Odisha Link
Bridging the Missing Links in Odisha

ଆଗାମୀ ନିର୍ବାଚନ ପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି: ମନମୋହନ ସାମଲ

ଗୌହାଟୀ ରଣନୀତିକୁ ଗ୍ରାଉଣ୍ଡ ପର୍ଯ୍ୟନ୍ତ କିପରି ନିଆଯିବ

ଓଏଲ୍ ବ୍ୟୁରୋ: ପାଖେଇ ଆସୁଛି ୨୦୨୪ ନିର୍ବାଚନ। ଆଗାମୀ ନିର୍ବାଚନ ପାଇଁ ସ୍ବତନ୍ତ୍ର ରଣନୀତି ଆପଣାଇବାରେ ଲାଗିଛନ୍ତି ସମସ୍ତ ରାଜନୈତିକ ଦଳ। ନିର୍ବାଚନକୁ ନଜରରେ ରଖି ରାଜନୈତିକ ଚର୍ଚ୍ଚା ଆରମ୍ଭ ହେଲାଣି। ଯାହାକୁ ନେଇ ନିଜର ମନ୍ତବ୍ୟ ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ। ସେ କହିଛନ୍ତି, ଓଡ଼ିଶାରେ ହେବ ବିଜେପି ସରକାର। ଗୌହାଟୀରେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ ହୋଇଛି। ଗୌହାଟୀରେ ବସିଥିବା ପୂର୍ବାଞ୍ଚଳ ରାଜ୍ୟମାନଙ୍କ ବୈଠକରେ ଫେରିବା ପରେ ଏପରି ଦମ୍ଭୋକ୍ତି ରଖିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ।

ଗୌହାଟୀ ରଣନୀତିକୁ ଗ୍ରାଉଣ୍ଡ ପର୍ଯ୍ୟନ୍ତ କିପରି ନିଆଯିବ, ରାଜ୍ୟରେ କିପରି ନିର୍ବାଚନ ଲଢ଼ିବୁ ସେନେଇ ରଣନୀତି ପ୍ରସ୍ତୁତ ହୋଇଛି ବୋଲି ମନମୋହନ ସାମଲ କହିଛନ୍ତି। ଏହା ସହ କହିଛନ୍ତି ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନ ପାଇଁ ନିଷ୍ଠାର ସହ କାମ କରିବାକୁ କେନ୍ଦ୍ରୀୟ ନେତୃତ୍ୱ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ସ୍ୱତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଆଗକୁ କେଉଁ କେଉଁ କାର୍ଯ୍ୟକ୍ରମ ହାତକୁ ନିଆଯିବ ସେନେଇ ବୈଠକରେ ଆଲୋଚନା କରାଯାଇଛି।

ପୂର୍ବରୁ ଆଗାମୀ ନିର୍ବାଚନକୁ ନେଇ ବିଜେପି ବିଧାୟକ ବୁଧାନ ମୁର୍ମୁ ନିଜର ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ୧୨୦କୁ ବେସ୍ କରି କାମ ହେବ ଏବଂ ରାଜ୍ୟରେ ୮୦ରୁ ଅଧିକ ସିଟ୍ ବିଜେପି ପାଇବ। ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୀତି। ବିଜେଡିର ବରିଷ୍ଠ ନେତା ପ୍ରଶାନ୍ତ ମୁଦୁଲି କହିଥିଲେ, ବିଜେପି ଯେଉଁଠି ସମ୍ମିଳନୀ କରୁ ସେଥିରେ ଆମର ଯାଏ ଆସେ ନାହିଁ। ରାଜନୈତିକ ଦଳ ଭାବେ ବିଜେପି ତାହାର ରଣନୀତି କରିବ। କିନ୍ତୁ ବିଜେଡି ନିଜର କାର୍ଯ୍ୟକର୍ତ୍ତାଙ୍କୁ ନେଇ ସାଙ୍ଗଠନିକ ଶକ୍ତିକୁ ସୁଦୃଢ କରିବା ସହ ସରକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇଛି। ତେଣୁ ପୁଣିଥରେ ବିଜେଡି ସରକାର କରିବ ଏଥିରେ କୌଣସି ଦ୍ୱିମତ ନାହିଁ।

ସେ ଆହୁରି ମଧ୍ୟ କହିଥିଲେ, ବିଜେଡିର ସାଙ୍ଗଠନିକ ଶକ୍ତି ମଜବୁତ ଅଛି। ବିଜେଡି ତାହାର କାର୍ଯ୍ୟକ୍ରମକୁ ଶାଣିତ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚାଇଥାଏ। ସରକାରୀ ଯୋଜନା କିଭଳି ତୃଣମୂଳସ୍ତରରେ ଲୋକଙ୍କ ପାଖରେ ପହଞ୍ଚିବ ଓ ଲୋକ ଉପକୃତ ହେବେ ଏବଂ ଲୋକଙ୍କ ସହ ଯୋଡି ହେବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଏ ବୋଲି ପ୍ରଶାନ୍ତ ମୁଦୁଲି କହିଥିଲେ।

