ଭାରତରେ ଶେଷ ହୋଇଛି ଜି-୨୦ ସମ୍ମିଳନୀ, ଏବେବି ଚର୍ଚ୍ଚାରେ ଋଷି ସୁନକ୍
ଓଏଲ୍ ବ୍ୟୁରୋ: ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଏବେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ତାଙ୍କ ସରଳତା ଓ ମାନବିକତାକୁ ନେଇ ସୋସିଆଲ ମିଡିଆରେ ପ୍ରଶଂସା ବଢ଼ିବାରେ ଲାଗିଛି। ଖାଲି ପାଦରେ ଆଣ୍ଡୁ ମାଡ଼ି, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାକୁ ଭେଟିବା ସହ କଥାବାର୍ତା ହେଉଥିବାର ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ୍ ହେବାରେ ଲାଗିଛି। ଜି-୨୦ ସମ୍ମିଳନୀ ଅବସରରେ ଶେଖ୍ ହସିନାଙ୍କୁ ଭେଟିଥିଲେ ଋଷି ସୁନାକ୍।
ଏହି ସମୟରେ ସେ ଅତି ନମ୍ରତା ସହ ବାଂଲାଦେଶରେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହେଉଥିଲେ। ବାଂଲାଦେଶ ପ୍ରଧାନମନ୍ତ୍ରୀ ଚେୟାରରେ ବସିଥିବା ବେଳେ ତଳେ ଆଣ୍ଡୁମାଡ଼ି ତାଙ୍କ ପାଖରେ ବସିଥିଲେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ। ବିଶ୍ୱର ଅନ୍ୟତମ ଶକ୍ତିଶାଳୀ ରାଷ୍ଟ୍ରର ମୁଖ୍ୟଙ୍କ ଏହି ନମ୍ରତାକୁ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ହେଉଛି। ଜଣେ ସୋସିଆଲ ମିଡ଼ିଆ ୟୁଜର୍ସ ଏହି ଫଟୋକୁ ସେୟାର କରିବା ସହ ଋଷି ସୁନାକଙ୍କୁ ଜଣେ ଭଦ୍ର ବ୍ୟକ୍ତି ବୋଲି ଲେଖିଛନ୍ତି।
ସୂଚନା ଅନୁସାରେ, ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତ ଆସିଥିବା ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଅକ୍ଷରଧାମ ମନ୍ଦିରରେ ପହଞ୍ଚଥିବା ଚର୍ଚା ହେଉଥିଲା। ପତ୍ନୀଙ୍କ ସହ ଅକ୍ଷରଧାମ ମନ୍ଦିର ଯାଇ ସ୍ୱାମୀ ନାରାୟଣଙ୍କୁ ଦର୍ଶନ କରିଥିବା ଦେଖିବାକୁ ମିଳିଥିଲା। ଏହା ସହ ମନ୍ଦିରରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା କରିଥିଲେ। ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।