୬ ରାଜ୍ୟର ୭ ବିଧାନସଭାର ଉପନିର୍ବାଚନ ଫଳାଫଳ: ଚାଲିଛି ଭୋଟ ଗଣତି
ବିଜେପି ଓ ବିଏସପି ମଧ୍ୟରେ ଲଢେଇ ଜୋରଦାର ହୋଇଛି।
ଓଏଲ୍ ବ୍ୟୁରୋ: ଆଜି ଆସିବ ୬ ରାଜ୍ୟର ୭ ବିଧାନସଭା ଆସନର ଉପନିର୍ବାଚନ ଫଳାଫଳ। ଗତ ମଙ୍ଗଳବାର ଉପନିର୍ବାଚନ ହୋଇଥିବାବେଳେ ଆଜି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି। ଦେଶରେ କାହା ସପକ୍ଷରେ ରହିଛି ଜନମତ। ଏନଡିଏ ନା ଇଣ୍ଡିଆ ମେଣ୍ଟ। କାହାକୁ ଭରସା କରୁଛନ୍ତି ଦେଶବାସୀ। ଝାଡଖଣ୍ଡର ଡୁମରି ଓ ବକ୍ସରନଗର, ତ୍ରିପୁରାର ଧାନପୁର, ପଶ୍ଚିମବଙ୍ଗର ଧୁପଗୁରୀ, ଉତ୍ତରପ୍ରଦେଶର ଘୋଶି, ଉତ୍ତରାଖଣ୍ଡର ବାଗେଶ୍ବର ଓ କେରଳର ପୁଥୁପଲ୍ଲୀ ଆସନ ପାଇଁ ଭୋଟ ଗ୍ରହଣ ହୋଇଛି।
ସୂଚନା ଅନୁସାରେ, ୫ ଆସନରେ ବିଧାୟକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନିଜ ଆସନରୁ ଇସ୍ତଫା ଦେଇଛନ୍ତି। ବିଜେପି ନେତୃତ୍ଵାଧୀନ ଏନଡିଏ ଓ ନବଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆ ମଧ୍ୟରେ ଏହା ହେଉଛି ପ୍ରଥମ ନିର୍ବାଚନ ଲଢେଇ। ଏହି ଉପନିର୍ବାଚନରେ ସମାଜବାଦୀ ପାର୍ଟି, ବିଜେପି ଓ ବିଏସପି ମଧ୍ୟରେ ଲଢେଇ ଜୋରଦାର ହୋଇଛି।