Odisha Link
Bridging the Missing Links in Odisha

୨୦୨୪ରେ ନିର୍ବାଚନରେ ସବୁ ରେକର୍ଡ ଭାଙ୍ଗିବ ବିଜେପି: ମୋଦି

ଓଏଲ୍‌ ବ୍ୟୁରୋ: ନବନିର୍ମିତ ସଂସଦ ଭବନରେ ସଂସଦର ମୌସୁମୀ ଅଧିବେଶନ ଅନୁଷ୍ଠିତ ହେଉଛି। ସଂସଦରେ ଅନାସ୍ଥା ବିତର୍କ ଜାରି ରହିଥିବାବେଳେ ଅନାସ୍ଥା ବିତର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ଆମକୁ ବିଶ୍ୱାସ କରିଥିବାରୁ ଦେଶର କୋଟି କୋଟି ନାଗରିକଙ୍କୁ କୃତଜ୍ଞତା। ୨୦୧୮ରେ ବି ଅନାସ୍ଥା ଆଣିଥିଲେ, ତାହା ସେମାନଙ୍କ ଫ୍ଲୋରଟେଷ୍ଟ ଥିଲା। ଦେଶବାସୀ ଯେଉଁ ବିଶ୍ୱାସରେ ଏମାନଙ୍କୁ ପଠାଇଛନ୍ତି, ତାଙ୍କ ପ୍ରତି ବି ବିଶ୍ୱାସଘାତ ହେଉଛି।

ଆପଣଙ୍କ ପାଇଁ ଗରିବର ଭୋକ ନୁହେଁ, କ୍ଷମତା ଭୋକ ଘାରିଛି। ଯୁବବର୍ଗଙ୍କୁ ରୋଜଗାର ଚିନ୍ତା ନୁହେଁ, ଏମାନଙ୍କୁ ରାଜନୀତି ଚିନ୍ତା ଘାରିଛି। ଭୋଟିଂ ବେଳେ ଯେତିକି ସଦସ୍ୟ ଥିଲେ, ସେତିକି ଭୋଟ୍ ବି ପାଇଲେନି। ସବୁ ବେଳେ ବିପକ୍ଷଙ୍କ ଅବିଶ୍ବାସ ପ୍ରସ୍ତାବ ଆମ ପାଇଁ ଶୁଭ ହେଉଛି। ୨୦୨୪ରେ ଏନଡିଏ ଓ ବିଜେପି ପୂର୍ବର ସବୁ ରେକର୍ଡ ଭାଙ୍ଗିବେ। ପୂର୍ବର ସବୁ ରେକର୍ଡ ଭାଙ୍ଗି ପୁଣି ଏନଡିଏ ଓ ବିଜେପି କ୍ଷମତାକୁ ଫେରିବେ। ବିପକ୍ଷ ଦଳ ଫିଲ୍‌ଡିଂ ସଜାଇଲା, କିନ୍ତୁ ଛକା, ଚୌକା ଏଇଠୁ ଲାଗିଲା। ଆପଣ ନୋ ବଲ୍ ନୋ ବଲ୍ ହେଉଥାନ୍ତୁ, ଏଠୁ ସେଞ୍ଚୁରୀ ହେଇଚାଲିଛି। ବିପକ୍ଷଙ୍କୁ କହିବି, ଆପଣମାନେ ପ୍ରସ୍ତୁତ ହୋଇ କାହିଁକି ଆସୁନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ମନ୍ତବ୍ୟ ରଖିଛନ୍ତି।

