‘ଓଡ଼ିଶାକୁ ୯ ବର୍ଷରେ ମିଳିଛି ୧୮ ଲକ୍ଷ ୮୩ ହଜାର କୋଟିରୁ ଅଧିକ ଅର୍ଥ’
ଓଏଲ୍ ବ୍ୟୁରୋ: ଆଜି କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଲୋକସେବା ଭବନର କନଭେନସନ୍ ସେଂଟରରେ ଜାତୀୟ ରାଜପଥର ୨ଟି ବଡ଼ ପ୍ରକଳ୍ପର ଲୋକାର୍ପଣ ଅବସରରେ ଯୋଗଦେଇଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିଥିଲେ। ଭର୍ଚୁଆଲ ମାଧ୍ୟମରେ ସୁକିନ୍ଦା-କାମାକ୍ଷାନଗର ଓ ଚଣ୍ଡିଖୋଲ-ଭଦ୍ରକ ଜାତୀୟ ରାଜପଥ ପ୍ରକଳ୍ପ ଉଦଘାଟନ କରାଯାଇଛି।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ଯୋଜନା, କେନ୍ଦ୍ରୀୟ ଅନୁଦାନ, ଟିକସ ଭାଗ ଓ କେନ୍ଦ୍ରୀୟ ଉଦ୍ୟୋଗ ମାନଙ୍କ ବ୍ୟୟ ବରାଦକୁ ମିଶାଇ ଗତ ୯ ବର୍ଷରେ ୧୮ ଲକ୍ଷ ୮୩ ହଜାର କୋଟିରୁ ଉର୍ଦ୍ଧ୍ୱ ଅର୍ଥ ସହାୟତା ଦେଇଛନ୍ତି।
ଶନିବାର ଭୁବନେଶ୍ୱର ଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କରକମଳରେ ଜାତୀୟ ରାଜପଥ-୫୩ ଅନ୍ତର୍ଗତ ୪ ଲେନ୍ ବିଶିଷ୍ଟ କାମାକ୍ଷାନଗର-ଡୁବୁରି ସେକ୍ସନର ଉଦଘାଟନ ଏବଂ କଳାହାଣ୍ଡି ଜିଲ୍ଲା ମୋଟେର୍ ବାନର ରାସ୍ତାର ସମ୍ପ୍ରସାରଣ ପ୍ରକଳ୍ପର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ପ୍ରଧାନ ଏହା କହିଛନ୍ତି।
ସେ କହିଛନ୍ତି ଯେ, ମୋଦି ସରକାର ବିଗତ ୯ବର୍ଷରେ ଓଡ଼ିଶା ପାଇଁ ୧୮ ଲକ୍ଷ ୮୩ ହଜାର କୋଟି ଟଙ୍କାର ଦାୟିତ୍ୱ ନେଇଛନ୍ତି। ହାରାହାରି ଓଡ଼ିଶାର ପ୍ରତ୍ୟେକ ପରିବାର ପିଛା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୮ ଲକ୍ଷ ୯୪ ହଜାର ଟଙ୍କାର ଦାୟିତ୍ୱ ନେଇଛନ୍ତି। ମୋଦି ସରକାରଙ୍କ ପୂର୍ବ ତଥା ୟୁପିଏର ଶେଷ ୧୦ ବର୍ଷ ସରକାରରେ ଓଡ଼ିଶାକୁ ମାତ୍ର ୨ ଲକ୍ଷ ୯୩ ହଜାର କୋଟି ଟଙ୍କା ମିଳିଥିଲା।
