ଆଜି ସାରା ରାଜ୍ୟରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ
ଓଏଲ୍ ବ୍ୟୁରୋ: ଆଜି ସାରା ରାଜ୍ୟରେ ବିଦ୍ୟାଳୟ ସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ପ୍ରଥମ ଜିଲ୍ଲାସ୍ତରୀୟ କମିଟି ବୈଠକ ଶେଷ ହୋଇଛି। ଗତ ୩୧ ତାରିଖଠୁ ପର୍ଯ୍ୟାୟ କ୍ରମେ ବିଭିନ୍ନ ଜିଲ୍ଲାରେ ଆୟୋଜିତ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରର ବିଭିନ୍ନ ପୁରସ୍କାର ଉପରେ ବିସ୍ତୃତ ଭାବରେ ଆଲୋଚନା କରାଯାଇଥିଲା। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ), ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ, ଜିଲ୍ଲା ଜନମଙ୍ଗଳ ଅଧିକାରୀ, ଜିଲ୍ଲା କ୍ରୀଡା ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଓ ‘ମୋ ସ୍କୁଲ’ର ପ୍ରତିନିଧି ଉପସ୍ଥିତ ଥିଲେ।
ପ୍ରଥମେ ‘ମୋ ସ୍କୁଲ’ର ପ୍ରତିନିଧି ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଅଧୀନରେ ଥିବା ବିଭିନ୍ନ ପ୍ରକାର ପୁରସ୍କାର ଓ ଏହାର ମନୋନୟନ ପ୍ରକ୍ରିୟା ଉପରେ ଆଲୋଚନା ହୋଇଥିଲା। ପ୍ରଥମ ବୈଠକରେ ଛାତ୍ରଛାତ୍ରୀ ପୁରସ୍କାର ଉପରେ ଗୁରୁତ୍ୱ ଦିଆଯାଇଥିଲା। ୩୧ ତାରିଖରେ ସୁନ୍ଦରଗଡ, କନ୍ଧମାଳ , ଢେଙ୍କାନାଳ, କେନ୍ଦ୍ରାପଡା ଜିଲ୍ଲାରେ ଜିଲ୍ଲାସ୍ତରୀୟ କମିଟି ବୈଠକ ବସିଥିଲା। ସେହିପରି ୧ ତାରିଖରେ କେନ୍ଦୁଝର, କଟକ, ଜଗତସିଂହପୁର ଓ ଅନୁଗୁଳ, ୨ରେ ମୟୂରଭଞ୍ଜ, ବୌଦ୍ଧ, ସୋନପୁର, ଦେବଗଡ଼, ନୟାଗଡ଼, ବରଗଡ଼, ସମ୍ବଲପୁର, ମାଲକାନଗିରି, ପୁରୀ, ବାଲେଶ୍ୱର ଓ ଯାଜପୁର, ୪ରେ ଭଦ୍ରକ, ନବରଙ୍ଗପୁର, ଝାରସୁଗୁଡା, ଗଜପତି ଓ କଳାହାଣ୍ଡି, ୫ରେ ବଲାଙ୍ଗୀର, ଗଞ୍ଜାମ, କୋରାପୁଟ ଏବଂ ୭ରେ ରାୟଗଡା, ନୂଆପଡା ଓ ଖୋର୍ଦ୍ଧା ଜିଲ୍ଲାରେ ବୈଠକ ଅନୁଷ୍ଠିତ ହୋଇଥିଲା।
ଆଜିଠୁ ସାରା ରାଜ୍ୟରେ ବିଦ୍ୟାଳୟସ୍ତରରେ ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ଉପରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ। ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ, ଉଚ୍ଚପ୍ରାଥମିକ ଓ ମାଧ୍ୟମିକ ବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ କରାଯିବ। ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଅଧ୍ୟକ୍ଷତାରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ, ପୁରାତନ ଛାତ୍ର କମିଟିର ସଦସ୍ୟ, ଅଭିଭାବକ, ଗ୍ରାମପଞ୍ଚାୟତର ପ୍ରତିନିଧି ଯୋଗ ଦେବେ। ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ଶିକ୍ଷକ ପୁରସ୍କାର ଏବଂ ପୁରାତନ ଛାତ୍ର କମିଟି ପୁରସ୍କାର ଉପରେ ବିସ୍ତୃତ ସୂଚନା ଦେବେ। ଏହି ପୁରସ୍କାର ପାଇଁ ଆବେଦନ ପ୍ରକ୍ରିୟା, ଏହାର ଯୋଗ୍ୟତା ଓ ମାନଦଣ୍ଡ ଏବଂ ଚୟନ ପ୍ରକ୍ରିୟା ଉପରେ ସଚେତନ କରାଇବେ।
ଅନ୍ୟପକ୍ଷରେ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ବିଦ୍ୟାଳୟ ପୁରସ୍କାର, ପ୍ରଧାନଶିକ୍ଷକ ପୁରସ୍କାର, ଶିକ୍ଷକ ପୁରସ୍କାର, ବିଦ୍ୟାଳୟ ପରିଚାଳନା କମିଟି ପୁରସ୍କାର ଏବଂ ପୁରାତନ ଛାତ୍ର କମିଟି ପୁରସ୍କାର ଉପରେ ସଚେତନ କରାଇବେ। ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ଛାତ୍ରଛାତ୍ରୀ ପୁରସ୍କାର ପାଇଁ ବର୍ତ୍ତମାନ ରାଜ୍ୟସ୍ତରୀୟ ଓ ଜିଲ୍ଲାସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ, ଜିଲ୍ଲା ଓ ବ୍ଲକ୍ସ୍ତରରେ ମେଧାବୀ ପୁରସ୍କାର ଦିଆଯିବ। ରାଜ୍ୟସ୍ତରରେ ୫୦ ହଜାର ଟଙ୍କା, ଜିଲ୍ଲାସ୍ତରରେ ୧୦ ହଜାର ଟଙ୍କା ଏବଂ ବ୍ଲକସ୍ତରରେ ୫ ହଜାର ଟଙ୍କା ଲେଖାଏଁ ପୁରସ୍କାର ରାଶି ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯିବ।