Odisha Link
Bridging the Missing Links in Odisha

ନ୍ୟାୟ ପାଇଁ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ, ସମର୍ଥନରେ ୧୯୮୩ ବିଶ୍ୱକପ୍ ବିଜୟୀ ଭାରତୀୟ ଦଳ

ଓଏଲ୍‌ ବ୍ୟୁରୋ: ନ୍ୟାୟ ପାଇଁ ନୂଆଦିଲ୍ଲୀ ଯନ୍ତରମନ୍ତରରେ ଲଢ଼େଇ କରୁଛନ୍ତି ଦେଶର ଷ୍ଟାର କୁସ୍ତିଯୋଦ୍ଧାମାନେ। ଦିନ ଗଡ଼ିବା ସହିତ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ପ୍ରତି ସମର୍ଥନ ବଢ଼ିବାରେ ଲାଗିଛି। ଗତକାଲି ବିଜେପି ସାଂସଦ ପ୍ରୀତମ ମୁଣ୍ଡେ ପରୋକ୍ଷରେ ଆନ୍ଦୋଳନକୁ ସମର୍ଥନ ଜଣାଇଥିବା ବେଳେ ଏବେ ୧୯୮୩ ବିଶ୍ୱକପ୍ ବିଜେତା ଟିମ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବୟାନ ଦେଇଛନ୍ତି।

୧୯୮୩ ବିଶ୍ୱକପ୍ ବିଜେତା ଟିମ୍ ତରଫରୁ ମିଳିତ ବୟାନରେ କୁହାଯାଇଛି କି, ଆନ୍ଦୋଳନ ରତ କୁସ୍ତିଯୋଦ୍ଧା ମାନଙ୍କୁ ଅସମ୍ମାନ କରାଯିବାକୁ ଟିମ୍‌ ସଦସ୍ୟମାନେ ଘୋର ନିନ୍ଦା କରିଛନ୍ତି। ଦିଲ୍ଲୀ ପୁଲିସ ରେସଲରଙ୍କ ଉପରେ ଜୋରଜବରଦସ୍ତି କରିଥିବା ଅଭିଯୋଗ ମଧ୍ୟ ଲଗାଇଛନ୍ତି। ସୁନିଲ ଗାଭାସ୍କର, ତତ୍କାଳିନ ଟିମ୍ ଅଧିନାୟକ କପିଲ ଦେବ, ରୋଜର ବିନିଙ୍କ ସମେତ ଟିମର ଅଧିକାଂଶ ଖେଳାଳି ରାସଲରମାନଙ୍କୁ ନ୍ୟାୟ ମିଳିବ ବୋଲି ଆଶ୍ୱାସନା ଦେଇଛନ୍ତି। ଧର୍ଯ୍ୟ ନହରାଇବା ସହ ଗଙ୍ଗାରେ ରେସଲରମାନେ ପାଇଥିବା ବହୁ କଷ୍ଟ ଅର୍ଜିତ ମେଡାଲ ନ ଫୋପାଡିବାକୁ ପରାମର୍ଶ ଦେଇଛନ୍ତି। ଖୁବ୍‌ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବୁଝାଇଛନ୍ତି।

ସୂଚନା ଥାଉକି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ, ସାକ୍ଷୀ ମଲ୍ଲିକ ଓ ଭିନେଶ ଫୋଗାଟଙ୍କ ସହ ଅନେକ ବରିଷ୍ଠ କୁସ୍ତିଯୋଦ୍ଧା ଦିଲ୍ଲୀରେ ପ୍ରଦର୍ଶନ ଜାରି ରଖିଛନ୍ତି। ଏହି ପ୍ରଦର୍ଶନ ସ୍ଥଳରୁ ସେମାନଙ୍କୁ ଉଠାଇଦେବାକୁ କିଛିଦିନ ତଳେ ଦିଲ୍ଲୀ ପୁଲିସ ସେମାନଙ୍କ ଉପରେ ବଳ ପ୍ରୟୋଗ କରିଥିଲା।

ସୂଚନାଯୋଗ୍ୟ, ଧାରଣା ଦେଉଥିବା କୁସ୍ତିଯୋଦ୍ଧା ମାନେ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ବ୍ରିଜ୍ ଭୂଷଣଙ୍କୁ ପଦରୁ ହଟାଇବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ରେସଲମାନଙ୍କ ଏହି ଆନ୍ଦୋଳଦକୁ ଅନେକ ଜଣାଶୁଣା ଲୋକ, ନେତାଙ୍କ ସମର୍ଥନରେ ମିଳିଛି।

Leave A Reply

Your email address will not be published.