Odisha Link
Bridging the Missing Links in Odisha

ରାଜ୍ୟରେ ଲଗାଣ ବର୍ଷା, ବିଦ୍ୟୁତ ଜନିତ ଦୁର୍ଘଟଣାକୁ ନେଇ ସତର୍କତା ଜାରି କଲା ପୁଲିସ ବିଭାଗ

ଓଏଲ୍‌ ବ୍ୟୁରୋ: ସାରା ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସ୍ତିତି ସୃଷ୍ଟି ହୋଇଛି। ସାଧାରଣତଃ ବର୍ଷା ଦିନେ ବିଦ୍ୟୁତ ଜନିତ ଦୁର୍ଘଟଣା ଖବର ସାମ୍ନାକୁ ଆସିଥାଏ। ଏଥିରୁ ବର୍ତ୍ତିବା ପାଇଁ ଓଡ଼ିଶା ପୁଲିସ ଗାଇଡଲାଇନ୍ସ ଜାରି କରାଯାଇଛି। ଜରୁରୀକାଳୀନ ସାହାଯ୍ୟ ପାଇଁ ୧୧୨କୁ କଲ୍‌ କରିବାକୁ ନମ୍ବର ଜାରି କରାଯାଇଛି।

ଏହା ସହ ବର୍ଷା ଦିନରେ ବିଦ୍ୟୁତ ଖୁଣ୍ଟ, ଟ୍ରାନ୍ସଫର୍ମର ଓ ଷ୍ଟ୍ରୀଟ ଲାଇଟ ଠାରୁ ଦୁରେଇ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। କାରଣ ବିଦ୍ୟୁତ ସରବରାହ ଏବଂ ବର୍ଷା ପାଣିର ସଂଯୋଗ ଫଳରେ ସେଗୁଡିକ ଆପେ ଆପେ ଚାର୍ଜ ହୋଇଯାଇଥାଏl ଫଳରେ ସ୍ପର୍ଶ କରିବା ମାତ୍ରେ ବିଦ୍ୟୁତ ଆଘାତ ଲାଗି ଜୀବନ ଚାଲିଯିବାର ସମ୍ଭାବନା ମଧ୍ୟ ରହିଥାଏ।

ଅନ୍ୟପଟେ, ଆଜି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଛି। କେନ୍ଦୁଝର, ବଲାଙ୍ଗିର, ନୂଆପଡ଼ା, କଳାହାଣ୍ଡି, ସୁବର୍ଣ୍ଣପୁରରେ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରାଯାଇଛି। ପ୍ରବଳ ବର୍ଷାକୁ ନଜରରେ ରଖି ସମସ୍ତ ସରକାରୀ, ବେସରକାରୀ ସ୍କୁଲ ସହ ଅଙ୍ଗନବାଡି କେନ୍ଦ୍ର ବନ୍ଦ ରଖିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

ଅବପାତ ପ୍ରଭାବରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଉତ୍ତର-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ ଗଭୀର ଅବପାତର ରୂପ ନେଇଛି। ଏହା ସହ ପ୍ରବଳ ବର୍ଷା ଯୋଗୁଁ ଗଜପତି କାଶୀନଗରଠାରେ ବଂଶଧାରା ନଦୀ ବିପଦ ସଂକେତ ଟପିଛି। ବିପଦ ସଂକେତ ୫୪.୬୦ମି. ଚିହ୍ନଟ କରାଯାଇଥିବା ବେଳେ ଜଳସ୍ତର ୫୪.୯୦ମି.ରେ ପହଂଚିଛି।

Leave A Reply

Your email address will not be published.