ଘରର ଚାରି କାନ୍ଥ ଭିତରେ ରାଜନୀତିର ଅଙ୍କ କଷା ଯାଏନି। ବିଜେପି ଦଳ ଓଡ଼ିଶା ରାଜନୀତିକୁ ଅନେକ ଡାଏଲଗ ଦେଇଛନ୍ତି। କିନ୍ତୁ ଗାଁ ଗହଳିକୁ ବିଜେପି ଯେତେବେଳେ ଯାଉଛନ୍ତି ସେତେବେଳେ ଲୋକଙ୍କ ମନରେ ଗୋଟିଏ କଥା ଦେଖିବାକୁ ପାଉଛନ୍ତି ତାହା ହେଉଛି ନବୀନ ପଟ୍ଟନାୟକ।

ଅନ୍ୟପଟେ, କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଥିଲେ, ଗତଥର ବିଜେପିର ୧୨୦ ଟାର୍ଗେଟ ଥିଲା ଏଥର ୮୦କୁ ଖସିଲା। ବିଜେପି ୮୦ ନେବ, ବିଜେଡି ୧୨୦ ନେବ, କଂଗ୍ରେସ ସଭାପତି କହୁଛନ୍ତି ଏଥର ୯୦। ମାତ୍ର ୧୪୭ଟି ଆସନ, ସେଥିରେ ପୁଣି ଏତେ ଆସନର ହିସାବ ଚାଲିଛି। ଲାଗୁଛି ବିଧାନସଭାର ଆଉ କିଛି ସିଟ୍ ବଢାଇବାର ଆବଶ୍ୟକତା ରହିଛି ବୋଲି ତାରା ପ୍ରସାଦ ବାହିନୀପତି କହିଥିଲେ।

ବୁଧାନ ମୁର୍ମୁଙ୍କ ମନ୍ତବ୍ୟକୁ ନେଇ ତାରା ପ୍ରସାଦ ବାହିନୀପତି ଆହୁରି ମଧ୍ୟ କହିଥିଲେ, ୨୪ ମୈଦାନରେ ଫୁଟବଲ ଫିଙ୍ଗା ହେବ, ଲଢ଼ା ହେବ ଯାହାର ଦମ ସିଏ ଜିତିବ। କିଏ ପାସ କିଏ ଫେଲ ତାର ବିଚାର ସାଧାରଣ ଜନତା କରିବେ, ତମେ କିମ୍ବା ମୁଁ କରିବିନି। ୨୫ ବର୍ଷ ସରକାରରେ ଲୋକେ ତର୍ଜମା କଲେଣି, ଯୁବକ ଯୁବତୀ କଣ ନିଯୁକ୍ତି ପାଇଛନ୍ତି ତାହାର ତର୍ଜମା କଲେଣି।

କଂଗ୍ରେସ କାହାକୁ ଭୟ କରେନି। ଗତଥର ୧୨୦ ପ୍ଲସ କଥା କହିଥିଲେ, ଡବଲ ଇଞ୍ଜିନ କଥା କହିଥିଲେ। ଶେଷରେ କଣ ହେଲା। କିନ୍ତୁ ଆମର ୯ରୁ ୯୦ ଲକ୍ଷ ରହିଛି। ୧୨୦ ଆସନରେ ଜିତିବୁ, ୮୦ ଆସନରେ ଜିତିବୁ। ଏଭଳି କହିବାକୁ ପାଟିକୁ କଣ ଟ୍ୟାକ୍ସ ପଡୁଛି କି! ତେଣୁ ଆଗାମୀ ଦିନରେ ଲୋକେ ନିଷ୍ପତି ନେବେ କିଏ କେତେ ସିଟ ନେବ ବୋଲି ତାରା ପ୍ରସାଦ ବାହିନୀପତି କହିଛନ୍ତି।

ଖବର ଅନୁସାରେ, ସରକାର ଗଢିବାକୁ ଆବଶ୍ୟକ ସଂଖ୍ୟା ଠାରୁ ଆଉ କିଛି ଅଧିକ ଆସନର ଲକ୍ଷ୍ୟ ନେଇ ବିଜେପି ଆଗକୁ ବଢୁଥିବା କହିଛନ୍ତି ବିଧାୟକ ବୁଦ୍ଧାନ ମୁର୍ମୁ। ସେ ଆହୁରି ମଧ୍ୟ କହିଛନ୍ତି, ୨୦୨୪ ନିର୍ବାଚନ ପାଇଁ ଆମ ଟାର୍ଗେଟ ୮୦ରୁ ଅଧିକ, ଯେମିତି ସରକାର ହୋଇପାରିବ। ସରକାର କରିବା ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଉଛି। ଗତକାଲିଠାରୁ ବୈଠକ ଆରମ୍ଭ ହୋଇସାରିଛି ଏବଂ ଅଳ୍ପ ଦିନ ଭିତରେ କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ବିଜେପି ବିଧାୟକ ବୁଧାନ ମୁର୍ମୁ କହିଛନ୍ତି।

Leave A Reply

Your email address will not be published.