ଜାତୀୟ ରାଜପଥ, ରେଳପଥ, ବନ୍ଦର ଓ ଜଳପଥର ବିକାଶ, ଡିଏମଏଫ, ଅର୍ଥ କମିଶନ, ଜିଏସଟି ସଂଗ୍ରହ ସମେତ ଏନଡିଆରଏଫ, ଏସଡିଆରଏଫ, ପ୍ରଧାନମନ୍ତ୍ରୀ ଆବାସ, ଗରିବ କଲ୍ୟାଣ ଅନ୍ନ ଯୋଜନାରେ ରେକର୍ଡସଂଖ୍ୟକ ଅର୍ଥ ଓଡ଼ିଶାକୁ ଆସିଛି। ମହାପ୍ରଭୁଙ୍କ ସେବା କାର୍ଯ୍ୟ ପାଇଁ ସହଯୋଗ, ଓଡ଼ିଶାର ଜନଜାତି ଝିଅଙ୍କୁ ରାଷ୍ଟ୍ରପତି ପଦବୀରେ ଅଭିସିକ୍ତ କରିବା, ମହିମା ଧର୍ମର ମହାନ ପ୍ରଚାରକ ସନ୍ଥକବି ଭୀମ ଭୋଇଙ୍କ ବିଚାରକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆଗକୁ ନେବାର ଦାୟିତ୍ୱ ପ୍ରଧାନମନ୍ତ୍ରୀ ନେଇଛନ୍ତି।
ମୋଦି ସରକାରରେ ଓଡ଼ିଶାର ନୂଆ ପରିଚୟ ତିଆରି ହୋଇଛି। ଓଡ଼ିଶାର ପଦ୍ମ ପୁରସ୍କାର ସଂଖ୍ୟା, ରାଜସଭାକୁ ମନୋନୀତ ସଦସ୍ୟ, ମନ କି ବାତରେ ଓଡ଼ିଶା ବିଷୟରେ ଉଲ୍ଲେଖ, ଜନଜାତି ସମାଜ ପ୍ରତି ବିଶେଷ ଧ୍ୟାନ, ପ୍ରାକୃତି ବିପର୍ଯ୍ୟୟ ବେଳେ ଓଡ଼ିଶା ପ୍ରତି ଦାୟିତ୍ୱ, ପାଇକ ସ୍ମାରକୀକୁ ଏକ ତୀର୍ଥ କ୍ଷେତ୍ର ଭାବେ ପ୍ରଧାନମନ୍ତ୍ରୀ ପରିକଳ୍ପନା କରିଛନ୍ତି। ଜାତୀୟ ଶିକ୍ଷା ନୀତି ଅନୁସାରେ ଦେଶରେ ମାତୃଭାଷା ଆଧାରିତ ଶିକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି। ଫଳସ୍ୱରୂପ ଓଡ଼ିଶାରେ ଇଞ୍ଜିନିୟରିଂ ପାଠ୍ୟକ୍ରମ ଓଡ଼ିଆ ଭାଷାରେ ପଢାଇବା ପାଇଁ ବ୍ୟବସ୍ଥା ହୋଇଛି। ଓଡ଼ିଶାକୁ ଆଗକୁ ନେବା ଆମ ସମସ୍ତଙ୍କର ଦାୟିତ୍ୱ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ପୂର୍ବୋଦୟ’ କଳ୍ପନାରେ ଆଜି ଏକ ମହତ୍ତ୍ୱପୂର୍ଣ୍ଣ ଦିନ। କାମାକ୍ଷାନଗର – ଡୁବୁରି ସେକ୍ସନ ଦ୍ୱାରା ତାଳଚେର-ଅନୁଗୁଳ ଶିଳ୍ପାଞ୍ଚଳ, କାମାକ୍ଷାନଗର-କପିଳାସ ଅଞ୍ଚଳ, କଳିଙ୍ଗନଗର ଶିଳ୍ପାଞ୍ଚଳ ମଧ୍ୟରେ ଯୋଗାଯୋଗ, ପର୍ଯ୍ୟଟନ ଓ ବ୍ୟବସାୟ କ୍ଷେତ୍ରରେ ଏକ ନୂଆ ଯୁଗର ଶୁଭାରମ୍ଭ ହେବାକୁ ଯାଉଛି। ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରି ବାଜପେୟୀ ପ୍ରଧାନମନ୍ତ୍ରୀ ଥିବା ସମୟରେ କାମାକ୍ଷାନଗର-ଡୁବୁରି ସେକ୍ସନକୁ ପ୍ରଥମ ଥର ପାଇଁ ଏନଏଚର ମାନ୍ୟତା ଦେଇଥିଲେ। ଏହି ଏନଏଚ୍ ଆଜି ମୋଦି ସରକାରରେ ୪ ଲେନରେ ପରିଣତ ହେବା ଖୁସିର ବିଷୟ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।