ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଧାର୍ଯ୍ୟ ହେଲା ଲଗ୍ନ
ଓଏଲ୍ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ନବାନ୍ନ ଲଗ୍ନ ନିର୍ଦ୍ଧାରିତ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡ଼ୁଛି। ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପର ଦିନ ନୂଆଖାଇ ଲଗ୍ନ ବାହାରିଥାଏ। ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ନିର୍ଦ୍ଧାରଣ ହୋଇଥାଏ। ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୈଠକରେ ପଣ୍ଡିତ ଓ ବିଦ୍ୱାନମାନେ ଯୋଗଦେଇ ଲଗ୍ନ ନିର୍ଦ୍ଧାରଣ କରିଥାନ୍ତି। ତେବେ ବଲାଙ୍ଗିର ଜିଲ୍ଲାରେ ଗଣପର୍ବ ନୂଆଖାଇ ପାଇଁ ନବାନ୍ନ ଲଗ୍ନ ନିର୍ଦ୍ଧାରିତ କରାଯାଇଛି। ସେପ୍ଟେମ୍ବର ୨୦ ତାରିଖ ପୂର୍ବାହ୍ନ ୧୦.୨୮ରୁ ୧୦.୪୧ ପର୍ଯ୍ୟନ୍ତ ଅମୃତ ବେଳା ନିର୍ଦ୍ଧାରିତ ହୋଇଛି।
ସୂଚନା ଅନୁସାରେ, ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ପ୍ରଥମେ ମନ୍ଦିରରେ ଏକ ବୈଠକରେ ଟ୍ରଷ୍ଟ ସଭ୍ୟ, ଜ୍ୟୋତିର୍ବିଦ, ପଣ୍ଡିତ ଓ ବିଦ୍ୱାନମାନେ ନୂଆଖାଇ ପାଇଁ ଲଗ୍ନ ନିର୍ଦ୍ଧାରଣ କରିଥାନ୍ତି। ପରେ ସେହି ଲଗ୍ନ ପତ୍ରକୁ ବ୍ରହ୍ମପୁରା ମନ୍ଦିର ପୂଜକ ଓ ଟ୍ରଷ୍ଟ ସଭ୍ୟମାନେ ମାଆ ସମଲେଶ୍ୱେରୀଙ୍କ ଠାରେ ଅର୍ପଣ କରିଥା’ନ୍ତି। ସେହି ଲଗ୍ନ ଓ ସମୟରେ ନୂଆଖାଇ ଦିନ ମାଆଙ୍କଠାରେ ଭୋଗ ଲାଗି ହୋଇଥାଏ।