ପରିବାରରେ ଦୁଃଖର ଅନ୍ଧକାର: ଆଖି ବୁଜିଲେ ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ମା’
କିନ୍ତୁ ଦୁର୍ଭାଗ୍ୟ ବସତଃ ସୁଶାନ୍ତଙ୍କର ଦେହାନ୍ତ ହୋଇଯାଇଥିଲା।

ଓଏଲ୍ ବ୍ୟୁରୋ: ଦୁଃଖ ଏମିତି ବି ଆସେ। ଗତ ଶୁକ୍ରବାର ଦିନ ନକ୍ସଲଙ୍କ ଗୁଳି ମାଡ଼ରେ ସିଆରପିଏଫ୍ ଯବାନ ସୁଶାନ୍ତ ଖୁଣ୍ଟିଆ ସହିଦ ହୋଇ ଯାଇଥିଲେ। ଆଉ ପୁଅକୁ ହରାଇ ସହିଦ ସୁଶାନ୍ତ ଖୁଣ୍ଟିଆଙ୍କ ମା’ ସୁନ୍ଦରୀ ଖୁଣ୍ଟିଆଙ୍କ ପରଲୋକ ହୋଇଥିବା ଖବର ସାମ୍ନାକୁ ଆସିଛି। କଟକ ଏସସିବିରେ ସେ ଚିକିତ୍ସିତ ହେଉଥିଲେ। କାର୍ଡିଆକ ଆରେଷ୍ଟ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି।
ଅଗଷ୍ଟ ୧୧ ତାରିଖ ଦିନ ଝାରଖଣ୍ଡର କୋହ୍ଲାଣ ଜଙ୍ଗଲରେ ମାଓବାଦୀଙ୍କ ସହ ଗୁଳି ବିନିମୟବେଳେ, ସୁଶାନ୍ତ ଓ ତାଙ୍କ ସାଥୀ ଯବାନ ମୁନା ଯାଦବଙ୍କ ଦେହରେ ଗୁଳି ବାଜିଥିଲା। ଉଭୟଙ୍କୁ ଏକ ହେଲିକପ୍ଟର ସହାୟତାରେ ରାଂଚିର ଏକ ହସ୍ପିଟାଲରେ ଭର୍ତି କରାଯାଇଥିଲା। କିନ୍ତୁ ଦୁର୍ଭାଗ୍ୟ ବସତଃ ସୁଶାନ୍ତଙ୍କର ଦେହାନ୍ତ ହୋଇଯାଇଥିଲା। ଶନିବାର ସୁଶାନ୍ତଙ୍କ ପ୍ରାର୍ଥୀବ ଶରୀରକୁ ତାଙ୍କ ପୈତୃକ ଗାଁ କେନ୍ଦୁଝରର ଆନନ୍ଦପୁରକୁ ନିଆଯାଇଥିଲା।
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶୋକାକୂଳ ପରିବେଶରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା। ସହିଦ ସୁଶାନ୍ତଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଛିଣ୍ଡି ପଡ଼ିଥିଲା। ତିନି ବର୍ଷରେ ପରିବାରର ୪ ଜଣଙ୍କ ମୃତ୍ୟୁ ହୋଇଛି। ସବୁଠୁ ବିଡ଼ମ୍ବନାର କଥା ହେଉଛି ବର୍ଷକ ମଧ୍ୟରେ ତିନି ଭାଇଙ୍କର ଜୀବନ ଯାଇଛି। ସପ୍ତାହକ ମଧ୍ୟରେ ପୁଅକୁ ଝୁରି ଝୁରି ମାଆଙ୍କ ମୃତ୍ୟୁ ହୋଇଛି। ଏହି ଦୁଃଖଦ ଖବର ପାଇବା ପରେ ଅଞ୍ଚଳବାସୀ ସ୍ତବ୍ଧ ହୋଇ ଯାଇଛନ୍ତି।