Odisha Link
Bridging the Missing Links in Odisha

ବିରୋଧୀଙ୍କ ବୈଠକ ପୂର୍ବରୁ ଆକ୍ସନମୁଡରେ ବିଜେପି

ଓଏଲ୍‌ ବ୍ୟୁରୋ: ୨୦୨୪ରେ ଦେଶରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ। ଏହାକୁ ନଜରରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ରଣନୀତି। ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଚଳିତ ବର୍ଷ ଶେଷ ମଧ୍ୟରେ ୫ଟି ରାଜ୍ୟରେ ହେବ ବିଧାନସଭା ନିର୍ବାଚନ। ଯେଉଁଥିପାଇଁ ଏବେଠୁ ସାରେ ଦେଶରେ ଦେଖିବାକୁ ମିଳିଲାଣି ନିର୍ବାଚନ ମାହୋଲ।

କେନ୍ଦ୍ରର ଶାସନାଧୀନ ଏନିଡିଏ ସରକାର ବିପକ୍ଷରେ ବିରୋଧୀ ଦଳ କରୁଛନ୍ତି ବଡ଼ ମେଳି। ଏନଡିଏ ବିରୋଧୀ ରାଜନୈତିକ ଦଳମାନେ ଜୁନ ୨୩ ତାରିଖରେ ବିହାରର ପାଟନାଠାରେ ମହାବୈଠକ କରିବାକୁ ସ୍ଥିର କରିଛନ୍ତି। ଏହି ବୈଠକର ନେତୃତ୍ୱ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନେଉଥିବା ବେଳେ ଏହି ବୈଠକରେ କଂଗ୍ରେସ ମହାସଚିବ ମଲ୍ଲିକାର୍ଜୁନ ଖଡଗେ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍‌ ପ୍ରମୁଖ ଯୋଗ ଦେଉଥିବାର ସୂଚନା ରହିଛି।

ଅନ୍ୟପଟେ ବିରୋଧୀଙ୍କ ମହାବୈଠକ ପୂର୍ବରୁ ଭାରତୀୟ ଜନତା ପାର୍ଟି ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରଣକୌଶଳ ଆପଣେଇବା ଆରମ୍ଭ କରିଛି। ବିଜେପି ତରଫରୁ ଜୁନ ୧୧ ଓ ୧୨ ତାରିଖରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ବୈଠକ ଡକାଯାଇଛି।ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ପାର୍ଟିର ମହାସଚିବ ବଏଲ ସନ୍ତୋଷ ଓ ରାଜ୍ୟ ସଂଗଠନର ସଚିବ ସାମିଲ ହେବେ।

ବିରୋଧୀଙ୍କ ବୈଠକ ପୂର୍ବରୁ ବିଜେପିର ଏହି ବୈଠକକୁ ନେଇ ଜାତୀୟ ରାଜନୀତି ଆହୁରି ସରଗରମ ହୋଇ ଉଠିଛି। ରାଜନୈତିକ ବିଶେଷଜ୍ଞ କହିଛନ୍ତି ଯେ, ବିଜେପି ସବୁବେଳେ ନିର୍ବାଚନୀ ମୋଡରେ ରହିଥାଏ। ୨୦୧୪ରୁ ୨୦୧୯ରେ ଦେଶରେ ବିଜେପି ସପକ୍ଷରେ ଲହର ଥିଲା। ହେଲେ ଏବେ ସ୍ଥିତି କିଛି ଅଲଗା ହୋଇଛି। ୨୦୨୪ ରଣାଙ୍ଗନକୁ ଓହ୍ଲାଇବା ପୂର୍ବରୁ ସବୁ ଶାସିତ ରାଜ୍ୟ ଗୁଡ଼ିକରେ ଦଳର ସ୍ଥିତି କ’ଣ ରହିଛି ଜାଣିବାକୁ ଏହି ବୈଠକ ହୋଇ ପାରିଥାଏ ବୋଲି ଚର୍ଚ୍ଚା ହେଉଛି।

Leave A Reply

Your email address will not be published.