ଜିଓ ଗ୍ରାହକଙ୍କ ପାଇଁ ଖୁସିଖବର, ସାରା ଦେଶରେ ଲାଗୁ ହେବ ୫ଜି ସେବା
ଓଏଲ୍ ବ୍ୟୁରୋ: ଜିଓ ଗ୍ରାହକଙ୍କ ପାଇଁ ଖୁସିଖବର। ଅକ୍ଟୋବର ଶେଷ ସୁଦ୍ଧା ୫ଜି ସେବାକୁ ସାରା ଦେଶରେ ଲାଗୁକରାଯିବ। ଏନେଇ ମୁକେଶ ଅମ୍ବାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡର ୪୬ ତମ ଏଜିଏମକୁ ସମ୍ବୋଧନ କରିଛନ୍ତି। ସେ କହିଛନ୍ତି, ଭାରତ ବିଶ୍ୱର ନେତୃତ୍ୱ ନେବାର କ୍ଷମତା ରଖିଛି। ନା ଭାରତ କେବେ ଅଟକିଛି ନା କେବେ ହାରିଛି। ମୁକେଶ ଗ୍ରୁପର ବୋର୍ଡରେ ବଡ ପରିବର୍ତ୍ତନର ଘୋଷଣା କରିଛନ୍ତି। ବୋର୍ଡ ଅଫ୍ ଡାଇରେକ୍ଟର୍ସ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଏବଂ ଅନନ୍ତ ଅମ୍ବାନୀଙ୍କୁ ବୋର୍ଡର ନନ୍ ଏକଜ୍ୟୁକେଟିଭ ଡାଇରେକ୍ଟର ଭାବେ ନିଯୁକ୍ତିକୁ ମଞ୍ଜୁରୀ ଦେଇଛି। ସେହିଭଳି ନୀତା ଅମ୍ବାନୀ ବୋର୍ଡରୁ ଇସ୍ତଫା ଦେଇଛନ୍ତି।
ସାରାଦେଶରେ ଜିଓ ଏୟାର ଫାଇବରର ଲଞ୍ଚର ତାରିଖ ଘୋଷଣା ହୋଇଛି। ଆଗାମୀ ଗଣେଶ ଚତୁର୍ଥୀ ଅବସରରେ ଅର୍ଥାତ ସେପ୍ଟେମ୍ବର ୧୯ରେ ଏହି ସେବାକୁ ସାରା ଦେଶରେ ଆରମ୍ଭ କରାଯିବ। ଏହା ଗ୍ରାହକଙ୍କୁ ହାଇସ୍ପିଡ୍ ଇଣ୍ଟରନେଟ୍ ପ୍ରଦାନ କରିବ। କମ୍ପାନୀ ରିଟେଲ ଗ୍ରାହକଙ୍କୁ ଗୋଟିଏ ନିର୍ଦ୍ଧାରିତ ୱାୟାରଲେସ ଆକ୍ସେସ ଡିଭାଇସ ଜରିଆରେ ଏୟାର ଫାଇବରକୁ ପ୍ରଦାନ କରିବ। ବଜାର ଦର ଠାରୁ ଏହା କମ ଦାମରେ ଲଞ୍ଚ ହେବ।ଜିଓ ଏୟାର ଫାଇବର, ୫ଜି ନେଟୱର୍କ ଏବଂ ଉତ୍ତର ୱାୟାରଲେସକୁ ବ୍ୟବହାର କରି ଘର ଏବଂ ଅଫିସରେ ୱାୟାରଲେସ ବ୍ରଡବ୍ୟାଣ୍ଡ ସେବା ପ୍ରଦାନ କରାଯିବ ବୋଲି ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି।