Odisha Link
Bridging the Missing Links in Odisha

ବାହୁଡ଼ିବେ ଚତୁର୍ଦ୍ଧାମୂର୍ତ୍ତି, ରଥରେ ‘ଛେରା ପହଁରା’ କଲେ ଗଜପତି

ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ତିନି ଭାଇ ଭଉଣୀ

ଓଏଲ୍‌ ବ୍ୟୁରୋ: ଜନ୍ମବେଦୀରୁ ରତ୍ନବେଦୀକୁ ଫେରୁଛନ୍ତି ତିନି ଦିଅଁ। ବାହୁଡା ଯାତ୍ରା ପାଇଁ ଆରମ୍ଭ ହୋଇଛି ନୀତିକାନ୍ତି। ନବଦିନାତ୍ମକ ଯାତ୍ରା ସାରି ଫେରିବେ ଶ୍ରୀଜିଉ। ଆଜି ଏଥିପାଇଁ ମହାବାହୁଙ୍କ ବାହୁଡ଼ା ଯାତ। ଜନ୍ମବେଦୀରୁ ରତ୍ନ ସିଂହାସନକୁ ଯିବେ ତିନି ଭାଇ ଭଉଣୀ। ନାକଚଣା ଦ୍ୱାରରେ ଦଣ୍ଡାୟମାନ ତିନି ରଥ। ରଥରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି। ରଥରେ ‘ଛେରା ପହଁରା’ କରୁଛନ୍ତି ଗଜପତି।

ବଡଦାଣ୍ଡରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି। ପ୍ରଭୁ ସୁଦର୍ଶନ, ବଡ଼ ଠାକୁର ବଳଭଦ୍ର ରଥରେ ବିରାଜମାନ ହୋଇସାରିଥିବା ବେଳେ ମା’ ସୁଭଦ୍ରାଙ୍କ ଧାଡ଼ି ପହଣ୍ଡି ନୀତି ପରେ କଳାଠାକୁରଙ୍କ ନୀତି ଶେଷ ହୋଇଛି। ରଥଯାତ୍ରା ସମୟରେ ନୀତିରେ ହୋଇଥିବା ବିଭ୍ରାଟକୁ ସୁଧାରି ସଅଳ ନୀତିକାନ୍ତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି ନିଆଯାଇଛି।

ମଧ୍ୟାହ୍ନ ୧୨ଟାରେ ପହଣ୍ଡି ଆରମ୍ଭ ଲକ୍ଷ୍ୟ ରଖା ଯାଇଥିବା ବେଳେ ସକାଳ ୮ଟାରୁ ପହଣ୍ଡି ଆରମ୍ଭ ହୋଇଥିଲା। ଗୁଣ୍ଡିଚା ଯାତ୍ରା ଭଳି ବାହୁଡ଼ାରେ ବି ଧାଡ଼ି ପହଣ୍ଡିରେ ଠାକୁରମାନେ ରଥାରୁଢ଼ ହୋଇଛନ୍ତି। ବାହୁଡ଼ାଯାତ୍ରାରେ ଶୃଙ୍ଖଳିତ ନୀତିକାନ୍ତିକୁ ଶ୍ରୀମନ୍ଦିର ପ୍ରଶାସନ ଅଧିକ ଗୁରୁତ୍ୱ ଦେଇଛି। ସେହିପରି ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ଉପରେ ପୁଲିସ୍ ପ୍ରଶାସନ ଗୁରୁତ୍ୱ ଦେଇଛି।

ଶ୍ରୀମନ୍ଦିର ପ୍ରଶାସନର ନୀତିନିର୍ଘଣ୍ଟ ଅନୁସାରେ ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ମଙ୍ଗଳଆଳତି, ମଇଲମ, ତଡ଼ପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା, ବେଶଶେଷ ନୀତି ଶେଷ ହେବା ପରେ ୫ଟା ୪୫ରୁ ୬ଟା ୪୫ ମଧ୍ୟରେ ଗୋପାଳବଲ୍ଲଭ ଓ ସକାଳ ଧୂପ (ଖେଚୁଡ଼ି ଭୋଗ) ନୀତି ସଂପନ୍ନ। ସକାଳ ୭ଟାରୁ ୧୧ଟା ୩୦ ମଧ୍ୟରେ ସେନାପଟା ଲାଗି ପରେ ୧୧ଟା ୪୫ରେ ମଙ୍ଗଳାର୍ପଣ ନୀତି। ତା’ପରେ ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ସାଢ଼େ ୨ଟା ମଧ୍ୟରେ ବାହୁଡ଼ା ପହଣ୍ଡି କରାଯିବ।

Leave A Reply

Your email address will not be published.