ରାଜଧାନୀରେ ଡେଙ୍ଗୁ ଭୟ, ସତର୍କ କରାଇଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ
ରୋଗୀଙ୍କ ସଂଖ୍ୟା ବଢ଼ିଲେ ବେଡ୍ ସଂଖ୍ୟା ବଢ଼ାଯିବ
ଓଏଲ୍ ବ୍ୟୁରୋ: ବର୍ଷା ଆରମ୍ଭରୁ ମୁଣ୍ଡ ଟେକିଲାଣି ଡେଙ୍ଗୁ। ରାଜ୍ୟରେ ଧୀରେ ଧୀରେ ଡ଼େଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ରାଜଧାନୀ ଭୁବନେଶ୍ବରରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୧୮୫ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ଅଧିକାଂଶ ଖୋର୍ଦ୍ଧା ଜିଲ୍ଲାରେ ଥିବା ଜଣାପଡ଼ିଛି।
ଡେଙ୍ଗୁ ଭୟ ବଢ଼ୁଥିବାରୁ ଏନେଇ ସତର୍କ କରାଇଲେ କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ। ଡେଙ୍ଗୁ ଛୋଟ ରୋଗ କିନ୍ତୁ ଅବହେଳା କଲେ ସାଙ୍ଘାତିକ। ଡେଙ୍ଗୁ ସନ୍ଦେହରେ ପ୍ରତିଦିନ ୩୫-୪୦ଜଣଙ୍କ ପରୀକ୍ଷା ଚାଲିଛି। କ୍ୟାପିଟାଲ ହସ୍ପିଟାଲରେ ୭ ରୋଗୀ ଚିକିତ୍ସିତ ହେଉଛନ୍ତି। ରୋଗୀଙ୍କ ସଂଖ୍ୟା ବଢ଼ିଲେ ବେଡ୍ ସଂଖ୍ୟା ବଢ଼ାଯିବ ବୋଲି କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ କହିଛନ୍ତି।
ଅନ୍ୟପଟେ, ଡେଙ୍ଗୁ ଆତଙ୍କରେ ଆତଙ୍କିତ ହୋଇପଡ଼ିଛନ୍ତି ରାଜ୍ୟବାସୀ। ବର୍ତ୍ତମାନ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଗକୁ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବଢିବା ନେଇ ଆଶଙ୍କା କରାଯାଉଛି। ୧୮୫ ଜଣ ଡ଼େଙ୍ଗୁ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୯୬ ଜଣ ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ କରାଯାଇଛି। ତେବେ ଏହାର ମୁକାବିଲା ନେଇ ବିଏମସି ପକ୍ଷରୁ ତତ୍ପରତା ଦେଖିବାକୁ ମିଳିଛି। ରାଜଧାନୀର ବିଭିନ୍ନ ସ୍ଥାନରେ ସଫେଇ କାର୍ଯ୍ୟକ୍ରମ ଜାରି ରହିଛି। ଏହା ସହ ଡେଙ୍ଗୁକୁ ନେଇ ଆଗୁଆ ସତର୍କ ରହିବା ପାଇଁ ଆଲର୍ଟ କରାଯାଇଛି।