ସୂଚନା ଅନୁସାରେ, ସଂସଦରେ ଅନାସ୍ଥା ବିତର୍କ ଜାରି ରହିଥିବାବେଳେ ଅନାସ୍ଥା ବିତର୍କରେ ରାହୁଲ ଗାନ୍ଧୀ ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ ବେଳେ ମୁଁ ଜାଣିନଥିଲି କାହିଁକି ମୁଁ ଯାଉଛି। ମୋତେ ଜଣାନଥିଲା, ଏ ଯାତ୍ରା କାହିଁକି ମୁଁ ଆରମ୍ଭ କରିଛି। ଯାତ୍ରା ଆରମ୍ଭ ବେଳେ ମୋ ମନରେ ଅହଙ୍କାର ଥିଲା। ଧିରେ ଧିରେ କଷ୍ଟ ପାଇଲି, ଅହଙ୍କାର କ୍ରମେ ଡରାଇବାକୁ ଲାଗିଲା। ଭାରତର ସ୍ୱର ଶୁଣିବାକୁ ହେଲେ ଆମକୁ ଅହଙ୍କାର ଛାଡ଼ିବାକୁ ପଡ଼ିବ।

ଏହା ସହ ଚାଷୀଙ୍କୁ ଫସଲ ବୀମା ଟଙ୍କା ମିଳୁନଥିବା ଯାତ୍ରା କାଳରେ ଜାଣିଲି। ନିକଟରେ ମୁଁ ମଣିପୁର ଯାଇଥିଲି। ପ୍ରଧାନମନ୍ତ୍ରୀ କିନ୍ତୁ ଯାଇନାହାନ୍ତି। ପ୍ରଧାନମନ୍ତ୍ରୀଙ୍କ ପାଇଁ ମଣିପୁର ମୂଲ୍ୟହୀନ, ମଣିପୁରକୁ ବାଣ୍ଟି ଦେଇଛନ୍ତି। ମଣିପୁର ଆଉ ନାହିଁ, ତାକୁ ଭାଗ ଭାଗ କରିଦିଆଯାଇଛି। ମଣିପୁରରେ ଭାରତର ହତ୍ୟା ହୋଇଛି। ମଣିପୁରକୁ ଦୁଇ ଭାଗ କରି ଦିଆଯାଇଛି। ତଥାପି ପ୍ରଧାନମନ୍ତ୍ରୀ ଆଜି ଯାଏଁ ମଣିପୁର ଯାଇ ନାହାନ୍ତି ବୋଲି ରାହୁଲ ଗାନ୍ଧୀ ବକ୍ତବ୍ୟ ରଖିଥିଲେ।

ରାହୁଲ ଗାନ୍ଧୀ ଶାସକ ଦଳକୁ ଟାର୍ଗେଟ କରି କହିଥିଲେ, ଭାରତର ସ୍ୱରକୁ ଆପଣ ମଣିପୁରରେ ମାରିଛନ୍ତି। ମଣିପୁର ଲୋକଙ୍କୁ ମାରି ଆପଣ ଭାରତମାତାର ହତ୍ୟା କରିଛନ୍ତି। ଆପଣ ଦେଶପ୍ରେମୀ ନୁହଁନ୍ତି, ଆପଣ ଦେଶଦ୍ରୋହୀ। ଆପଣ ଭାରତର ରକ୍ଷାକର୍ତ୍ତା ନୁହଁନ୍ତି, ଭାରତର ହତ୍ୟାକାରୀ। ଭାରତୀୟ ସେନା ଦିନକରେ ମଣିପୁରରେ ଶାନ୍ତି ଆଣିପାରିବେ। ଭାରତୀୟ ସେନାକୁ ମଣିପୁରରେ ନିୟୋଜିତ କରାଯାଉନାହିଁ। ଲଙ୍କାକୁ ହନୁମାନ ନୁହେଁ, ରାବଣର ଅହଙ୍କାର ଜଳାଇଥିଲା। ରାବଣକୁ ତା ଅହଙ୍କାର ମାରିଥିଲା। ସାରା ଦେଶରେ ଆପଣ ଭାରତମାତାକୁ ହତ୍ୟା କରିଚାଲିଛନ୍ତି।

Leave A Reply

Your email address will not be published.