ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ପ୍ରସଙ୍ଗ: ଆଜି ଅପରାହ୍ଣରେ ବସିବ ବୈଠକ
ଓଏଲ୍ ବ୍ୟୁରୋ: ସ୍କୁଲ, କଲେଜକୁ ୫-ଟିରେ ସାମିଲ କରାଯାଇ ରୂପାନ୍ତରଣ କରାଯାଉଛି। ଛାତ୍ରଛାତ୍ରୀଙ୍କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଥିବା ସଭା ସମିତିରେ ଘୋଷଣା କରାଯାଉଛି। କିନ୍ତୁ ପିଲାଙ୍କ ପାଠପଢ଼ାରେ ଯେଉଁ ଶିକ୍ଷକମାନେ ମୁଖ୍ୟ ଭୂମିକା ତୁଲାଇଥାନ୍ତି, ସେମାନଙ୍କ ଆନ୍ଦୋଳନକୁ ନେଇ ରାଜ୍ୟରେ ବିଚିତ୍ର ବ୍ୟବସ୍ଥା ସୃଷ୍ଟି ହୋଇଛି।
ବିଭିନ୍ନ ଦାବି ନେଇ ଶିକ୍ଷକମାନେ ଆନ୍ଦୋଳନରେ ବସିଥିବାବେଳେ, ବନ୍ଦ ହୋଇ ଯାଇଛି ପ୍ରାୟ ୪୦ଲକ୍ଷ ପିଲାଙ୍କ ପାଠ ପଢ଼ା। ତେବେ ଆନ୍ଦୋଳନରତ ଶିକ୍ଷକଙ୍କୁ ସରକାର ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହା ପରେ ଆଜି ପୁଣି ଏନେଇ ବୈଠକ ହେବ।
ପ୍ରାଥମିକ ଶିକ୍ଷକ ସଂଘ ଆନ୍ଦୋଳନ ପ୍ରସଙ୍ଗକୁ ନେଇ ସିଏମଓ ଅଫିସରୁ ବୈଠକ ପାଇଁ ଡାକରା ଆସିଛି। ଆଜି ଅପରାହ୍ଣ ୫ଟାରେ ବୈଠକ ବସିବ। ମନ୍ତ୍ରିସ୍ତରୀୟ ବୈଠକ ପରେ ଦୁଇ ଫାଳ ହୋଇଥିଲା ସଂଘ।୨୬ରେ ମହାସମାବେଶ ପାଇଁ ସଂଘ ଡାକରା ଦେଇଥିଲା।
ସୂଚନା ଅନୁସାରେ, ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ଅଧ୍ୟକ୍ଷତାରେ ଆନ୍ତଃମନ୍ତ୍ରୀସ୍ତରୀୟ ବୈଠକରେ ଅର୍ଥମନ୍ତ୍ରୀ କହିଥିଲେ, ଶିକ୍ଷକମାନଙ୍କ ଦାବି ସମ୍ପର୍କରେ ସରକାର ଅବଗତ ଅଛନ୍ତି। ସହୃଦୟତାର ସହ ବିଚାର କରିବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଶିକ୍ଷକମାନେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଅର୍ଥମନ୍ତ୍ରୀ ଅପିଲ କରିଥିଲେ।