Odisha Link
Bridging the Missing Links in Odisha

କରମଣ୍ଡଳ ଟ୍ରେନ୍ ଦୁର୍ଘଟଣା: ଖେଳାଳିଙ୍କ ହାତରେ କଳା ବ୍ୟାଣ୍ଡ

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା। ଇଂଲଣ୍ଡର ଓଭାଲ୍‌ ଗ୍ରାଉଣ୍ଡରେ ଆରମ୍ଭ ହୋଇ ସାରିଛି ବୋବାଲ୍‌। ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଯାହାଫଳରେ ପ୍ରଥମେ ବ୍ୟାଟିଂ କରୁଛି ଅଷ୍ଟ୍ରେଲିଆ। ତେବେ ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ଆରମ୍ଭ ପୂର୍ବରୁ ନିକଟରେ ଓଡ଼ିଶାର ବାହାନଗାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ୧ ମିନିଟି ନିରବ ପ୍ରାର୍ଥନା କରାଯାଇଛି। ଷ୍ଟାଡିୟମରେ ଉପସ୍ଥିତ ଥିବା ସମସ୍ତ ଦର୍ଶକଙ୍କଠୁ ଆରମ୍ଭ କରି ଗ୍ରାଉଣ୍ଡ ଷ୍ଟାଫ୍‌ ପ୍ରମୁଖ ନିରବ ପ୍ରାର୍ଥନା କରିଥିଲେ।

ଭାରତ-ଅଷ୍ଟ୍ରେଲିିଆ ମହାମୁକାବିଲା ପୂର୍ବରୁ ଦୁଇ ଦଳ ପଡ଼ିଆକୁ ପ୍ରବେଶ କରିଥିଲେ। ନିକଟରେ ଓଡ଼ିଶାର ବାଲେଶ୍ବର ବାହାନଗାରେ ହୋଇଥିବା ଟ୍ରେନ୍‌ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା କରିଥିଲେ। ଏଥିସହିତ ମୃତକଙ୍କୁ ସମ୍ମାନ ଜଣାଇ ଉଭୟ ଭାରତ ଓ ଅଷ୍ଟ୍ରେଲିଆ ଖେଳାଳିଙ୍କ ସମେତ ଅମ୍ପାୟର ମାନେ ମଧ୍ୟ ହାତରେ କଳା ବ୍ୟାଣ୍ଡ ପରିଧାନ କରିଥିବାର ଦେଖିବାକୁ ମିଳିଛି।

ସୂଚନାଥାଉକି, ଜୁନ୍‌ ୨ ତାରିଖ ସନ୍ଧ୍ୟା ସମୟରେ ସାରା ବିଶ୍ବକୁ ସ୍ତବ୍ଧ କଲାଭଳି ଓଡ଼ିଶାର ବାଲେଶ୍ବର ଜିଲ୍ଲା ବାହାନଗାରେ କରମଣ୍ଡଳ ଏକ୍ସପ୍ରେସ୍‌ ଦୁର୍ଘଟଣା ଘଟିଥିଲା। ଯାହାରିଫଳରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିଲା। ଆଉ ହଜାରେରୁ ଅଧିକ ଲୋକ ଆହତ ହୋଇଥିଲେ।

ମହାମୁକାବିଲା ପାଇଁ ମୈଦାନ ପ୍ରସ୍ତୁତ ଥିବାବେଳେ ଖେଳାଳି ବି ପ୍ରସ୍ତୁତ ରହିଛନ୍ତି। ବିଶ୍ବର ଦୁଇ ଶକ୍ତିଶାଳୀ କ୍ରିକେଟ ଦଳ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ ଏହି ମହାମୁକାବିଲା। ବିଶ୍ବ ଟେଷ୍ଟ ଚାମ୍ପିଅନସିପ୍‌ ଫାଇନାଲ ମୁକାବିଲା ପୂର୍ବରୁ ଭାରତୀୟ ଦଳ ସସେକ୍ସ କାଉଣ୍ଟି ଗ୍ରାଉଣ୍ଡରେ ଜୋରଦାର ପ୍ରସ୍ତୁତ କରିଥିଲା। କଙ୍ଗାରୁବାହିନୀକୁ ମାତ୍‌ ଦେଇ ବିଶ୍ବ ବିଜେତା ହେବାକୁ ଲକ୍ଷ୍ୟ ରହିଛି ରୋହିତବାହିନୀ। ତେବେ ଅଭିଜ୍ଞ ଖେଳାଳି ରବିଚନ୍ଦ୍ରନ ଅଶ୍ବିନୀଙ୍କ ବିନା ପଡ଼ିଆକୁ ଓହ୍ଲାଇଛି ଭାରତ।

ଭାରତ ଚୂଡ଼ାନ୍ତ ଏକାଦଶ: 

ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଚେତେଶ୍ବର ପୂଜାରା, ବିରାଟ କୋହଲି, ଆଜିଙ୍କ୍ୟ ରାହାଣେ, ରବୀନ୍ଦ୍ର ଜାଡେଜା, କେଏସ ଭରତ, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସାମି, ମହମ୍ମଦ ସିରାଜ, ଉମେଶ ଯାଦବ ।

ଅଷ୍ଟ୍ରେଲିଆ ଚୂଡ଼ାନ୍ତ ଏକାଦଶ:

ଡେଭିଡ ଓ୍ବାର୍ଣ୍ଣର, ଉସମାନ ଖ୍ବାଜା, ମାର୍ନୁସ ଲାବୁସେନ, ଷ୍ଟିଭ୍‌ ସ୍ମିଥ, ଟ୍ରାଭିସ୍‌ ହେଡ, କାମ୍ୟରେନ ଗ୍ରୀନ, ଆଲେକ୍ସ କ୍ୟାରୀ, ପ୍ୟାଟ କମିନ୍ସ (ଅଧିନାୟକ), ମିଚେଲ ଷ୍ଟାର୍କ, ନାଥନ ଲାୟନ, ସ୍କଟ ବୋଲାଣ୍ଡ

Leave A Reply

Your email address will not be published.