Odisha Link
Bridging the Missing Links in Odisha

ଛାତ୍ର ସଂସଦ ନିର୍ବାଚନ ମାମଲା: ରାଜ୍ୟ ସରକାରଙ୍କୁ ହାଇକୋର୍ଟର ନୋଟିସ୍

ଓଏଲ୍‌ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଥିଲା। ଏଥର ବି ଛାତ୍ର ସଂସଦ ନିର୍ବାଚନ ହେବନି। ଆଗକୁ ସାଧାରଣ ନିର୍ବାଚନ ରହିଥିବାରୁ କ୍ୟାମ୍ପସରେ ନିର୍ବାଚନ କରି ଛାତ୍ର ଓ ଯୁବ ସଙ୍ଗଠନରେ ଫାଟ ସୃଷ୍ଟି କରିବାକୁ ଶାସକ ଦଳ ଚାହିଁ ନାହିଁ। ଯେଉଁଥିପାଇଁ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡର ପ୍ରକାଶ କରାଯାଇଥିଲା। ଯାହାକୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବିରୋଧ କରିଥିଲା।

ହାଇକୋର୍ଟରେ ମାମଲା ପରେ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ପକ୍ଷରୁ ନୋଟିସ୍ ଜାରି ହୋଇଛି। ମୁଖ୍ୟ ସଚିବ, ଉଚ୍ଚ ଶିକ୍ଷା ଓ ଗଣ ଶିକ୍ଷା ସଚିବ, ଉଚ୍ଚ ଶିକ୍ଷା ନିର୍ଦ୍ଦେଶକଙ୍କୁ ନୋଟିସ୍‌ ଦିଆଯାଇଛି। ୧ ସପ୍ତାହ ମଧ୍ୟରେ ନୋଟିସ୍‌ର ଜବାବ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସୂଚନା ଅନୁସାରେ, ୨୦୨୩-୨୪ ଶିକ୍ଷାବର୍ଷରେ ଉଚ୍ଚଶିକ୍ଷା ବିଭାଗ ଅଧୀନ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ଏକକ ଶିକ୍ଷା କ୍ୟାଲେଣ୍ଡର କଡ଼ାକଡ଼ି ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି କ୍ୟାଲେଣ୍ଡର ଅନୁଯାୟୀ କେତେଦିନ ପାଠପଢ଼ା ହେବ, କେଉଁ କେଉଁ ଦିନ ଛୁଟି ରହିବ, ଦଶହରା ଛୁଟି କେବେଠାରୁ ଆରମ୍ଭ ହେବ ଆଦି ବିଷୟରେ ଉଲ୍ଲେଖ ‌ହୋଇଛି।

ମାତ୍ର ଏହି କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ ସମ୍ପର୍କରେ କୌଣସି ସୂଚନା ଦିଆଯାଇ ନାହିଁ। ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ଏଥର ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହେବ ନାହିଁ। ଲଗାତାର ୬ଷ୍ଠ ବର୍ଷ ପାଇଁ ଚଳିତବର୍ଷ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.