭଳି ଘଟଣା ଏଡାଇବାକୁ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇଛି।

Leave A Reply

Your email address will not be published.