ଶିକ୍ଷାରେ ଓଡ଼ିଶାର ପ୍ରଦର୍ଶନ ହ୍ରାସ, ଶୀର୍ଷ ୨୦ ତାଲିକାରୁ ପଡ଼ିଲା ବାଦ୍
ଯାହା ଶିକ୍ଷା କ୍ଷେତ୍ରର ବ୍ୟବସ୍ଥାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ଓଏଲ୍ ବ୍ୟୁରୋ: ପୁଣିଥରେ ଚର୍ଚ୍ଚାରେ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା। କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫର୍ମାନ୍ସ ଗ୍ରେଡିଂ ଇଣ୍ଡେକ୍ସରେ ଓଡ଼ିଶାର ପ୍ରଦର୍ଶନ ହ୍ରାସ ପାଇଛି। ୨୦୨୦-୨୧ ଶିକ୍ଷାବର୍ଷରେ ଓଡ଼ିଶା ୧୦ମ ସ୍ଥାନରେ ଥିବାବେଳେ ଏଥର ୨୪ତମ ସ୍ଥାନରେ ରହିଛି, ଯାହା ଶିକ୍ଷା କ୍ଷେତ୍ରର ବ୍ୟବସ୍ଥାରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ, ଶିକ୍ଷାର ଗୁଣବତ୍ତା, ବିଦ୍ୟାଳୟକୁ ପ୍ରବେଶ ସୁବିଧା, ଭିତ୍ତିଭୂମି, ଶିକ୍ଷକ, ଶିକ୍ଷା ଓ ତାଲିମ ନେଇ ସାରା ଦେଶରେ କରାଯାଇଥିବା ସର୍ଭେରେ ଓଡ଼ିଶା ପଛରେ ରହିଥିବା ଜଣା ପଡିଛି। ଦେଶର ୩୬ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରୁ ଓଡ଼ିଶା ୨୪ ତମ ସ୍ଥାନରେ ରହିଥିବା ବେଳେ ଶୀର୍ଷରେ ରହିଛି ଚଣ୍ଡିଗଡ଼।
ପୂର୍ବରୁ ରାଜ୍ୟର ସବୁଠୁ ଉତ୍କର୍ଷ ଉତ୍କଳ ବିଶ୍ବବିଦ୍ୟାଳୟକୁ ନେଇ ଶିକ୍ଷାବିତ ମାନେ ଚିନ୍ତା ପ୍ରକଟ କରିଥିଲେ। ଏକଦା ନାକ୍ର ଏ+ ମାନ୍ୟତା ପାଇଥିବା ବାଣୀ ବିହାର ‘ଏ’ ମାନ୍ୟତା ପାଇଥିଲା। ୩.୧୬ ସ୍କୋର ସହ ଉତ୍କଳ ବିଶ୍ୱବିଦ୍ୟାଳୟକୁ ମିଳିଥିଲା ‘ଏ’ ଗ୍ରେଡ୍। ୨୦୧୬ରେ ୩.୫୩ ସ୍କୋର ସହ ଉତ୍କଳ ବିଶ୍ୱବିଦ୍ୟାଳୟ ଏ+ ମାନ୍ୟତା ପାଇଥିଲା।
ଉଚ୍ଚଶିକ୍ଷା କ୍ଷେତ୍ରରେ ଦେଶରେ ବିଭିନ୍ନ ବିଦ୍ୟାଳୟ, ବିଶ୍ୱବିଦ୍ୟାଳୟ ଓ ମାନ୍ୟତାପ୍ରାପ୍ତ ଶିକ୍ଷାନୁଷ୍ଠାନର ମାନ ନିର୍ଦ୍ଧାରଣ କରିଥାଏ ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଟେସନ୍ କାଉନସିଲ ବା ନାକ। ୨୦୧୬ରେ ଉତ୍କଳ ବିଶ୍ୱ ବିଦ୍ୟାଳୟ ଏ+ ମାନ୍ୟତା ପାଇଥିଲା।
ସବୁଠୁ ବଡ଼କଥା ହେଲା ଚଳିତଥର ନାକ୍ ଟିମ୍ ଦୀର୍ଘ ୫ବର୍ଷ ପରେ ୩ଦିନ ପାଇଁ ଏହି ଟିମ୍ ବିଶ୍ୱବିଦ୍ୟାଳୟ ପରିଦର୍ଶନରେ ଆସିଥିଲେ। ପ୍ରଥମ ଦିନରେ ବିଶ୍ୱବିଦ୍ୟାଳୟ କନ୍ଭୋକେଶନ ହଲ୍ରେ ଆୟୋଜିତ ଆଲୋଚନାରେ ବିଶ୍ୱବିଦ୍ୟାଳୟର ଛାତ୍ରୀଛାତ୍ର ଯୋଗଦେଇ ସେମାନଙ୍କ ଅନୁଭୂତି ଓ ସମସ୍ୟା ସମ୍ପର୍କରେ ମତ ରଖିଥିଲେ।
ସେହିପରି ପୁରାତନ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ସହ ମଧ୍ୟ ଏହି ଟିମ୍ ଆଲୋଚନା କରିଥିଲା। ବିଶ୍ୱବିଦ୍ୟାଳୟକୁ ଗ୍ରେଡ୍ ଦେବାରେ ଏହି ସମସ୍ତ ମତାମତକୁ ଟିମ୍ ବିଚାରକୁ ନେଇଥିଲା। ‘ଏ+’ ମାନ୍ୟତା ପାଇସାରିଥିବା ଏହି ବିଶ୍ୱବିଦ୍ୟାଳୟ ‘ଏ++’ ମାନ୍ୟତା ଦୌଡ଼ରେ ରହିଥିଲା। ହେଲେ ନାକ୍ ଟିମର ରିପୋର୍ଟ ସବୁକିଛି ଧୁଳିସାତ କରିଦେଇଛି।
ନାକ୍ ଟିମ୍ ଆସିବେ ବୋଲି ଶିକ୍ଷା, ଗବେଷଣା, ଭିତ୍ତିଭୂମି ବିକାଶ ଓ କ୍ୟାମ୍ପସ ବାତାବରଣ କିପରି ଶୃଙ୍ଖଳିତ ରହିବ, ସେଥିପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିଲା। ହେଲେ ଏ++ ଗ୍ରେଡ୍ ପାଇବା ପାଇଁ ସେତିକି ପଦକ୍ଷେପ ଯଥେଷ୍ଟ ନଥିଲା ବୋଲି ନାକ୍ ଟିମ୍ ରିପୋର୍ଟରେ ଉଲ୍ଲେଖ କରିଥିବା ସୂଚନା ରହିଛି।