ପିଛା ଛାଡ଼ୁନି ଦୁର୍ଘଟଣା; ଭାରସାମ୍ୟ ହରାଇ ଓଲଟିଲା ବସ୍, ୧୦ ଆହତ
ବସ୍ଟି ବାଲେଶ୍ବରର ଚନ୍ଦନେଶ୍ବରରୁ ବାରିପଦା ଆସୁଥିଲା

ଓଏଲ୍ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିର ଖେମୁଣ୍ଡି କଲେଜ ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଖବରର ଦୁଃଖ ନସରୁଣୁ ଆଉ ଏକ ସଡକ ଦୁର୍ଘଟଣା ଖବର ସାମ୍ନାକୁ ଆସିଛି। ବାରିପଦାରେ ଭାରସାମ୍ୟ ହରାଇ ଓଲଟିଲା ବସ୍। ଦୁର୍ଘଟଣାରେ ୧୦ ଆହତ ହୋଇଥିବା ଜଣା ପଡିଛି। ମେଡ଼ିକାଲ କଲେଜ ରଙ୍ଗାମାଟିଆ ଛକରେ ଓଲଟିଲା ବସ୍। ଆହତମାନଙ୍କୁ ପିଆରଏମ୍ ମେଡିକାଲରେ ଭର୍ତ୍ତି କରାଯାଇଛି। ବସ୍ଟି ବାଲେଶ୍ବରର ଚନ୍ଦନେଶ୍ବରରୁ ବାରିପଦା ଆସୁଥିଲା।
ଖବର ଅନୁସାରେ, ଦିଗପହଣ୍ଡି ମର୍ମନ୍ତୁଦ ବସ୍ ଦୁର୍ଘଟଣା କାରଣରୁ ଲହୁ ଆଉ ଲୁହରେ ଭିଜିଛି ଦିଗପହଣ୍ଡି ମାଟି। ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଚିକିତ୍ସା କରାଯାଉଛି। ରବିବାର ରାତି ପ୍ରାୟ ସାଢ଼େ ୧ ସମୟରେ ବ୍ରହ୍ମପୁରରୁ ବିବାହ ଭୋଜି ସାରି ଏକ ବସ୍ରେ ହସଖୁସିରେ ଖଣ୍ଡଦେଉଳି ଫେରୁଥିଲେ ବନ୍ଧୁବାନ୍ଧବ। ଏହି ସମୟରେ ଓଏସ୍ଆରଟିସି ବସ୍ଟି ଗୁଡାରିରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା।
ଖେମୁଣ୍ଡି କଲେଜ ନିକଟରେ ଦୁଇ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ୧୨ ଜଣଙ୍କର ଜୀବନ ଚାଲି ଯାଇଛି। ଆମ୍ବୁଲାନ୍ସ ଓ ଦମକଳ ଗାଡ଼ି ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଛନ୍ତି। ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଜଣଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।