ଚନ୍ଦ୍ର ପରେ ଏବେ ସୂର୍ଯ୍ୟମୁହାଁ ଇସ୍ରୋ, ଖୁବଶୀଘ୍ର ଲଞ୍ଚ୍ ହେବ ଆଦିତ୍ୟ ଏଲ୍-୧
ଓଏଲ୍ ବ୍ୟୁରୋ: ଚନ୍ଦ୍ର ପରେ ଏବେ ସୂର୍ଯ୍ୟମୁହାଁ ଇସ୍ରୋ। ଲଞ୍ଚ୍ ହେବ ଆଦିତ୍ୟ ଏଲ୍-୧। ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ ଯୋଗାଇବ। ତେବେ ଏନେଇ ଟ୍ୱିଟ ଯୋଗେ ଇସ୍ରୋ ପକ୍ଷରୁ ସୂଚନା ଦେଇଛନ୍ତି। ସଫଳ ଚନ୍ଦ୍ରଯାତ୍ରା ପରେ ଖୁବଶୀଘ୍ର ସୂର୍ଯ୍ୟ ଅଭିଯାନ କରିବାକୁ ଯାଉଛି ଭାରତ। ଏହି ପରିପ୍ରେକ୍ଷୀରେ ଖୁବଶୀଘ୍ର ଏକ ମହାକାଶ ଯାନ ସୂର୍ଯ୍ୟ ଅଭିମୁଖେ ପଠାଇବ ଇସ୍ରୋ। ଚଳିତ ବର୍ଷ ସେପ୍ଟେମ୍ବର ମାସରେ ସୂର୍ଯ୍ୟ ଅଭିମୁଖେ ଯାତ୍ରା କରିବ ମହାକାଶ ଯାନ ଆଦିତ୍ୟ ଏଲ୍-ୱାନ୍। ଖୁବଶୀଘ୍ର ଏ ନେଇ ଘୋଷଣା କରିବ ଇସ୍ରୋ। ଏହି ମହାକାଶ ଯାନ ପୃଥିବୀ ଠାରୁ ୧୫ ଲକ୍ଷ କିଲୋମିଟର ଦୂରରେ ରହି ସୂର୍ଯ୍ୟ ଉପରେ କରିବେ ଗବେଷଣା। ସୂର୍ଯ୍ୟର ଅତି ବାଇଗେଣି ରଶ୍ମିକୁ ନେଇ ମହାକାଶ ଯାନ ଆଦିତ୍ୟ ଏଲ୍-ୱାନ୍ ତଥ୍ୟ ସଂଗ୍ରହ କରିବ।
ସୂଚନା ଅନୁସାରେ, ଦୁଇ ଦୁଇଟି ପରୀକ୍ଷଣ ବିଫଳ ହେବା ପରେ ଶେଷରେ ଇସ୍ରୋର ତୃତୀୟ ପ୍ରଚେଷ୍ଟା ସଫଳ ହୋଇଛି। ଗତକାଲି ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମର ନରମ ଅବତରଣ ହୋଇଛି। ଏହାପରେ ରୋଭର ପ୍ରଜ୍ଞାନ ଲ୍ୟାଣ୍ଡରଠୁ ଅଲଗା ହୋଇଯାଇଛି। ମହାକାଶ ଅନୁସନ୍ଧାନର ଇତିହାସ ପୃଷ୍ଠାରେ ଇସ୍ରୋ ଯୋଡ଼ିଛି ଏହି ସ୍ୱର୍ଣ୍ଣିମ ଅଧ୍ୟାୟ।
ଆଜିଠୁ ୧୪ ଦିନ ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ଘୂରି ବୁଲିବ ରୋଭର୍। ଏହି ସମୟରେ ଇସ୍ରୋ ଆଶା କରୁଥିବା ଚନ୍ଦ୍ରପୃଷ୍ଠର ବିଭିନ୍ନ ସୂଚନା ପଠାଇବ। ଜହ୍ନ ରାଇଜରେ ଜଳର ଅନୁସନ୍ଧାନ ସହ ବାୟୁମଣ୍ଡଳୀୟ ସୂଚନା ମଧ୍ୟ ଦେବ ରୋଭର୍। ଜହ୍ନରେ ଜଳର ଉପସ୍ଥିତି ଭବିଷ୍ୟତ ମୁନ୍ ମିଶନ୍ ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି। ଏଠାରେ ଥିବା ଜଳ ପାନୀୟ ଭାବରେ ବ୍ୟବହାର ହୋଇପାରିବ କି ନାହିଁ, ଏଠାରେ ଅମ୍ଳଜାନ ପ୍ରସ୍ତୁତି କରାଯାଇ ପାରିବ କି ନାହିଁ, ଏଭଳି ବିଭିନ୍ନ ଦିଗ ଉପରେ ଅନୁସନ୍ଧାନ କରିବ ଇସ୍ରୋ। ତେବେ ଜୁଲାଇ ୧୪ରେ ଏହା ଶ୍ରୀହରିକୋଟାରେ ଉତକ୍ଷେପଣ ହୋଇଥିଲା। ବୈଜ୍ଞାନିକ ମାନଙ୍କର ଦୀର୍ଘ ଦିନର ପରିଶ୍ରମରେ ସଫଳ ଅବତରଣ ହୋଇଛି।