Odisha Link
Bridging the Missing Links in Odisha

“ଭଗବାନ ହନୁମାନ ଆଦିବାସୀ ଥିଲେ”

ଓଏଲ୍‌ ବ୍ୟୁରୋ: ଆଗାମୀ ଦିନରେ ହେବାକୁ ଯାଉଛି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ। ଏଥିପାଇଁ ସମସ୍ତ ଦଳ ଆରମ୍ଭ କରି ସାରିଲେଣି ପ୍ରସ୍ତୁତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିଜେପିର ହିନ୍ଦୁତ୍ବର ଜବାବରେ କଂଗ୍ରେସ ସଫ୍ଟହିନ୍ଦୁତ୍ବ ( ଉଦାରବାଦୀ ହିନ୍ଦୁତ୍ବ) ଆଭିମୁଖ୍ୟ ଗ୍ରହଣ କରିଥିଲା। ଯାହା ଦଳକୁ ଫାଇଦା ଦେଇଥିଲା। ଉଦାରବାଦୀ ହିନ୍ଦୁତ୍ବକୁ ମଧ୍ୟ କଂଗ୍ରେସ ଏବେ ଅସ୍ତ୍ର କରିଛି। ଭଗବାନ ହନୁମାନ ଆଦିବାସୀ ଥିଲେ ବୋଲି ମଧ୍ୟପ୍ରଦେଶର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ତଥା କଂଗ୍ରେସର ଗନ୍ଧୱାନି ବିଧାୟକ ଉମାଙ୍ଗ ସିଙ୍ଘହର କହିଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି।

ଆଦିବାସୀ ନେତା ତଥା ସ୍ବାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ୧୨୩ତମ ଶ୍ରାଦ୍ଧ ବାର୍ଷିକରେ ବିଧାୟକ ଉମାଙ୍ଗ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ଭଗବାନ ରାମଙ୍କୁ ଆଦିବାସୀମାନେ ହିଁ ଲଙ୍କାକୁ ନେଇ ଥିଲେ। କିଛି ଲୋକ ବହିରେ ଲେଖିଛନ୍ତି ଯେ ସେମାନେ ବାନର ସେନା ଥିଲେ। ତେବେ ସେମାନେ ବାନର ନଥିଲେ। ସେମାନେ ଆଦିବାସୀ ଥିଲେ। ସେମାନେ ଜଙ୍ଗଲରେ ରହୁଥିଲେ। ଭଗବାନ ହନୁମାନ ମଧ୍ୟ ଜଣେ ଆଦିବାସୀ ଥିଲେ। ଆମେ ସେମାନଙ୍କ ବଂଶଧର ବୋଲି ଆଜି ଗର୍ବିତ।

ଉମାଙ୍ଗ ଏଭଳି ବୟାନ ପରେ ବିଜେପି କଡ଼ା ଟାର୍ଗେଟ କରିଛି। ବିଜେପି ମୁଖପାତ୍ର ହିତେଶ ବାଜପାଇ ଟ୍ବିଟ କରି କହିଛନ୍ତି ଯେ ସେମାନେ ହନୁମାନଜୀଙ୍କୁ ଭଗବାନ ଭାବେ ବିଚାର କରୁ ନାହାନ୍ତି। ହନୁମାନଜୀଙ୍କୁ ହିନ୍ଦୁମାନେ ପୂଜା କରନ୍ତୁ ବୋଲି ସେମାନେ ଚାହାନ୍ତି ନାହିଁ।

ସେ ଆହୁରି କହିଛନ୍ତି ଯେ, ସେମାନେ ହନୁମାନଜୀଙ୍କୁ ଅପମାନିତ କରିଛନ୍ତି। କ’ଣ ଏହି ବ୍ୟକ୍ତି ଜଣଙ୍କ କଂଗ୍ରେସର ପୂର୍ବତନ କ୍ୟାବିନେଟ ସଦସ୍ୟ ନୁହନ୍ତି, ଯାହାଙ୍କ ବିରୋଧରେ ଦୁଷ୍କର୍ମ ଓ ଯୌନ ନିର୍ଯାତନାର ଅଭିଯୋଗ ଆସିଛି?

Leave A Reply

Your email address will not be published.