Odisha Link
Bridging the Missing Links in Odisha

ସୋଆ ସହିତ କ୍ୟାମେରୁନ୍‌ ଶିକ୍ଷାନୁଷ୍ଠାନର ବୁଝାମଣା ସ୍ୱାକ୍ଷରିତ

ଜୁନ୍‌ ମାସ ଶେଷରେ ଏକ କାର୍ଯ୍ୟକାରୀ ବୁଝାମଣା ସ୍ୱାକ୍ଷରିତ ହୋଇଛି

ଓଏଲ୍ ବ୍ୟୁରୋ: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଆଫ୍ରିକାର କ୍ୟାମେରୁନ୍‌ ସ୍ଥିତ ହାନ୍‌ସିଆଟିକ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି ଆଣ୍ଡ ଆପ୍ଲାଏଡ୍‌ ସାଇନ୍‌ସେସ୍‌ (ହିଟାସ୍‌) ସହିତ ଗତ ଜୁନ୍‌ ମାସ ଶେଷରେ ଏକ କାର୍ଯ୍ୟକାରୀ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଜୁନ୍‌ ଶେଷ ସପ୍ତାହରେ ଡୁଆଲା ଠାରେ ସୋଆର ୟୁନିଭର୍ସିଟି ଆଉଟ୍‌ରିଚ୍‌ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ.ଶର୍ମା ଓ ହିଟାସ୍‌ର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ମରିସ୍‌ କେ. କାମ୍‌ଗା ବୁଝାମଣା ପତ୍ରରେ ଦସ୍ତଖତ କରିଥିଲେ।

ଏ ସମ୍ବନ୍ଧରେ ଗତ ଫେବୃଆରୀ ମାସରେ ଦୁଇ ଶିକ୍ଷାନୁଷ୍ଠାନ ମଧ୍ୟରେ ଏକ ବୁଝାମଣା ପତ୍ର (ଏମ୍‌ଓୟୁ) ସ୍ୱାକ୍ଷରିତ ହୋଇଥିଲା।ବୁଝାମଣା ଅନୁଯାୟୀ ଆସନ୍ତା ୨୦୨୪-୨୫ ଶିକ୍ଷା ବର୍ଷରେ ୟୁନିଭର୍ସିଟି ଗ୍ରାଂଟସ କମିଶନ (ୟୁଜିସି)ର ନିୟମାବଳୀ ଅନୁଯାୟୀ ସୋଆ ହିଟାସ୍‌ର ଛାତ୍ରଛାତ୍ରୀମାନଙ୍କୁ ବ୍ୟାଚ୍‌ଲର୍‌ ଅଫ୍‌ ବିଜିନେସ୍‌ ଆଡମିନିଷ୍ଟ୍ରେସନ୍‌ (ବିବିଏ), ମାଷ୍ଟର ଇନ୍‌ ବିଜିନେସ୍‌ ଆଡମିନିଷ୍ଟ୍ରେସନ୍‌ (ଏମ୍‌ବିଏ), ବ୍ୟାଚ୍‌ଲର ଅଫ୍‌ କମ୍ପ୍ୟୁଟର୍‌ ଆପ୍ଲିକେସନ୍‌ (ବିସିଏ) ଓ ମାଷ୍ଟର ଇନ୍‌ କମ୍ପ୍ୟୁଟର ଆପ୍ଲିକେସନ୍‌ (ଏମ୍‌ସିଏ) ପାଠ୍ୟକ୍ରମ ଅନ୍‌ଲାଇନ୍‌ ଯୋଗେ ପ୍ରଦାନ କରିବ।

ଉଭୟ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ୍‌ କାର୍ଯ୍ୟକ୍ରମ ନିମନ୍ତେ ଅତ୍ୟାଧୁନିକ ଡିଜିଟାଲ୍‌ ସୁବିଧା ପ୍ରଦାନ କରିବା ସହ ସୋଆ ଲାବୋରେଟୋରି ସୁବିଧା ତଥା ୨୦୨୪-୨୫ ଶିକ୍ଷାବର୍ଷରେ ମେକାନିକାଲ୍‌ ଇଞ୍ଜିନିୟରିଂ ଓ କମ୍ପ୍ୟୁଟର ସାଇନ୍‌ସ ଇଞ୍ଜିନିୟରିଂ ଆଣ୍ଡ ଇନ୍‌ଫର୍ମେସନ୍‌ ଟେକ୍ନୋଲୋଜି କୋର୍ସ ପାଇଁ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରିବେ। ସେହିପରି ହିଟାସର ଛାତ୍ରଛାତ୍ରୀ କ୍ୟାମେରୁନ୍‌ରୁ ବିଏସ୍‌ସି ନର୍ସିଂ ଏବଂ ବିଟେକ୍‌ ପାଠ୍ୟକ୍ରମ ନିମନ୍ତେ ଯୋଗ୍ୟତା ଅନୁଯାୟୀ ସୋଆରେ ନାମ ଲେଖାଇ ପାରିବେ ବୋଲି ବୁଝାମଣା ହୋଇଛି।

Leave A Reply

Your email address will not be published.